ଏଥର ହେବ ନାହିଁ ଖଣ୍ଡଗିରି ମେଳା

ସତ୍ୟଶିଖା (ଭୁବନେଶ୍ୱର) ୦୫/୦୨/୨୦୨୧ : ଚଳିତ ବର୍ଷ ହେବ ନାହିଁ ଖଣ୍ଡଗିରି ମାଘ ମେଳା। ଏ ନେଇ ମେଳା କମିଟିର ସଦସ୍ୟମାନେ ବିଏମ୍ସି କମିଶନରଙ୍କ ନିକଟରେ ବିସ୍ତୃତ ପ୍ରସ୍ତାବ ଦାଖଲ କରିଛନ୍ତି। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଖଣ୍ଡଗିରିରେ ଅପେରା ନ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି । କମିଟି ମଧ୍ୟ ଏହାକୁ ଏକପ୍ରକାର ମାନି ନେଇଥିବା ଆଜିର ପ୍ରସ୍ତାବରୁ ଆଭାସ ମିଳିଛି । ମେଳା କମିଟି ପକ୍ଷରୁ ବିଏମ୍ସି କମିଶନରଙ୍କ ଉଦ୍ଦେଶ୍ୟରେ ଗୁରୁବାର ୪ପୃଷ୍ଠାର ପ୍ରସ୍ତାବ ଦାଖଲ କରାଯାଇଛି । ଏଥିରେ ପ୍ରଚଳିତ ନୀତିକାନ୍ତି ସହକାରେ ମେଳା କରିବାକୁ କୁହାଯାଇଛି । ତେବେ କଟକଣାକୁ କୋହଳ କରି ଦୋକାନ ଷ୍ଟଲ୍ ପକାଇବାକୁ ଅନୁମତି ଦେବାକୁ ବିଏମ୍ସିକୁ ପ୍ରସ୍ତାବ ଦିଆଯାଇଛି ।
କୋଭିଡ୍ ପାଇଁ ଗୋଟିଏ ସ୍ଥାନରେ ସର୍ବାଧିକ ୫୦୦ ଲୋକ ଏକାଠି ହୋଇପାରିବେ ବୋଲି ଏବେ ନିୟମ କରାଯାଇଛି । ତେବେ ଥିଏଟର ବା ମଞ୍ଚରେ ଦୁଇ ସିଟ୍ ମଝିରେ ଗୋଟିଏ ସିଟ୍ ଛାଡି଼ବାକୁ ନିର୍ଦ୍ଦେଶ ରହିଛି । ଏଭଳି ନିୟମ ପାଳନ କରି ଯାତ୍ରା କରିବା ଆଦୌ ସମ୍ଭବପର ନୁହେଁ । ନିୟମ ପାଳନ କରି ଅପେରା ଆୟୋଜନ କଲେ ଆର୍ଥିକ ଦୃଷ୍ଟିରୁ ଅପେରା ମାଲିକମାନେ ବହୁ କ୍ଷତି ସହିବେ । ଏଥିପାଇଁ ସେମାନେ ନିଜ ଆଡୁ ଯାତ୍ରା କରିବା ପ୍ରସ୍ତାବରୁ ଓହରି ଯାଇଥିବା ସୂଚନା ମିଳିଛି । ସାଧାରଣ ପ୍ରଶାସନ ବିଭାଗ ଯାତ୍ରା ପାଇଁ ଚୂଡ଼ାନ୍ତ ଅନୁମତି ଦେବ ବୋଲି କହି ବିଏମ୍ସି ଏହାକୁ ଏକପ୍ରକାର ଏଡାଇ ଯାଇଛି । କିନ୍ତୁ ଅପେରା ହେବନି ବୋଲି ଆଭାସ ମିଳିସାରିଲାଣି । ଯଦିଓ ଦୋକାନ ଷ୍ଟଲ୍ ପକାଇବା ପାଇଁ ମେଳା ଆୟୋଜନ କମିଟି ପ୍ରସ୍ତାବରେ ଅନୁରୋଧ କରିଛି କିନ୍ତୁ ଏହି ପ୍ରସ୍ତାବ ଉପରେ କୌଣସି ସହମତି ଆସିପାରିନି । ବିଏମ୍ସି କର୍ତ୍ତୃପକ୍ଷ ମଧ୍ୟ ଏହାକୁ ନେଇ ଅମଙ୍ଗ ଅଛନ୍ତି । ଯାତ୍ରାରେ ଦୋକାନ ଷ୍ଟଲ୍ ପଡିଲେ ଲାଇସେନ୍ସ ଫି’ ଓ ସାଇକେଲ ଷ୍ଟାଣ୍ଡ୍ ବାବଦରେ ବିଏମ୍ସିର ୩୦ରୁ ୩୫ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ ହୁଏ । ପ୍ରତିବର୍ଷ ମେଳା ପାଇଁ ବିଭିନ୍ନ ବାଟରେ ବିଏମ୍ସି ହାତରୁ ପାଖାପାଖି ସେତିକି ପରିମାଣର ଅର୍ଥ ଖର୍ଚ୍ଚ ବି ହେଉଛି । ଏହାବାଦ୍ ଷ୍ଟଲ୍କୁ ଅନୁମତି ଦେଲେ ଅସମ୍ଭାଳ ଭିଡ ହେବ । ଏହାକୁ ଆଖିଆଗରେ ରଖି ଚୂଡାନ୍ତ ନିଷ୍ପତ୍ତି ନିଆଯିବ । କମିଟିର ପ୍ରସ୍ତାବକୁ ଆସନ୍ତାକାଲି ବିଏମସି କମିଶନର ବିଚାର କରି ନିଷ୍ପତ୍ତି ଶୁଣାଇବେ ବୋଲି ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।