ନ୍ୟୁଜ୍ରାଜ୍ୟ

ଯାତ୍ରୀଙ୍କ ବ୍ୟାଗରୁ ଜବତ ହେଲା ବନ୍ଧୁକ ଭୁବନେଶ୍ୱର ବିମାନବନ୍ଦରରେ

ସତ୍ୟଶିଖା (ଭୁବନେଶ୍ୱର) ୦୭/୦୧/୨୦୨୧ : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚେନ୍ନାଇ ଯାଉଥିବା ଜଣେ ଯୁବକଙ୍କଠାରୁ ଏକ ବନ୍ଧୁକ ଜବତ ହୋଇଛି । ଯୁବକଙ୍କ ବ୍ୟାଗ୍‌ ଯାଞ୍ଚ ବେଳେ ଏକ ବେଆଇନ ବନ୍ଧୁକ ମିଳିଛି । ଯୁବକ ଜଣକ ହେଲେ ପୁରୀ କୃଷ୍ଣପ୍ରସାଦ ଅଞ୍ଚଳର ରାମଚନ୍ଦ୍ର ଜେନା । ଏୟାରପୋର୍ଟ ଥାନା ପୋଲିସ୍‌ ବନ୍ଧୁକ ଜବତ କରିବା ସହ ତାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।ସୂଚନା ଅନୁସାରେ, ଏୟାର ଏସିଆ ଫ୍ଲାଇଟ୍‌ ନମ୍ବର- ୧୫୧୫୬୩ ଯୋଗେ ରାମଚନ୍ଦ୍ର ପ୍ରଥମେ ବେଙ୍ଗାଲୁରୁ ଯାଇଥାନ୍ତେ । ସେଠାରୁ ଆଉ ଏକ ଫ୍ଲାଇଟରେ  ତାଙ୍କର ଚେନ୍ନାଇ ଯିବା ଯୋଜନା ଥିଲା । ସନ୍ଧ୍ୟା ସାଢ଼େ ୬ଟା ବେଳେ ରାମଚନ୍ଦ୍ର ନୂଆ ଟର୍ମିନାଲରେ ପ୍ରବେଶ କରିଥିଲେ । ଏହାସହ ବ୍ୟାଗ୍‌ରେ ଏକ ଦେଶୀ ବନ୍ଧୁକ ରଖିଥିଲେ । ବିମାନ ବନ୍ଦରରେ ଏକ୍ସ-ରେ ସ୍କାନରରେ ଯାଞ୍ଚ ବେଳେ ତାଙ୍କ ବ୍ୟାଗରେ ଏହି ବନ୍ଧୁକ ଥିବା ଜଣାପଡ଼ିଥିଲା । ଏୟାର ଏସିଆ ସିକ୍ୟୁରିଟି ଇନ୍‌ଚାର୍ଜ ପ୍ରଶାନ୍ତ ଦାଶ ମହାପାତ୍ର ବ୍ୟାଗ୍‌ ଜବତ କରିବା ସହ ଯୁବକଙ୍କୁ ଅଟକ ରଖିଥିଲେ । ସଙ୍ଗେସଙ୍ଗେ ସିଆଇଏସ୍‌ଏଫ୍‌ ସୁରକ୍ଷାକର୍ମୀ ତୁରନ୍ତ ପହଞ୍ଚି ରାମଚନ୍ଦ୍ରଙ୍କୁ କାବୁ କରିଥିଲେ । କିଛି ସୁରକ୍ଷା କର୍ମୀ ଘେରିଯାଇ ତାଙ୍କୁ ସିକ୍ୟୁରିଟି ରୁମ୍‌କୁ ନେଇ ଯାଇଥିଲେ ।ସୁରକ୍ଷାକର୍ମୀ ବନ୍ଧୁକର ପ୍ରମାଣପତ୍ର ମାଗିଥିଲେ ହେଁ ରାମଚନ୍ଦ୍ର କୌଣସି ଲାଇସେନ୍ସ ଦେଖାଇବାରେ ବିଫଳ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ପ୍ରଶ୍ନର ଓଲଟା ସିଧା ଉତ୍ତର ଦେଇଥିଲେ । ପରେ ସମ୍ପୃକ୍ତ ଯୁବକଙ୍କୁ ଏୟାରପାର୍ଟ ଥାନାକୁ ହସ୍ତାନ୍ତର କରାଯାଇଥିଲା । ଯୁବକ ଜଣଙ୍କ ପାଖରେ ବନ୍ଧୁକ କେଉଁଠୁ ଆସିଲା ସେନେଇ ତଦନ୍ତ ଚାଲିଛି । ରାମଚନ୍ଦ୍ର ଚେନ୍ନାଇର ଏକ ନିର୍ମାଣ ସଂସ୍ଥାରେ କାମ କରନ୍ତି । ଚେନ୍ନାଇରେ କାହାରିକୁ ବିକିବା ପାଇଁ କିମ୍ବା କୌଣସି ଅପରାଧ କାର୍ଯ୍ୟ ଘଟାଇବା ପାଇଁ ବନ୍ଧୁକ ନେଉଥିଲେ ବୋଲି ସନ୍ଦେହ କରାଯାଉଛି ।

Show More
Back to top button