ଲକଡାଉନରେ ପୁଲିସ୍ ଭୂମିକାରେ ଭାରତୀୟ କ୍ରୀଡ଼ାବିତ୍

ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ପାଇଁ ଚିନ୍ତିତ। ଦିନକୁ ଦିନ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏହାର ପ୍ରତିକାର ପାଇଁ କୌଣସି ବାଟ ଫିଟିନାହିଁ। କରୋନାର ପ୍ରକୋପ ଏବେ ଭାରତରେ ଦେଖିବାକୁ ମିଳିଛି। ଏହି ମହାମାରୀ ବିରୋଧରେ ଲଢ଼ିବା ପାଇଁ ସରକାରଙ୍କଠାରୁ ଅଧିକ ରିସ୍କ କାମ କରୁଛନ୍ତି ପୁଲିସବାହିନୀ। ପୁଲିସକର୍ମୀ ଦିନରାତି ଏକାଠି କରି ରାସ୍ତାରେ ଜନସାଧାରଣଙ୍କ ସେବାରେ ଲାଗି ପଡ଼ିଛନ୍ତି। ଏହି ପୁଲିସକର୍ମୀଙ୍କ ମଧ୍ୟରେ କିଛି ଭାରତର କ୍ରୀଡ଼ାବିତ୍ ମଧ୍ୟ ସାମିଲ୍ ଅଛନ୍ତି, ଯେଉଁମାନେ କ୍ରୀଡ଼ା କ୍ଷେତ୍ରରେ ଦେଶ ପାଇଁ ଆଣିଛନ୍ତି ଅନେକ ଗୌରବ। ବର୍ତ୍ତମାନ ସେହି କ୍ରୀଡ଼ାବିତ୍ ପୁଲିସ୍ ଭୂମିକାରେ ସାଧାରଣ ଲୋକଙ୍କ ସେବାରେ ଲାଗିଛନ୍ତି। ଏହି କ୍ରୀଡ଼ାବିତମାନେ ହେଲେ ବିଶ୍ୱକପ୍ ବିଜେତା କ୍ରିକେଟର୍ ଯୋଗୀନ୍ଦର ଶର୍ମା, ଭାରତୀୟ ହକି ଟିମର ପୂର୍ବତନ କ୍ୟାପଟେନ୍ ରାଜପାଲ୍ ସିଂହ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ବକ୍ସର ଅଖିଲ କୁମାର ଓ ଏସିଆନ୍ ଗେମ୍ସ ଚାମ୍ପିୟନ୍ କବାଡି ଖେଳାଳି ଅଜୟ ଠାକୁର। କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି କ୍ରୀଡ଼ାବିତମାନେ ପୂର୍ଣ୍ଣକାଳୀନ ପୁଲିସ୍ ଅଧିକାରୀ ହୋଇପାରିଛନ୍ତି।
ମୋହାଲିରେ ଡିଏସପି ପଦବୀରେ ଥିବା ରାଜପାଲ୍ ସିଂହ କହିଛନ୍ତି, “ମୁଁ ପୁଲିସରେ ପୂର୍ଣ୍ଣକାଳୀନ ଚାକିରି କରୁଛି ଏବଂ ବର୍ତ୍ତମାନ ଲକଡାଉନର ପାଳନ କରିବା ମୋର ମୁଖ୍ୟ କାମ। ଏହାସହ ଜନସାଧାରଣଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବା ଏବଂ ସେମାନଙ୍କ ସହାୟତା କରିବା ଆମର ଦାୟିତ୍ୱ। ଏଭଳି ସମୟରେ ସଂଯମତା ହିଁ ମୁଖ୍ୟ ଅସ୍ତ୍ର ଏବଂ ପୁଲିସ୍ ଭିତରେ ଥିବା ମାନବିକତାକୁ ଆଜି ଜନସାଧାରଣ ଦେଖିବାକୁ ପାଉଛନ୍ତି। ଲୋକଙ୍କ ଧୈର୍ଯ୍ୟ କିପରି କାଏମ୍ ରହିବ ଏବଂ ଏଭଳି ଏକ ବଡ଼ ସମସ୍ୟାରୁ କିପରି ବାହାରିବେ, ସେଥିପାଇଁ ଆମେ ପ୍ରୟାସ କରୁଛୁ।” ରାଜପାଲ୍ ୨୦୧୦ରେ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିବା ବେଳେ ୨୦୦୭ରେ ଏସିଆ କପରେ ସ୍ୱର୍ଣ୍ଣ ବିଜେତା ଦଳର ପ୍ରତିନିଧିତ୍ୱ କରିଥିଲେ।
ଆହୁରି ପଢ଼ନ୍ତୁ
ସୂଚନାଯୋଗ୍ୟ, ଯୋଗୀନ୍ଦର ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଟି-୨୦ ବିଶ୍ୱକପରେ ଭାରତକୁ ବିଜେତା କରାଇବାରେ ନିର୍ଣ୍ଣାୟକ ଭୂମିକା ବହନ କରିଥିଲେ। ଫାଇନାଲରେ ଯୋଗୀନ୍ଦର ଶେଷ ଓଭର ବୋଲିଂ କରିଥିଲେ ଏବଂ ପାକିସ୍ତାନର ମିଶବା ଉଲ୍-ହକଙ୍କୁ ଆଉଟ୍ କରି ଭାରତକୁ ବିଜୟୀ କରାଇଥିଲେ। ନିଜ କ୍ୟାରିୟରରେ ଶର୍ମା ୪ଟି ଦିନିକିଆ ଓ ୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାଁରେ ମାତ୍ର ୫ଟି ୱିକେଟ୍ ରହିଛି। ଶର୍ମାଙ୍କ କ୍ୟାରିୟର ଛୋଟ ରହିଥିଲେ ହେଁ, ୨୦୦୭ ଟି-୨୦ ବିଶ୍ୱକପ୍ ବିଜୟ ତାଙ୍କ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ।