ଶାରଦା ପ୍ରଧାନ, ଦୁର୍ନୀତି କରିଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ରାଜ୍ୟ ସରକାର l


ସତ୍ୟଶିଖା ( ଭୁବନେଶ୍ୱର ) ୨୦ .୦୮.୨୦୨୦ : ରାଜ୍ୟରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ବ୍ୟାପକ ଦୁର୍ନୀତି ଚାଲିଛି । ବିଶେଷକରି କଟକ ଜିଲ୍ଲାରେ ସରକାରୀ ଅଧିକାରୀମାନେ ମଧ୍ୟାହ୍ନ ଭୋଜନର ଅର୍ଥକୁ ଖୁଲମଖୁଲା ଲୁଟ୍ କରୁଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି ଶିକ୍ଷା ବିଭାଗ, ଶିକ୍ଷାମନ୍ତ୍ରୀ ଏବଂ କଟକ ଜିଲ୍ଲାପାଳ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ନେତା ଶାରଦା ପ୍ରଧାନ ସାଘାଂତିକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ କିଛି ତଥ୍ୟ ପୋଷ୍ଟ କରାଯାଇଥିବାରୁ ବରିଷ୍ଠ ସାମ୍ବାଦିକଙ୍କ ପୁଅ ତଥା ଦିଆନ ପଣସପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ ବିନା ତଦନ୍ତରେ ଗୋଟିଏ ଦିନ ମଧ୍ୟରେ ନିଲମ୍ବନ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯଦି ଗୋଟିଏ ଦିନରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତେବେ ଦୀର୍ଘ ୭ ବର୍ଷ ଧରି କଟକ ଜିଲ୍ଲା ଶିକ୍ଷା ଅଧିକାରୀ ନିରଜଂନ ସାହୁ ଦୁର୍ନୀତିର ବଡପଣ୍ଡା ସାଜିଥିବାବେଳେ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉ ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକରେ ଖଣ୍ଡାୟତ ପାଟିକିରା ସରକାରୀ ଉଚ୍ଚବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ହୋଇଛି । ଚଳିତ ବର୍ଷ ୨୨ ଜାନୁଆରୀ ଏବଂ୨୫ ଜାନୁଆରୀ ୨୦୨୦ରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟୀତ୍ୱରେ ଥିବା ଶିକ୍ଷକ ଅକ୍ଷୟ କୁମାର ନନ୍ଦ ମଧ୍ୟାହ୍ନ ଭୋଜନର ଏସଏମଏସ ଏବଂ ଛାତ୍ର ଉପସ୍ଥାନ ଖାତାରେ ବେଆଇନ ଭାବେ ମିଥ୍ୟା ଦସ୍ତଖତ କରି ପିଲାଙ୍କ ମଧ୍ୟାହ୍ନ ଭୋଜନ ଖାଦ୍ୟ ହଡପ କରିଥିଲେ । ଏହି ଘଟଣାର ତଦନ୍ତ ପାଇଁ ମାର୍ଚ୍ଚ ୨ ତାରିଖରେ ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ ତଦନ୍ତ ନିର୍ଦ୍ଦେଶ ଦେଲେ । ଯୁଗ୍ମ ତଦନ୍ତ ଅଧିକାରୀ ଏହାର ତଦନ୍ତ କରି ମାର୍ଚ୍ଚ ୩ ତାରିଖରେ ତଦନ୍ତ ରିପୋର୍ଟ ନିଶ୍ଚିନ୍ତ କୋଇଲି ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଦେଲେ । କିନ୍ତୁ ଏଥିରେ ସେ ଚଂଚକତା କରି ମାର୍ଚ୍ଚ ୭ ତାରିଖ ଦିନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ଦେଲେ ।
କିନ୍ତୁ ଏହି ରିପୋର୍ଟ ରାଜ୍ୟ ନୋଡାଲ ଅଫିସରଙ୍କ ପାଖକୁ ଗଲା ନାହିଁ । ପ୍ରଥମ ତଦନ୍ତ ରିପୋର୍ଟକୁ ଚପେଇ ଦେବା ଯୋଗୁଁ ରାଜ୍ୟ ନୋଡାଲ ଅଫିସର ପୁନଃ ତଦନ୍ତ କରିବା ପାଇଁ ୧୭ ଜୁନ୍ ୨୦୨୦ରେ ନିର୍ଦ୍ଦେଶ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଯେ, ମଣ୍ଡଳ ଶିକ୍ଷା ଅଧିକାରୀ ଘଟଣାକୁ ଚପାଇ ଦେବା ପାଇଁ ଅପଚେଷ୍ଟା କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ? ଏହି ଘଟଣାକୁ ୭ ମାସ ବିତିଥିଲେ ବି ଦୁର୍ନୀତିରେ ଲିପ୍ତ ଥିବା ଜିଲ୍ଲା ଶିକ୍ଷା ଅଧିକାରୀ ନିରଜଂନ ସାହୁ ଅପରାଧୀଙ୍କୁ ଘଂଟ ଘୋଡାଇ ଚାଲିଛନ୍ତି । କଟକ ଜିଲ୍ଲାପାଳ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଚୁପ୍ ରହିବା ଦୁର୍ନୀତିକୁ ପ୍ରଶୟ ଦେଇ ସରକାରୀ ଅର୍ଥକୁ ହଡପ କରିବା ପାଇଁ ଏକ ବିଧିବଦ୍ଧ ଷଡଯନ୍ତ୍ର ଚଲାଇଛନ୍ତି ବୋଲି ଶାରଦା ପ୍ରଧାନ ଅଭିଯୋଗ କରିଛନ୍ତି ।
ସେହିପରି ମାହାଙ୍ଗା ବ୍ଲକରେ ଥିବା ଗୋକନ ହାଇସ୍କୁଲର ଜମି ପଟ୍ଟାକୁ ମିଥ୍ୟା ଦର୍ଶାଯାଇ ସେଠାରେ ସରକାରୀ ବିଦ୍ୟାଳୟ ପାଇଁ ଅନୁମତି ଅଣାଯାଇଛି । ଗତ ୨୦୧୫ରେ ଗୋକନ ହାଇସ୍କୁଲକୁ ରାଜ୍ୟ ସରକାର ଗ୍ରାଂଟଏଡ ପ୍ରଦାନ କରିଥିଲେ । ବେଆଇନ ଭାବେ ବିଦ୍ୟାଳୟ ନିର୍ମାଣ ହେଇଥିବା ନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ପଠାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ଗତ ୨୩ ଜୁଲାଇ ୨୦୧୬ ମସିହାରେ ବିଦ୍ୟାଳୟର ପ୍ଲଟ ନଂ -୧୧୭୮ ଖାତା ନଂ- ୮୬୮ ଗୋକନ ମୌଜାର ବୋଲି ଦର୍ଶାାଇଥିଲେ । କିନ୍ତୁ ବାସ୍ତବରେ ଏହି ପ୍ଲଟରେ କୌଣସି ଗୋକନ ହାଇସ୍କୁଲ ନିର୍ମାଣ ହୋଇନାହିଁ । ଏହି ଜାଲ୍ ପଟ୍ଟାରେ ସେକ୍ରେଟାରୀ ଗୋକନ ସ୍କୁଲ ଲେଖାଯାଇଛି କିନ୍ତୁ ପ୍ଲଟ ଉପରେ ଏକ ପଂଚାୟତ ଗୋଦାମ ଘର ରହିଛି ଏବଂ ଏହା ଏକ ଘରୋଇ ଜମି । ଏପରି ଏକ ମିଥ୍ୟା ଓ ଜାଲ୍ ପଟ୍ଟା ଦେଇ ସ୍କୁଲକୁ ମଂଜୁରୀ ଦିଆଯାଇଛି । ଯଦି ୨୦୧୬ରେ ସ୍କୁଲର ଜମି ନଥିଲା ତେବେ କେମିତି ଏବଂ କେଉଁ ଆଧାରରେ ୨୦୧୫ରେ ଗୋକନ ସ୍କୁଲକୁ ମଂଜୁରୀ ଦିଆଗଲା ବୋଲି ଶାରଦା ପ୍ରଧାନ ପ୍ରଶ୍ନ କରିଛନ୍ତି ।
ସେତେବେଳର ସ୍କୁଲ ସେକ୍ରେଟାରୀ ଏବେ ପଂଚାୟତ ସମିତି ଅଧ୍ୟକ୍ଷଙ୍କ ଥିବାବେଳେ ତାଙ୍କ ବିରୁଦ୍ଧରେ ରାଜ୍ୟ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓ ଶିକ୍ଷା ମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଶାରଦା ପ୍ରଧାନ ଦାବି କରିଛନ୍ତି । ଆଗାମୀ ଦିନରେ ବିଜେପି ରାଜ୍ୟ ସରକାରଙ୍କ ସମସ୍ତ ବିଭାଗରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଘୋଟାଲାକୁ ପର୍ଦ୍ଦାଫାଶ କରିବ । ଶିକ୍ଷାମନ୍ତ୍ରୀ ତୁରନ୍ତ ଏହି ସବୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ । ଦୁର୍ନୀତି କରିଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପ୍ରଧାନ ଚେତାବନୀ ଦେଇଛନ୍ତି ।