ଅପରାଧରାଜ୍ୟ

ସୌମ୍ୟରଂଜନ ମୃତୁ ମାମଲା : ବିବାହ ପୂର୍ବରୁ ହୋଇଥିଲା ଛାଡ଼ପତ୍ର ଚୁକ୍ତି

ସତ୍ୟଶିଖା(ନୂଆଦିଲ୍ଲୀ) ୧୯.୦୭.୨୦୨୧: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ଏବେ ରହସ୍ୟଘେରରେ ରହିଛି । ମୃତୁ୍ୟ ପଛର ପ୍ରକୃତ କାରଣ ଖୋଜିବାକୁ ପୁଲିସ ତଦନ୍ତକୁ ଜୋରଦାର କରିଛି । ତଦନ୍ତ ବେଳେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ତଥ୍ୟ ସାମନାକୁ ଆସୁଛି । ତେବେ ଏହା ଭିତରେ ପୁଣି ଏକ ବଡ଼ ଖବର ସାମନାକୁ ଆସିଛି ।  ଗଣମାଧ୍ୟମକୁ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ମୃତ ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମାମୁଁ ।  ଗଜପତି ପୁଲିସକୁ ସୌମ୍ୟଙ୍କ ମା’ଙ୍କ ବୟାନ ସମ୍ପର୍କରେ ମାମୁଁ ସୂଚନା ଦେଇଛନ୍ତି ।

ତାଙ୍କ ଅନୁସାରେ ବିବାହ ଆଗରୁ ହିଁ ଛାଡପତ୍ର ପାଇଁ ଚୁକ୍ତି ସରିଥିଲା । ଭାଣିଜି ବୋହୁ ଓ ଭଣଜା ମଧ୍ୟରେ ବିବାହ ପୂର୍ବରୁ ଗୋଟିଏ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ବାହାଘର ବର୍ଷକ ପରେ ଉଭୟଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ରହିବ ନାହିଁ । ଏହି ଅଭିଯୋଗ ସୌମ୍ୟଙ୍କ ମାମୁ କ୍ୟାମେରା ଆଗରେ କରିଛନ୍ତି । ତାଙ୍କ ଅଭିଯୋଗ ଯେ, ବିଦ୍ୟା ଭାରତୀଙ୍କର ଡିଏଫଓଙ୍କ ସହ ଅନୈତିକ ସମ୍ପର୍କ ଥିଲା ।

ଅନ୍ୟପକ୍ଷରେ ସୌମ୍ୟଙ୍କ ମାମୁ ଭଣଜା ଓ ବିଦ୍ୟା ଭାରତୀଙ୍କ ମଧ୍ୟରେ  ଦରମା ଓ ସ୍ତାବର ତଥା ଅସ୍ତାବର ସମ୍ପତ୍ତିକୁ ନେଇ ଚୁକ୍ତି ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ଅର୍ଥାତ ଜୁଲାଇ ୯ ତାରିଖ ୨୦୨୧ର ଏହି ଚୁକ୍ତିପତ୍ର ସୌମ୍ୟ ଓ ବିଦ୍ୟା ଭାରତୀ ପଣ୍ଡାଙ୍କ ମଧ୍ୟରେ ହୋଇଥିଲା । ଚୁକ୍ତି ଅନୁସାରେ ସୌମ୍ୟଙ୍କ ଦରମା ତଥା ସ୍ତାବର ଓ ଅସ୍ତାବର ସମ୍ପତ୍ତି ଉପରେ ବିଦ୍ୟା ଭାରତୀଙ୍କ ଅଧିକାର ରହିବ ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ,   ବାହାଘର ପରେ ବଲାଙ୍ଗିରରେ ବ୍ୟାଚଲର ପାର୍ଟି ହୋଇଥିଲା ।  ଉଭୟ ପତିପତ୍ନୀ ବଲାଙ୍ଗିର ଯାଇଥିଲେ । ତେବେ ସେଠାରୁ ସୌମ୍ୟଙ୍କୁ ବିଦା କରିଦେଲେ ।  ସୌମ୍ୟ ଫେରିବା ବେଳେ ତାଙ୍କୁ ପତ୍ନୀ ବିଦ୍ୟାଭାରତୀ ଟଙ୍କା ମାଗିଥିଲେ ।  ଟଙ୍କା ନଦେଲେ ଫଟୋ ପଠାଇବି ବୋଲି ବୋହୂ ଧମକ ଦେଇଥିଲେ ।  କିଛି ସମୟ ପରେ ସୌମ୍ୟଙ୍କ ମୋବାଇଲକୁ ଏକ ଫଟୋ ଆସିଥିଲା ।  ବୋହୂର ଖରାପ ଫଟୋ ଆସିଥିଲା, ଯାହା ଏବେ ମୋବାଇଲରେ ଅଛି ବୋଲି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମାମୁଁ କହିଛନ୍ତି ।

ତେବେ ଏହା ଭିତରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଆଜି କଟକସ୍ଥ ଡିଜିପି ଅଫସିରେ ଡିଜିପିଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଡିଜିପିଙ୍କୁ ଦେଇଥିବା ଦାବିପତ୍ରରେ ଅଭିରାମ ଏକ ସାଂଘାତିକ ତଥ୍ୟ ଦେଇଛନ୍ତି ।  ଘଟଣାପଛରେ ଗଜପତିର ଜଣେ ମହିଳା ଇନସ୍ପେକ୍ଟରଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି ।  ସମ୍ପୃକ୍ତ ମହିଳା ଗଜପତିର ଏକ ଥାନାରେ ଆଇଆଇସିଭାବେ ଅବସ୍ଥାପିତ ।  ସମ୍ପୃକ୍ତ ମହିଳା ଆଇଆଇସି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମ୍ପର୍କୀୟ ।  ଘଟଣା ଦିନ ରାସ୍ତାରେ ସମ୍ପୃକ୍ତ ମହିଳା  ଆଇଆଇସି  ଆମ୍ବୁଲାନ୍ସ ଅଟକାଇଥିଲେ ।  ପ୍ରାୟ ଘଣ୍ଟାଏ କାଳ ଆମ୍ବୁଲାନ୍ସ ଅଟକାଇଥିବା ଅଭିଯୋଗ ହୋଇଛି ।  ଆମ୍ବୁଲାନ୍ସ ଅଟକିବାରୁ ଚିକିତ୍ସାରେ ବିଳମ୍ବ ପାଇଁ ପୁଅ ମରିଗଲା ବୋଲି  ଅଭିରାମ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ତେଣୁ ସମ୍ପୃକ୍ତ ମହିଳା ଆଇଆଇସିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି ।
ଅନ୍ୟପକ୍ଷରେ  ଦାବିପତ୍ରରେ ୩ ଜଣଙ୍କ ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ଅଭିରାମ ଅନୁରୋଧ କରିଛନ୍ତି ।  ବୋହୂ, ଡିଏଫଓ ଓ ରୋଷେୟାଙ୍କ ଲାଇ ଡେଟେକ୍ସନ ଟେଷ୍ଟ କରାଯିବାକୁ ସେ ଦାବି କରିଛନ୍ତି । ଏଥିସହ ସମଗ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବାକୁ ବି ସେ ଦାବି କରିଛନ୍ତି ।  ଗୁରୁତର ସୌମ୍ୟଙ୍କୁ ବ୍ରହ୍ମପୁର ପରିବର୍ତ୍ତେ କଟକ କାହିଁକି ନିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଫରେଷ୍ଟ ଅଫିସ ଆଗରେ ଆମ୍ବୁଲାନ୍ସ ଅଟକିବା ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।
ପ୍ରକାଶ ଯେ,  ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ନିଆଁରେ ପୋଡ଼ି ହୋଇ ମୃତୁ୍ୟବରଣ କରିଥିବା କୁହାଯାଉଥିବାବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।

Show More
Back to top button