

ସତ୍ୟଶିଖା (ଭୁବନେଶ୍ୱର)୩୦.୧୨.୨୦୨୧: ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଗକୁ ଆସୁଛି ନୂଆବର୍ଷ । ତେବେ ନୂଆବର୍ଷ ପାଇଁ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ଏବେ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ନୂଆ କଟକଣା ଜାରି କରାଯାଇଛି । ଆଜି ଆଉ ୫ ଜଣ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ଏହି ଘାତକ ଭ୍ୟାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଯାହାପରେ ରାଜ୍ୟରେ ବଢିଛି ଓମିକ୍ରନ୍ ଭୟ ।କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ବିଏମସି ୩୧ ଡିସେମ୍ବରରୁ ୨ ଜାନୁଆରୀ ପର୍ଯ୍ୟନ୍ତ କଟକଣା ଜାରି କରିଛି । ନୂଆବର୍ଷରେ ବିଭିନ୍ନ ଧର୍ମାନୁଷ୍ଠାନରେ ଭିଡ ଆଶଙ୍କାକୁ ଏଡାଇବାକୁ ଆଗାମୀ ୩ ଦିନ ଭକ୍ତଙ୍କ ପାଇଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ ।
ଏହି ସମୟରେ ମନ୍ଦିର, ମସଜିଦ୍, ଗୁରୁଦ୍ୱାରା, ଚର୍ଚ୍ଚ ଭକ୍ତଙ୍କ ପାଇଁ ବନ୍ଦ ରହିବ । କାରଣ ନୂଆବର୍ଷରେ ବିଭିନ୍ନ ଧର୍ମାନୁଷ୍ଠାନରେ ଭିଡ ପରିଲିକ୍ଷିତ ହୋଇଥାଏ । ତେଣୁ ଅଯଥା ଭିଡ଼ ଏଡାଇବାକୁ ଏଭଳି ନିଷ୍ପତ୍ତି ନେଇଛି ବିଏମସି । ତେବେ ଏହି ସମୟରେ ଧର୍ମାନୁଷ୍ଠାନରେ ଠାକୁରଙ୍କ ରୀତିନୀତି ପୂର୍ବଭଳି ଜାରି ରହିବ ବୋଲି ବିଏମସିର ଗାଇଡଲାଇନରେ ଦର୍ଶାଯାଇଛି ।