ଅପରାଧଦେଶନ୍ୟୁଜ୍ରାଜ୍ୟ

ଶୁଭ୍ରାଙ୍କୁ କୋଲକାତା ନେଇ ମାରାଥନ୍ ଜେରା

ସତ୍ୟଶିଖା (ଭୁବନେଶ୍ୱର) ୧୯/୦୧/୨୦୨୧ : ବହୁ ଚର୍ଚ୍ଚିତ ରୋଜ୍‌ଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ନିର୍ଦ୍ଦେଶିକା ତଥା କମ୍ପାନିର ମୁଖ୍ୟ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଆଜିଠୁ ମାରାଥନ୍ ଜେରା ଆରମ୍ଭ ହୋଇଛି । ୫ ଦିନିଆ ରିମାଣ୍ଡ ମିଳିବା ପରେ ସିବିଆଇର ସ୍ବତନ୍ତ୍ର ଟିମ୍ ଶୁଭ୍ରାଙ୍କୁ ପୁଣିଥରେ କୋଲକାତାକୁ ନେଇ ଜେରା ଆରମ୍ଭ କରିଛି । ପ୍ରାୟ ୪ ବର୍ଷ ଧରି ଫେରାର ଥିବା ଶୁଭ୍ରା କେଉଁଠି ଲୁଚିଥିଲେ, କେତେ ପ୍ରମାଣ ନଷ୍ଟ କରିଛନ୍ତି, କେଉଁଠି ପ୍ରମାଣ ଲୁଚାଇଛନ୍ତି ଏବଂ ଠକେଇ ସମ୍ପର୍କରେ ତାଙ୍କ ନିକଟରେ କଣ ସବୁ ତଥ୍ୟ ରହିଛି ସେ ନେଇ ସିବିଆଇ ତଦନ୍ତକାରୀ ଅଧିକାରୀ ଜେରା ଚଳାଇଛନ୍ତି ।

ସବୁଠାରୁ ବଡ଼ କଥା ହେଲା ରୋଜ୍‌ଭ୍ୟାଲି ଚିଟଫଣ଼୍ଡ କମ୍ପାନିର ଓଡ଼ିଶା ଲିଙ୍କ୍ ନେଇ ଆରମ୍ଭ ହୋଇଛି ତନାଘନା । ଓଡ଼ିଶାରେ କିଏ କିଏ ସମ୍ପୃକ୍ତ, କମ୍ପାନି ଯେତେବେଳେ ଚଟ୍‌ଫଣ୍ଡ ଜାଲ ବିଛାଇଥିଲା, ଏଠି କେଉଁମାନେ ସହଯୋଗ କରୁଥି‌ଲେ? ବାଲେଶ୍ୱର, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁରରେ କେଉଁମାନେ କମ୍ପାନି ଶାଖାର ମଙ୍ଗ ଧରିଥିଲେ, ସେମାନେ ଏବେ କେଉଁଠି, ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ।ଉଲ୍ଲେଖଯୋଗ୍ୟ, ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ୨୦୧୫ରେ ସିବିଆଇ ୧୦ଟି ରାଜ୍ୟରେ ୪୩ଟି ସ୍ଥାନରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଓଡ଼ିଶାର ଶାସକ ଦଳର କେତେକ ନେତାଙ୍କ ସହ କମ୍ପାନି ନିର୍ଦ୍ଦେଶକଙ୍କ ଫଟୋ ଜବତ କରାଯାଇଥିଲା । କମ୍ପାନିର ଉତ୍ସବ ସମେତ ବିଭିନ୍ନ କାର୍ଯ୍ୟକ୍ରମର ଏହିସବୁ ଫଟୋରେ ନେତାମାନେ ଉପସ୍ଥିତ ଥିଲେ । ରୋଜଭ୍ୟାଲି କମ୍ପାନି ସହ କେବଳ ପଶ୍ଚିମବଙ୍ଗର ଟିଏମ୍‌ସି ନେତା ନୁହନ୍ତି; ଓଡ଼ିଶାର କେତେକ ନେତା ମଧ୍ୟ ସମ୍ପୃକ୍ତ ଥିବା ଚର୍ଚ୍ଚା ହୋଇଥିଲା । ନଚେଚ୍ କମ୍ପାନି ରାଜ୍ୟରେ ୬୫ ଶାଖା ଖୋଲି ୫ ଶହ କୋଟି ଟଙ୍କା ଠକେଇ କରିବାକୁ ସାହସ କରିପାରି ନ ଥାନ୍ତା । ସେତେବେଳେ କିଛି ଟିଏମସି ନେତା ଗିରଫ ହୋଇଥିବା ବେଳେ ଏବେ ଓଡ଼ିଶାର କେଉଁ ନେତାଙ୍କ ସମ୍ପୃକ୍ତି ରହିଛି ତାହାର ପ୍ରମାଣ ଖୋଜୁଛି ସିବିଆଇ । ଶୁଭ୍ରାଙ୍କୁ ଜେରା ସମୟରେ ଏ ସବୁର ଗୁମର ଖୋଲିବ ବୋଲି କୁହାଯାଉଛି ।ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରାୟ ୬୫ଟି ଶାଖା ଖୋଲି ଲୋକଙ୍କୁ ଜମା ଟଙ୍କାର ଦୁଇ ଗୁଣା ଲୋଭ ଦେଖାଇ ୫ ଶହ କୋଟି ଟଙ୍କା ଠକିଥିଲା ରୋଜଭ୍ୟାଲି । ଏ ନେଇ ରାଜ୍ୟର ବିଭିନ୍ନ ଥାନାରେ ୨୫ଟି ଅଭିଯୋଗ ହୋଇଥିଲା । ୨୦୧୩ ଜୁନ୍‌ ମାସରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ବିଭିନ୍ନ ସ୍ଥାନରେ ଚଢ଼ଉ କରି ବାଲେଶ୍ୱର ଓ ପୁରୀରେ ୧୭ ଏକର ଜମି, ୫୩ କୋଟି ଟଙ୍କାର ବ୍ୟାଙ୍କ ଜମା ଜବତ କରିବା ସହ ମୋଟ ୧୨ ଜଣଙ୍କୁ ଗିରଫ କରିଥିଲା । ୨୦୧୪ରେ ଜବତ ହୋଇଥିବା ପ୍ରାୟ ୬୩ କୋଟି ୬୪ ଲକ୍ଷ ଟଙ୍କାର ସମ୍ପତ୍ତିକୁ ନିଲାମ କରି ଏହାର ଲବ୍ଧ ଅର୍ଥ ଜମାକାରୀଙ୍କୁ ଫେରସ୍ତ ଲାଗି ଇଓଡବ୍ଲୁ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖା ଯାଇଥିଲା ।ତେବେ ୨୦୧୪ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ମାମଲାର ତଦନ୍ତ ଭାର ନେଇଥିଲା । ୨୦୧୫ ସେପ୍ଟେମ୍ବର ୧୮ରେ କମ୍ପାନୀର ଦୁଇ ନିର୍ଦ୍ଦେଶକ ଶିବମୟ ଦତ୍ତ ଓ ଅଶୋକ କୁମାର ଶାହଙ୍କୁ ସିବିଆଇ ଗିରଫ କରିଥିଲା । ୨୦୧୬ ଜୁନରେ କମ୍ପାନି ମୁଖ୍ୟ ଗୌତମ କୁଣ୍ଡୁ ମଧ୍ୟ କୋଲକାତାରୁ ଗିରଫ ହୋଇଥିଲେ । ଏହା ପରେ ୨୦୧୭ ଜାନୁଆରିରେ ଟିଏମସିର ହେଭିୱେଟ ନେତା ସୁଦୀପ ବନ୍ଦୋପାଧ୍ୟୟଙ୍କୁ ଗିରଫ କରିଥିଲା ସିବିଆଇ । କିନ୍ତୁ ଗୌତମଙ୍କ ପତ୍ନୀ ଶୁଭ୍ରା ଦୀର୍ଘ ବର୍ଷ ଧରି ଫେରାର ଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଥିଲା ।

Show More
Back to top button