ଧର୍ମନ୍ୟୁଜ୍ସ୍ପେଶାଲ୍ ରିପୋର୍ଟ

ଶ୍ରୀମନ୍ଦିରରେ “ଅମୃତ ଅନ୍ନ’ ସ୍ୱତନ୍ତ୍ର ପ୍ରକଳ୍ପ l

ସତ୍ୟଶିଖା : ୧୩/୦୨/୨୦୨୫ :

ଜୈବିକ ଅନ୍ନରୁ ପ୍ରସ୍ତୁତ ମହାପ୍ରସାଦ, ଆନନ୍ଦବଜାରର ସ୍ୱତନ୍ତ୍ର କାଉଣ୍ଟରରେ ମିଳିବ । ପ୍ରାରମ୍ଭିକ ପର୍ଯ୍ୟାୟରେ କୋଠଭୋଗରେ ବ୍ୟବହାର ହେବ ଜୈବିକ ଚାଉଳ । ଶ୍ରୀଗୁଣ୍ଡିଚା ବେଳେ ସମ୍ପୂର୍ଣ୍ଣ ଲାଗି ହେଉଥିବା ଭୋଗରେ ଜୈବିକ  ଚାଉଳ ଓ ପନିପରିବା ବ୍ୟବହାର ହେବ । କୃଷି ଭବନରେ ଶ୍ରୀମହାପ୍ରସାଦ ପ୍ରସ୍ତୁତିରେ ଜୈବିକ ଚାଉଳର ବ୍ୟବହାର ନେଇ ପରାମର୍ଶ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାପ୍ରସାଦକୁ ରସାୟନମୁକ୍ତ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିରର ମହାପ୍ରସାଦରେ ଜୈବିକ  ଚାଉଳ ଏବଂ ପନିପରିବାର ବ୍ୟବହାର ନିଷ୍ପତ୍ତିକୁ ସୁଆର- ମହାସୁଆର ନିଯୋଗ ତଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ  ସିଂହଦେଓ ମଧ୍ୟ ଜୈବିକ କୃଷିକୁ ସମର୍ଥନ ଦେଇଛନ୍ତି ।

ପ୍ରାରମ୍ଭିକ ଭାବେ ରାଜ୍ୟରେ ଉତ୍ପାଦିତ ହେଉଥିବା କଳାଜିରା, ପିମ୍ପୁଡ଼ିବାସ, ଯୁବରାଜ ଦେଶୀୟ ପ୍ରଜାତିର  ଜୈବିକ ଚାଉଳ ଏହି “ଅମୃତ ଅନ୍ନ’ ମହାପ୍ରସାଦରେ ବ୍ୟବହୃତ ହେବ । ଏଥିମଧ୍ୟରୁ କଳାଜିରା ଧାନ ଜିଆଇ ଟାଗ୍‌ରେ ସ୍ଥାନିତ ହୋଇଛି । ଓଡ଼ିଶା ଚାଉଳ ଉତ୍ପାଦକତାରେ ଜାତୀୟ ହାରଠାରୁ ଆଗରେ ରହିଛି । ଚଳିତ ବର୍ଷ କୋରାପୁଟର ୧୩୬୫ ଏକର ଜମିରେ କଳାଜିରା ଚାଉଳ ଚାଷ ହୋଇଛି । କୋଟପାଡ଼ରେ ପ୍ରଥମ ଥର ପାଇଁ କଳାଜିରା ଧାନର ମଣ୍ଡି ଖୋଲାଯାଇଛି ।

ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ଅର୍ଗାନିକ୍‌ ସାର୍ଟିଫିକେସନ୍‌, ସବ୍‌ସିଡ଼ିର ପ୍ରସ୍ତାବ ରହିଛି । ଏଥିସହ କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ)ମାନଙ୍କୁ  କ୍ଲଷ୍ଟର ଆପ୍ରୋଚ୍‌ ମାଧ୍ୟମରେ ଜୈବିକ ଚାଉଳ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଦିଆଯିବ । ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବାକୁ ଏକ ପରିଚାଳନା କମିଟି  ଗଢ଼ାଯିବ । ସେହି କମିଟିରେ ଶ୍ରୀମନ୍ଦିର ପ୍ରଶାସନ, ସୁଆର-ମହାସୁଆର ନିଯୋଗ  ପ୍ରତିନିଧିଙ୍କ ସମେତ ଅନ୍ୟ ଉତ୍ପାଦକ ଗୋଷ୍ଠୀର ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ  ସଦସ୍ୟ ରହିବେ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦ରୁ ୨୦୦ ଏକର ଜମିରେ ଜୈବିକ ଚାଉଳ ଉତ୍ପାଦନର ଲକ୍ଷ୍ୟ ରହିଛି । ବୈଠକରେ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ଓୟୁଏଟିର ଡିନ୍‌ ପ୍ରଫେସର  ପ୍ରସନ୍ନଜିତ ମିଶ୍ର, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର  କୁମାର ସାହୁ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।

Show More
Back to top button