ସତ୍ୟଶିଖା (ଭୁବନେଶ୍ୱର) ୨୬/୧୨/୨୦୨୦ : ବିଜୁ ଜନତା ଦଳ (ବିଜେଡି)ର ପ୍ରତିଷ୍ଠା ଦିବସରେ ମହିଳା କାର୍ଡ ଖେଳିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ମହିଳା ସଶକ୍ତୀକରଣକୁ ବିଜେଡି ଅଗ୍ରାଧିକାର ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଭିଡିଓ କନ୍ଫରେନ୍ସିଂ ଜରିଆରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦବୋଧନ ଦେଇ ନବୀନ କହିଥିଲେ, ମା’ମାନେ ଆଗେଇଲେ ସମାଜ ଓ ଦେଶ ଆଗେଇବ । ପଞ୍ଚାୟତ ଏବଂ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ବିଜେଡି ୫୦% ସଂରକ୍ଷଣ କରିଛି । ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ପାଇଁ ବିଜେଡି ଲଢୁଛି ।
ନବୀନ କହିଥିଲେ, ନିର୍ବାଚନ ଆସିଲେ ଜାତୀୟ ଦଳଗୁଡ଼ିକ ଇସ୍ତାହାରରେ ପ୍ରତିଶ୍ରୁତି ଦିଅନ୍ତି, ନିର୍ବାଚନ ସରିଗଲେ ସେମାନେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତି । କିନ୍ତୁ ଆମେ କଥା ନୁହେଁ, କାମରେ ବିଶ୍ଵାସ କରୁ । ୨୦୧୯ ନିର୍ବାଚନରେ ବିଜେଡି ମହିଳାଙ୍କୁ ଅଗ୍ରାଧିକାର ଦେଇଥିଲା । ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ୩୩% ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଥିଲା । ଲୋକସଭା, ରାଜ୍ୟସଭା, ବିଧାନସଭା ଅଧିବେଶନରେ ଦାବି ଦୃଢ଼ କରିବୁ । ପ୍ରତି ଅଧିବେଶନରେ ମହିଳାଙ୍କୁ ସଂରକ୍ଷଣ ନେଇ ବିଜେଡି ସ୍ବର ଦୃଢ଼ କରିବ । ମହିଳାଙ୍କୁ ସେମାନଙ୍କ ହକ୍ ମିଳିବା ଯାଏ ବିଜେଡି ଲଢ଼େଇ ଜାରି ରଖିବ । ଏହାକୁ ଆମେ ଏକ ଆନ୍ଦୋଳନର ରୂପ ଦେବୁ ବୋଲି ନବୀନ କହିଛନ୍ତି ।