ରାଜନୀତିରାଜ୍ୟ

ପ୍ରତିଷ୍ଠା ଦିବସରେ ମହିଳା କାର୍ଡ ଖେଳିଲେ ନବୀନ

ସତ୍ୟଶିଖା (ଭୁବନେଶ୍ୱର) ୨୬/୧୨/୨୦୨୦ : ବିଜୁ ଜନତା ଦଳ (ବିଜେଡି)ର ପ୍ରତିଷ୍ଠା ଦିବସରେ ମହିଳା କାର୍ଡ ଖେଳିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ମହିଳା ସଶକ୍ତୀକରଣକୁ ବିଜେଡି ଅଗ୍ରାଧିକାର ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦବୋଧନ ଦେଇ ନବୀନ କହିଥିଲେ, ମା’ମାନେ ଆଗେଇଲେ ସମାଜ ଓ ଦେଶ ଆଗେଇବ । ପଞ୍ଚାୟତ ଏବଂ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ବିଜେଡି ୫୦% ସଂରକ୍ଷଣ କରିଛି । ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ପାଇଁ ବିଜେଡି ଲଢୁଛି ।

ନବୀନ କହିଥିଲେ, ନିର୍ବାଚନ ଆସିଲେ ଜାତୀୟ ଦଳଗୁଡ଼ିକ ଇସ୍ତାହାରରେ ପ୍ରତିଶ୍ରୁତି ଦିଅନ୍ତି, ନିର୍ବାଚନ ସରିଗଲେ ସେମାନେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତି । କିନ୍ତୁ ଆମେ କଥା ନୁହେଁ, କାମରେ ବିଶ୍ଵାସ କରୁ । ୨୦୧୯ ନିର୍ବାଚନରେ ବିଜେଡି ମହିଳାଙ୍କୁ ଅଗ୍ରାଧିକାର ଦେଇଥିଲା । ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ୩୩% ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଥିଲା । ଲୋକସଭା, ରାଜ୍ୟସଭା, ବିଧାନସଭା ଅଧିବେଶନରେ ଦାବି ଦୃଢ଼ କରିବୁ । ପ୍ରତି ଅଧିବେଶନରେ ମହିଳାଙ୍କୁ ସଂରକ୍ଷଣ ନେଇ ବିଜେଡି ସ୍ବର ଦୃଢ଼ କରିବ । ମହିଳାଙ୍କୁ ସେମାନଙ୍କ ହକ୍‌ ମିଳିବା ଯାଏ ବିଜେଡି ଲଢ଼େଇ ଜାରି ରଖିବ । ଏହାକୁ ଆମେ ଏକ ଆନ୍ଦୋଳନର ରୂପ ଦେବୁ ବୋଲି ନବୀନ କହିଛନ୍ତି ।ସୂଚନାଯୋଗ୍ୟ, କ୍ରମାଗତ ଭାବେ ପଞ୍ଚମଥର ପାଇଁ ରାଜ୍ୟ ଶାସନ ଗାଦିରେ ଥିବା ବିଜୁ ଜନତା ଦଳ ସରକାର ଶନିବାର ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ଦଳର ନେତା ଓ କର୍ମୀମାନେ ପ୍ରତିଷ୍ଠା ଦିବସରୁ ଜନସେବାରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଦଳର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତା, ଜିଲା ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟିକା, ବିଧାୟକ ପ୍ରାର୍ଥୀ, ପ୍ରମୁଖ ଦଳୀୟ ସଙ୍ଗଠନର ରାଜ୍ୟ ସଭାପତି, ଜିଲା, ବ୍ଲକ ଓ ନଗର ସଭାପତିଙ୍କୁ ପତ୍ର ଲେଖି ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟବାସୀଙ୍କ ସେବାରେ ନିଜକୁ ପୁନଃ ସମର୍ପିତ କରି ରାଜ୍ୟ ପାଇଁ ପ୍ରତିବଦ୍ଧତା ଦୋହରାଇବାକୁ ସେ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି । ଜନସେବାକୁ ଆମ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରି କାମ କରିବାକୁ ପରାମର୍ଶ ଦେଇଛନ୍ତି ।

Show More
Back to top button