

ସତ୍ୟଶିଖା( ଭୁବନେଶ୍ୱର )୧୨.୦୪.୨୦୨୨ :ରାଜଧାନୀ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ବେଆଇନ ଦର୍ଶାଇ ହାଟ ଉଚ୍ଛେଦ କରାଯାଇଥିବା ଘଟଣାରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅପରାଜିତା ବ୍ୟବଦାୟୀଙ୍କୁ ଭେଟି ସମବେଦନା ଜଣାଇବା ସହ ରାତିରେ ନୋଟିସ୍ ଦେଇ ସକାଳୁ ଉଚ୍ଛେଦ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ଏ ସମ୍ପର୍କରେ ଶ୍ରୀମତି ଷଡ଼ଙ୍ଗୀ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ସହ ଆଲୋଚନା କରିବା ପରେ ବିଏମ୍ସିକୁ କ୍ଷତିପୂରଣ ସମ୍ପର୍କିତ ଚିଠି କରିଛନ୍ତି । ୭ ଦିନ ମଧ୍ୟରେ ବ୍ୟବସାୟୀଙ୍କୁ କ୍ଷତିପୂରଣ ପ୍ରଦାନ ସମେତ ଉପଯୁକ୍ତ ଜାଗା ଯୋଗାଇବା ପାଇଁ ସେ ଚିଠିରେ ଦାବି କରିଛନ୍ତି । ସେହିପରି ଉଚ୍ଛେଦସ୍ଥଳରେ ମାର୍କେଟ୍ କମ୍ପେ୍ଲକ୍ସ ହେଲେ କ୍ଷତିଗ୍ରସ୍ତ ୪୩୦ ଜଣଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାନ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।ସୂଚନାଯୋଗ୍ୟ ଗତ ଦୁଇଦିନ ତଳେ ଝାରପଡ଼ା ହାଟରେ ବିଏମ୍ସି ପକ୍ଷରୁ ରାତିରେ ନୋଟିସ୍ କରାଯାଇ ସକାଳ ୯ଟାରେ କେତେକ ଦୋକାନକୁ ବେଆଇନ ଦର୍ଶାଇ ଉଚ୍ଛେଦ କରାଯାଇଥିଲା । ଘଟଣାକୁ ନେଇ କ୍ଷତିଗ୍ରସ୍ତ ବ୍ୟବସାୟୀ ରାସ୍ତାରୋକ କରିବା ସହ ଉଚ୍ଛେଦକୁ କଡ଼ା ନିନ୍ଦା କରିଥିଲେ ଏବଂ ରାଜନୈତିକ ସନ୍ଧି ପାଇଁ ସ୍ଥାନୀୟ କର୍ପୋରେଟର୍ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ କରିଥିଲେ ।