ତିନି ବର୍ଷ ମଧ୍ୟରେ ପ୍ରତି ଗାଁକୁ ‘ହାଇ-ସ୍ପିଡ୍’ ଇଣ୍ଟର୍ନେଟ୍ ସେବା ଯୋଗାଇ ଦିଆଯିବ

ସତ୍ୟଶିଖା(ନୂଆଦିଲ୍ଲୀ) ୦୮/୧୨/୨୦୨୦ : ତିନି ବର୍ଷ ମଧ୍ୟରେ ପ୍ରତି ଗାଁରେ ‘ହାଇ-ସ୍ପିଡ୍ ଫାଇବର୍ ଅପ୍ଟିକ୍ ଡାଟା’ ସଂଯୋଗ କରାଯିବ ବୋଲି ମଙ୍ଗଳବାର ଦିନ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ‘ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସ୍ ୨୦୨୦’ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଉଦ୍ଘାଟନୀ ଭାଷଣରେ ପ୍ରଧାନମନ୍ତ୍ରୀ ଭାରତର ଡିଜିଟାଲ୍ ଟେକ୍ନୋଲୋଜି ଉପରେ ଗୁରୁତ୍ବାରୋପ କରି କହିଲେ ଯେ, ମୋବାଇଲ୍ ନିର୍ମାଣ ନିମନ୍ତେ ଭାରତ ଦୁନିଆର ସବୁଠୁ ଅଧିକ ପସନ୍ଦଯୋଗ୍ୟ ସ୍ଥାନ ହେବାକୁ ଯାଉଛି । ସେ ଆହୁରି ମଧ୍ୟ କହିଲେ ଯେ, ଭାରତରେ ‘ଆପ୍ଲିକେସନ୍ ମାର୍କେଟ୍’ର ଦ୍ରୁତ ଅଭିବୃଦ୍ଧି ଘଟୁଥିବା ବେଳେ ମୋବାଇଲ୍ ‘ତାରିଫ୍’ ମଧ୍ୟ ସବୁଠୁ କମ୍ ରହିଛି । ପ୍ରଯୁକ୍ତିବିଦ୍ୟାର ଉନ୍ନତିକରଣ ଯୋଗୁଁ ସବୁବେଳେ ହ୍ୟାଣ୍ଡ୍ସେଟ୍ ଓ ଗ୍ୟାଜେଟ୍ ପରିବର୍ତ୍ତନ କରିବା ଆମ ସଂସ୍କୃତି ପାଲଟି ଗଲାଣି । ଇଲେକ୍ଟ୍ରୋନିକ୍ ଆବର୍ଜନା ପରିଚାଳନା କରି ସେଥିରୁ ଅର୍ଥନୀତି ସୃଷ୍ଟି କରିବା ନିମନ୍ତେ ନୂଆ ଉପାୟ ଚିନ୍ତା କରିବାକୁ ମୋବାଇଲ୍ ଶିଳ୍ପ ଏକ ଟାସ୍କ୍-ଫୋର୍ସ ଗଠନ କରି ପାରିବ କି ବୋଲି ସେ ପ୍ରଶ୍ନ କରିଥିଲେ ।ପ୍ରଧାନମନ୍ତ୍ରୀ ପୁଣି କହିଲେ, ଭବିଷ୍ୟତରେ ଠିକ୍ ସମୟରେ ୫ଜି ପ୍ରଚଳନ କରି ନିୟୁତ ନିୟୁତ ଭାରତୀୟଙ୍କୁ ସଶକ୍ତ କରିବା ନିମନ୍ତେ ଆମେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ମୋବାଇଲ୍ଟେକ୍ନୋଲୋଜି ବଳରେ ହିଁ ଆମେ କୋଟି କୋଟି ଭାରତୀୟଙ୍କୁ କୋଟି କୋଟି ଡଲାର୍ ଯୋଗାଇ ଦେଇ ପାରୁଛନ୍ତି । ମୋବାଇଲ୍ ଟେକ୍ନୋଲୋଜି ବଳରେ ହିଁ ଆମେ ମହାମାରୀ ସମୟରେ ଗରିବ ଏବଂ ବିପଦଗ୍ରସ୍ତମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ପାରିଛନ୍ତି । ଚାଲନ୍ତୁ, ଭାରତକୁ ଟେଲିକମ୍ ଉପକରଣ, ଡିଜାଇନ୍, ଉନ୍ନତିକରଣ ଏବଂ ନିର୍ମାଣର ବୈଶ୍ବିକ ହବ୍ ବା ନାଭିଚକ୍ର କରିବା ପାଇଁ ସମସ୍ତେ କାର୍ଯ୍ୟ କରିବା ।