ରାଜ୍ୟ

ଆଜି ୯ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ସମ୍ଭାବନା

ସତ୍ୟଶିଖା(ଭୁବନେଶ୍ୱର ) ୧୩.୦୮ .୨୦୨୧: ରାଜ୍ୟର ୨୪ ଜିଲ୍ଲାରେ ଅଭାବୀ ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପ୍ରକାଶ କରିଛି । କୋରାପୁଟ୍‌, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ନୂଆପଡ଼ା ମୋଟ ୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ପାଣିପାଗ କେନ୍ଦ୍ର ଜାରି ତଥ୍ୟରୁ ପ୍ରକାଶ ପାଇଛି । ୨୪ ଅଭାବୀ ଜିଲ୍ଲା ମଧ୍ୟରୁ ଯାଜପୁର, ଭଦ୍ରକ, ଗଜପତି, ବଲାଙ୍ଗିର, କେନ୍ଦୁଝର ଓ ଝାରସୁଗୁଡ଼ା ଆଦି ୬ ଜିଲ୍ଲାରେ ନିଅଣ୍ଟ ବର୍ଷା ପରିମାଣ ୪୦% ଉପରେ ରହିଛି । ବାକି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ପରିମାଣ ୨୦ରୁ ୩୯% ମଧ୍ୟରେ ରହିଛି । ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ସାଧାରଣତଃ ଶ୍ରାବଣ ମାସରେ ରାଜ୍ୟରେ ଅଧିକ ପରିମାଣର ବର୍ଷା ରେକର୍ଡ ହୁଏ, କିନ୍ତୁ ଚଳିତବର୍ଷ ଧାରା ଶ୍ରାବଣରେ ଧରା ଶୁଖିଲା ପଡ଼ିଥିବା ପରିଲିକ୍ଷିତ ହୋଇଛି ।

ପାଣି ଅଭାବରୁ ମାଟି ଫାଟି ଆଁ କରିଥିବାବେଳେ ହେକ୍ଟର ହେକ୍ଟର ଜମିରେ ଲଗାଯାଇଥିବା ତଳି ମରିଗଲାଣି । ଶ୍ରାବଣ ମାସରେ ବର୍ଷାର ଦେଖା ନ ଥିବାରୁ ମୁଣ୍ଡରେ ହାତ ଦେଇ ପ୍ରମାଦ ଗଣିଲାଣି ଚାଷୀ । ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନା ମୁତାବକ, ଏଯାବତ୍ ଓଡ଼ିଶାରେ ସ୍ୱାଭାବିକ ବର୍ଷା ପରିମାଣ ୭୧୭ ମିମି ହେବାର ଥିଲା । ହେଲେ ଏବେ ସୁଦ୍ଧା ୪୯୮ ମିମି ବର୍ଷା ହୋଇଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୩୦% ନିଅଣ୍ଟିଆ ରହିଛି । ମୌସୁମୀ ଜନିତ ନିମ୍ନଚାପରେଖା ଉତ୍ତର ପଟେ ରହିଥିବାରୁ ଓଡ଼ିଶାରେ ବୃଷ୍ଟିପାତ କମ ହୋଇଛି ।
ଆସନ୍ତା ୭୨ ଘଣ୍ଟା ଯାଏଁ ରାଜ୍ୟର ଏକାଧିକ ଜିଲ୍ଲାକୁ କାଳବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିବା ସମ୍ଭାବନା ରହିଛି ।

୧୬ ତାରିଖ ଦିନ ବର୍ଷାର ପରିମାଣ ବୃଦ୍ଧିପାଇବ । ୧୬  ରୁ ୨୩ ଅଧିକ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଜି ରାଜ୍ୟର ୯ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ସମ୍ଭାବନା ଥିବା ଶ୍ରୀ ଦାସ କହିଛନ୍ତି । ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ମାଲକାନାଗିରି, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାବାଦ୍ ରାଜ୍ୟର ଏକାଧିକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂବାନୁମାନ କରିଛି ।

ସେହିପରି ଆସନ୍ତା ୧୫ରୁ ୧୬ ତାରିଖ ମଧ୍ୟରେ ରାଜ୍ୟରେ ମୌସୁମୀ ବାୟୁ ସ୍ୱାଭାବିକ ପରିସ୍ଥିତିକୁ ଫେରିବ, ବର୍ଷାର ପରିମାଣ ବଢ଼ିବା ସହ ଚାଷ କାମ ଆଗେଇବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । କେନ୍ଦ୍ରର ଆକଳନ ଅନୁଯାୟୀ, ବିହାର, ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ମଧ୍ୟରେ ଏକ ନିମ୍ନଚାପ ରେଖା ସମୁଦ୍ର ପତ୍ତନଠାରୁ ୧.୫ ଉଚ୍ଚରେ ଲମ୍ବିଛି । ଏହାର ପ୍ରଭାବରେ ଆସନ୍ତା କିଛି ଦିନ ବର୍ଷା ପରିମାଣ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

Show More
Back to top button