
ସତ୍ୟଶିଖା (ଭୁବନେଶ୍ୱର) ୧୧/୦୧/୨୦୨୧ : ସଡ଼କ ଦୁର୍ଘଟଣାରେ ମୃତାହତ ସଂଖ୍ୟା କମାଇବାକୁ ଟ୍ରାଫିକ୍ ନିୟମକୁ କଡ଼ାକଡ଼ କରିଛନ୍ତି ସରକାର । ବାଇକ୍ ପଛରେ ବସି ଯାଉଥିବା ଆରୋହୀଙ୍କ ପାଇଁ ମଧ୍ୟ ହେଲମେଟ୍ ବାଧ୍ୟତାମୂଳକ କରାଯାଇଛି । ଅମାନିଆଙ୍କଠାରୁ କରିମାନା ବି ଆଦାୟ କରାଯାଉଛି । କିନ୍ତୁ ପୋଲିସର ଏପରି ତଣ୍ଡରୁ ବର୍ତ୍ତିବା ପାଇଁ ଲୋକେ କାମଚଳା ଉପାୟ ବାଛିଛନ୍ତି । ରାସ୍ତାକଡ଼ରେ ମିଳୁଥିବା ଶସ୍ତା ଓ ନକଲି ହେଲ୍ମେଟ୍ ପିନ୍ଧୁଛନ୍ତି । ଦୁର୍ଘଟଣା ବେଳେ ବିପଦକୁ ଆମନ୍ତ୍ରଣ କରୁଛନ୍ତି ।
ରାଜଧାନୀର ରାଜରାସ୍ତା ହେଉ କି ୧୬ ନମ୍ବର ଜାତୀୟ ରାଜପଥ । ସବୁଠି ରାସ୍ତାକଡ଼ରେ ଖେଳି ଯାଇଛି ନକଲି ହେଲ୍ମେଟ୍ର ପସରା । କିଛି ବେପାରୀ ଠେଲା ଦୋକାନ ଖଣ୍ଡେ ପକାଇ ସେଠି ବେନାମୀ ବ୍ରାଣ୍ଡ ହେଲମେଟ୍ ବିକୁଛନ୍ତି । ଏଥିରେ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଇନ୍ଷ୍ଟିଚ୍ୟୁସନ୍ର ନକଲି ଜରି ଷ୍ଟିକର ଛପାଯାଇଛି । ଏସବୁ ହେଲ୍ମେଟ୍ ମାତ୍ର ୨୫୦ ଟଙ୍କାରେ ମିଳୁଛି । ଆଉ କିଛି ବ୍ରାଣ୍ଡେଡ୍ ହେଲ୍ମେଟ୍ରେ ଅବିକଳ ନକଲକୁ ୮୦୦-୯୦୦ ଟଙ୍କାରେ ବିକ୍ରି କରାଯାଉଛି ।ଏକ ସର୍ଭେରୁ ଜଣାପଡ଼ିଛି ଯେ, ଉନ୍ନତମାନର ହେଲମେଟରେ ବଡ଼ ଦୁର୍ଘଟଣା ଘଟିଲେ, ୪୨ ପ୍ରତିଶତ କ୍ଷେତ୍ରରେ ବାଇକ୍ ଆରୋହୀଙ୍କ ଜୀବନ ବଞ୍ଚିବାର ସମ୍ଭାବନା ଥାଏ । ପ୍ରାୟ ୭୦ ପ୍ରତିଶତ ଯାଏଁ ଗୁରୁତର ଆଘାତରୁ ବଞ୍ଚାଇଦିଏ । ହେଲେ ଦୁଃଖର ବିଷୟ, ବାଇକ୍ ଆରୋହୀ ଏଠି ଶସ୍ତାରୁ ହିନସ୍ତା ହେଉଛନ୍ତି । ଡବଲ୍ ହେଲମେଟ୍ ଲାଗୁ ପରଠୁ ପୁଲିସ କବଳରୁ ବର୍ତ୍ତିବାର ବାହାନା ଖୋଜୁଛନ୍ତି । ଜୋରିମାନାରୁ ବଞ୍ଚିବା ପାଇଁ ଶସ୍ତାରେ ମିଳୁଥିବା ନକଲି ହେଲମେଟ୍ କିଣୁଛନ୍ତି । ମୂଲ୍ୟବାନ ଜୀବନକୁ ଗୁରୁତ୍ବ ନଦେଇ ଶସ୍ତା ହେଲ୍ମେଟ୍ ପିନ୍ଧି ବିପଦକୁ ଡାକୁଛନ୍ତି ।
ନିୟମାନୁସାରେ, ବାଇକ୍ ଚାଳକଙ୍କ ପାଇଁ ଉଦ୍ଧିଷ୍ଟ ହେଲ୍ମେଟ୍ଗୁଡି଼କ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ବା ବିଆଇଏସ ସ୍ୱୀକୃତିପ୍ରାପ୍ତ ହୋଇଥିବ । ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଇଷ୍ଟିଚ୍ୟୁସନ (ଆଇଏସ୍ଆଇ)ର ଷ୍ଟାମ୍ପ ବାଜିଥିବ । ଯାହାକି, ହେଲ୍ମେଟ୍ ଫର୍ ରାଇଡର ଅଫ୍ ଟୁ-ହ୍ୱିଲର ମୋଟର ଭେହିକିଲ୍ (କ୍ୱାଲିଟି କଣ୍ଟ୍ରୋଲ) ଅର୍ଡର- ୨୦୨୦ ଅନୁସାରେ ଲାଗୁ ହୋଇଥିଲା । ହେଲ୍ମେଟ୍ର ଓଜନ ପ୍ରାୟ ୧୨୦୦ ଗ୍ରାମରୁ ଅଧିକ ହୋଇନଥିବ । ନଚେତ୍, ଚାଳକଙ୍କୁ ୧୦୦୦ ଟଙ୍କା ଯାଏଁ ଜରିମାନା ଦେବାକୁ ପଡ଼ିବ । ଆଇଏସ୍ଆଇ ବୈଧତା ନଥିବା ହେଲମେଟ୍ ତିଆରି କରୁଥିବା କମ୍ପାନୀ ଧରା ପଡ଼ିଲେ, ୨ ବର୍ଷ ଜେଲ୍ ଦଣ୍ଡ ସହ ୨ଲକ୍ଷ ଟଙ୍କା ଜରିମାନା ଗଣିବାକୁ ପଡ଼ିବ । ଆସନ୍ତା ଜୁନ୍ ୧ ତାରିଖରୁ ଆଇଏସ୍ଆଇ ମାର୍କା ହେଲ୍ମେଟ୍କୁ ବାଧ୍ୟତାମୂଳକ ହେବ ।ରାଜଧାନୀରେ ବିକାଯାଉଥିବା ନକଲି ହେଲ୍ମେଟ୍ର ହବ୍ ହେଉଛି ଦିଲ୍ଲୀ ଓ କୋଲକାତା । ଏଠାରୁ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସହରକୁ ବିପୁଳ ମାତ୍ରାରେ ନକଲି ହେଲମେଟ ଆଣି ବିକ୍ରି କରାଯାଉଛି । ଆଉ ଖୁଚୁରା ବେପାରୀଙ୍କ ଜରିଆରେ ରାସ୍ତାକଡ଼ରେ ଖୁଲ୍ମଖୁଲା ବିକାଯାଉଛି ।