ସକାଳୁ ଖାଲି ପେଟରେ ରସୁଣ ଖାଆନ୍ତୁ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ସହ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ l


ସତ୍ୟଶିଖା ( ଭୁବନେଶ୍ୱର )୨୦/୧୧/୨୦୨୦ : ଭାରତୀୟ ବ୍ୟଞ୍ଜନରେ ରସୁଣର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଲରସୁଣ ବ୍ୟଞ୍ଜନର ସ୍ୱାଦ ଦୁଇଗୁଣ କରିଦେଇଥାଏ । ରସୁଣ କେବଳ ଖାଇବାରେ ବ୍ୟବହୃତ ହୁଏନାହିଁ ବରଂ ବିଭିନ୍ନ ରୋଗ ପାଇଁ ଘରୋଇ ଉପଚାର ଭାବେ ମଧ୍ୟ ବ୍ୟବହାର କରାଯାଏ । ଥଣ୍ଡା, କାଶ, ଉଚ୍ଚ ରକ୍ତଚାପ, ଦାନ୍ତ ଯନ୍ତ୍ରଣା, କୋଷ୍ଠକାଠିନ୍ୟ ଓ ସଂକ୍ରମଣ ମୁକାବିଲା ପାଇଁ ଭିନ୍ନ ଭିନ୍ନ ଉପାୟରେ ସେବନ କରାଯାଇଥାଏ । ସକାଳୁ ଖାଲି ପେଟରେ ରସୁଣ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ପ୍ରମାଣିତ ହୋଇଥାଏ ।
ଦୁଇ ପାଖୁଡା ରସୁଣ ଚୋପା ଛଡାଇ ସକାଳୁ ଖାଲି ପେଟରେ ଖାଇ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ । ଖାଲି ପେଟରେ ଦୁଇ ପାଖୁଡା ରସୁଣରୁ ଅଧିକ ସେବନ କରନ୍ତୁନି । ଯଦି ଆପଣଙ୍କୁ ବାନ୍ତି ଲାଗୁଥାଏ କିମ୍ବା ମୁଣ୍ଡ ବୁଲାଇବା ଭଳି ଅନୁଭୂତ ହୁଏ ତାହେଲେ ଖାଲି ପେଟରେ ରସୁଣ ଖାଆନ୍ତୁନି । ଗର୍ଭବତୀ ମହିଳା, ଛୋଟ ପିଲା, ମଧୁମେହ ରୋଗୀ, ନିମ୍ନ ରକ୍ତଚାପ ରୋଗୀ ଏବଂ ସ୍ତନପାନ କରାଉଥିବା ମହିଳା ମଧ୍ୟ ଖାଲି ପେଟରେ ରସୁଣ ଖାଆନ୍ତୁନି ।
କଞ୍ଚା ରସୁଣ ଖାଇଲା ପାଟିରୁ ଦୁର୍ଗନ୍ଧ ବାହାରିଥାଏ ଏବଂ ଜ୍ୱଳନ ମଧ୍ୟ ହୋଇଥାଏ । କିନ୍ତୁ ରସୁଣ ଖାଇଲେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ । ରସୁଣରେ କମ ମାତ୍ରାରେ କ୍ୟାଲୋରୀ ଅଛି ଏବଂ ଭରପୁର ମାତ୍ରାରେ ଭିଟାମିନ-ସି, ଭିଟାମିନ ବି୬ ଓ ମିନେରାଲ୍ସ ରହିଛି । ଏଥିରେ ସଲଫର ମଧ୍ୟ ରହିଛି ଯେଉଁଥିପାଇଁ ରସୁଣକୁ ଚୋବେଇଲେ ସଲଫର ଯୌଗିକ ବା ଗନ୍ଧକ ଯୌଗିକ ଉତ୍ପନ୍ନ ହୋଇଥାଏ । ଏହି ଯୌଗିକ ପାଚନ ନଳୀ ଦେଇ ଶରୀରରେ ଦାଖଲ ହୋଇ ପୁରା ଶରୀରରେ ପହଞ୍ଚିଥାଏ । ଶରୀରରେ ପହଞ୍ଚିବା ପରେ ଏହା ବାୟୋଲୋଜିକାଲ ପ୍ରଭାବ ପକାଇଥାଏ ।
ଦିନକୁ ୪-୫ ପାଖୁଡା ରସୁଣ ଖାଇଲେ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ । ଶୀତ ଦିନରେ ରସୁଣ ଖାଇବା ଉଚିତ । ଅନ୍ତନଳୀରେ ଭଲ ବ୍ୟାକ୍ଟେରିଆ ସଂଖ୍ୟା ବଢାଇବା ପାଇଁ ରସୁଣ ବହୁତ ଲାଭକାରୀ । ଏହା ଓଜନ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ପେଟ ସମ୍ବନ୍ଧୀୟ ସମସ୍ୟା ଅର୍ଥାତ ଡାଇରିଆ ଓ କୋଷ୍ଠକାଠିନ୍ୟ ମଧ୍ୟ ରୋକିଥାଏ । କଞ୍ଚା ରସୁଣ ଡିଟକ୍ସ ଜୁସରୁ ବି ଅଧିକ ଲାଭଦାୟକ । କଞ୍ଚା ରସୁଣ ଶରୀରରୁ ଟକ୍ସିନ ବାହାର କରିଥାଏ ।
ଶୀତ ଦିନରେ ସାଧାରଣତଃ ଚର୍ମ ଶୁଷ୍କ ହୋଇ କୁଣ୍ଡେଇ ହୋଇଥାଏ । ଚର୍ମ ସମ୍ବନ୍ଧୀୟ ରୋଗ ରୋକିବାରେ ମଧ୍ୟ ରସୁଣ ପ୍ରଭାବଶାଳୀ । ସକାଳୁ ଖାଲି ପେଟରେ ରସୁଣ ଖାଇଲେ ଚର୍ମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।