

ସତ୍ୟଶିଖା,(ନୂଆଦିଲ୍ଲୀ) ୧୯.୦୩ .୨୦୨୧ :ଦେଶରେ ଦୈନିକ କରୋନା ସଂକ୍ରମଣ ୧୦୦ ଦିନର ରେକର୍ଡ ଭାଙ୍ଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଗୁରୁବାର ଦିନକ ମଧ୍ୟରେ ୩୫,୮୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ଗତ ୧୦୦ଦିନ ମଧ୍ୟରେ ସର୍ବାଧିକ ରହିଛି। ଗତବର୍ଷ ଡିସେମ୍ବର ୬ରେ ଗୋଟିଏ ଦିନରେ ୩୬,୦୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗୁରୁବାର ଦେଶରେ ଚିହ୍ନଟ ହୋଇଥିବା ନୂତନ ସଂକ୍ରମିତଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରେ ୨୫,୮୩୩ ସଂକ୍ରମିତ ଅଛନ୍ତି। ମୁମ୍ବଇ ସହରରୁ ୫୧୮୦ ସଂକ୍ରମିତ ବାହାରିଛନ୍ତି। ସେହିପରି ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୫୮ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ବୁଧବାର ମଧ୍ୟ ରାଜ୍ୟରେ ୨୩, ୧୭୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଫଳରେ ମହାରାଷ୍ଟ୍ରକୁ ନେଇ ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। କାରଣ ମହାରାଷ୍ଟ୍ରରୁ ଦେଶର ୬୨% ସଂକ୍ରମିତ ବାହାରୁଛନ୍ତି। ଫେବୃଆରୀ ମାସରୁ ଏହି ସଂକ୍ରମଣ ବଢିବାରେ ଲାଗିଛି। ଫେବୃଆରୀ ମାସରେ ଦୈନିକ ୩୦୦୦ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଏହା ଏବେ ପ୍ରାୟ ୮ଗୁଣା ବୃଦ୍ଧି ପାଇଛି। ଏପରିକି ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୦.୬% ସଂକ୍ରମିତ ମହାରାଷ୍ଟ୍ରରୁ ବାହାରିଛନ୍ତି। ଦେଶର ୧୦ଟି ଜିଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବାବେଳେ ମହାରାଷ୍ଟ୍ରରେ ୯ଟି ଜିଲା ଅଛି। ବୁଧବାର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବୈଠକ ବେଳେ ମହାରାଷ୍ଟ୍ରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ବେଗ ପ୍ରକାଶ କରିଥିଲେ। ନୂଆ ସଂକ୍ରମଣ ସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୪,୭୪,୬୦୫ରେ ପହଞ୍ଚିଛି। ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୧୭୨ ଆକ୍ରାନ୍ତଙ୍କ ମୃତ୍ୟୁସହିତ ମୋଟ ମୃତ୍ୟୁସଂଖ୍ୟା ୧,୫୯,୨୧୬ରେ ପହଞ୍ଚିଛି। ଦେଶରେ ଏବେ ୨,୫୨,୩୬୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ୧,୧୦,୬୩,୦୨୫ ସୁସ୍ଥ ହୋଇଛନ୍ତି।