ବିଦେଶ

କାବୁଲ ବିମାନ ବନ୍ଦରରେ ଛାତିଥରା ଦୃଶ୍ୟ: ସୁରକ୍ଷା ପାଇଁ ଶିଶୁଙ୍କୁ ଫୋପାଡ଼ୁଛନ୍ତି ମା’

ସତ୍ୟଶିଖା(କାବୁଲ ) ୨୦.୦୮ .୨୦୨୧: ତାଲିବାନ୍‌ କବ୍‌ଜାକୁ ଆଫଗାନିସ୍ତାନ ଚାଲିଯିବା ପରେ କାବୁଲ୍‌ ବିମାନବନ୍ଦରରୁ ଆସିଥିବା ବିଭିନ୍ନ ଦୃଶ୍ୟ ଛାତି ଥରାଇ ଦେଉଛି। ସୋ‌ସିଆଲ ମିଡିଆରେ ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳରୁ ଅତି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳୁଛି। କାବୁଲ ବିମାନ ବନ୍ଦରରେ ବ୍ରିଟେନ୍‌ ଏବଂ ଆମେରିକାର ସୈନିକମାନେ ସେମାନଙ୍କ ନାଗରକିଙ୍କୁ ଖାଲି କରିବା ପ୍ରକ୍ରିୟା ଜାରି ରଖିଥିବା ବେଳେ ଅନେକ ସଂଖ୍ୟାରେ ଆଫଗାନ ମହିଳା ଦେଶ ଛାଡ଼ିବାକୁ ସେମାନଙ୍କ ସହଯୋଗ ଚାହିଛନ୍ତି। ଅନେକ ଅସହାୟ ମହିଳା କାବୁଲ ବିମାନ ବନ୍ଦରର କଣ୍ଟାବାଡ଼ ଦେଇ ନିଜ ଶିଶୁଙ୍କୁ ଆରପାଖକୁ ଫୋପାଡ଼ି ଦେଉଛନ୍ତି। ଫଳରେ ସୈନିକମାନେ ସେମାନଙ୍କ ଶିଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବେ। କିଛି ପିଲା ମଧ୍ୟ କଣ୍ଟାବାଡ଼ରେ ପଡ଼ି ଯାଇ ଆହତ ହୋଇଥିବା ଜଣାପଡ଼ିଛି। ବ୍ରିଟେନ୍‌ର ଜଣେ ବରିଷ୍ଠ ସେନା ଅଧିକାରୀଙ୍କ କହିବା ଅନୁଯାୟୀ ମହିଳାମାନେ ନିଜ ପିଲାଙ୍କୁ ‌ଏଭଳି ଫୋପାଡ଼ି ଦେଉଥିବା ଦେଖିବାପରେ ସୈନିକମାନେ ବି କାନ୍ଦି ପକାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ତାଲିବାନ୍‌ମାନେ ମହିଳାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେଣି। ବିମାନ ବନ୍ଦର ନିକଟରେ ମହିଳାଙ୍କୁ ଦେଖିବା ମାତ୍ରେ ସେମାନେ ନିସ୍ତୁକ ମାଡ଼ ମାରୁଛନ୍ତି। ଫଳରେ ମହିଳାମାନେ ଚିତ୍କାର କରି ବିଦେଶୀ ସେନାର ଦୃଷ୍ଟି ଆକର୍ଷଣ କରିବା ସହ ନିଜ ପିଲାଙ୍କୁ ସୁରକ୍ଷା ଦେବାକୁ କହି ଶିଶୁକୁ ଫୋପାଡ଼ି ଦେଉଛନ୍ତି। ଅଧିକାଂଶ ଆଫଗାନ ମହିଳା ବ୍ରିଟେନ୍‌ର ଶରଣ ପଶିବାକୁ ଚାହିଛନ୍ତି। ସେମାନେ ବ୍ରିଟେନ୍‌ ସୈନିକଙ୍କ ସହଯୋଗ ଚାହିଛନ୍ତି।

ଉଦ୍ଧାର କାର୍ଯ୍ୟ ଏବେ ତ୍ବରାନ୍ବିତ ହୋଇଛି। ଅନେକ ସଂଖ୍ୟାରେ ବ୍ରିଟିଶ୍‌ ଏବଂ ଆମେରିକା ନାଗରିକଙ୍କୁ ଆଫଗାନିସ୍ତାନରୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଉଛି। ବ୍ରିଟେନ୍‌ ସୈନିକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ଆଫଗାନ୍‌ ନାଗରିକଙ୍କୁ ତାଲିବାନ୍‌ମାନେ ଅଟକାଇ ଦେଉଛନ୍ତି। କିଛି କ୍ଷେତ୍ରରେ ଲୋକଙ୍କୁ ଅଟକାଇବାପାଇଁ ସେମାନେ ଗୁଳିମାଡ଼ କରିବାକୁ ବି ପଛାଉନାହାନ୍ତି।

କାବୁଲ ବିମାନ ବନ୍ଦରରେ ପ୍ରାୟ ୧୦ ହଜାର ଲୋକ ରବିବାରରୁ ପଡ଼ି ରହିଛନ୍ତି। ଭୋକ ଓ ଆତଙ୍କ ଭିତରେ ହଜାର ହଜାର ମହିଳା ଓ ଶିଶୁ ଛଟପଟ ହେଉଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ ରାଷ୍ଟ୍ରର ଦୂତାବାସ ପକ୍ଷରୁ ନିଜର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପ୍ରୟାସ ଭିତରେ ଅସହାୟ ଆଫଗାନ ଲୋକଙ୍କ କଥା ବୁଝିବାକୁ କାହାର ବେଳ ନାହିଁ। ଗତ ୪ ଦିନ ମଧ୍ୟରେ ବିମାନ ବନ୍ଦର ପରିସରରେ ଗୁଳିମାଡ଼ ଏବଂ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ତାଲିବାନ ପକ୍ଷରୁ ବିମାନ ବନ୍ଦର ଛାଡ଼ି ଚାଲିଯିବାକୁ ଲୋକଙ୍କୁ କୁହାଯାଉଛି।

ତେବେ ତାଲିବାନ ଶାସନରେ ରହିବାକୁ ଚାହୁନଥିବା ଏହି ଆଫଗାନ ନାଗରିକମାନେ ଯେ କୌଣସି ବିମାନରେ ମଧ୍ୟ ଦେଶରୁ ପଳାଇ ଯିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ଇତିମଧ୍ୟରେ ରୁଷିଆ, ବ୍ରିଟେନ୍‌, ଆମେରିକା ଏବଂ ବିଭିନ୍ନ ୟୁରୋପୀୟ ରାଷ୍ଟ୍ର ଆଫ୍‌ଗାନ ଶରଣାର୍ଥୀଙ୍କୁ ଗ୍ରହଣ କରିବେ ବୋଲି ଘୋଷଣା କରିଥିଲେ ମଧ୍ୟ ସେମାନଙ୍କୁ ବିମାନ ବନ୍ଦରରୁ ନେବା ପାଇଁ କୌଣସି ଯୋଜନା ଦେଖିବାକୁ ମିଳିନାହିଁ।

ଏବେ ବି କାବୁଲ ବିମାନ ବନ୍ଦର ଆମେରିକୀୟ ସେନାଙ୍କ ନିୟନ୍ତ୍ରଣରେ ରହିଛି ଏବଂ ଅନେକ ଦୂତାବାସ ନିଜ ନିଜ ରାଷ୍ଟ୍ରର ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ବ୍ୟବସ୍ଥା କରୁଛନ୍ତି। ଆଫଗାନୀଙ୍କୁ ଅନ୍ୟତ୍ର ସୁରକ୍ଷିତ ପହଞ୍ଚାଇବାକୁ ଆମେରିକା ବାୟ‌ୁସେନା ମଧ୍ୟ କୌଣସି ପଦକ୍ଷେପ ନେଉନଥିବାରୁ ବିମାନ ବନ୍ଦରରେ ଫସିଥିବା ଲୋକଙ୍କୁ ନାହିଁ ନଥିବା ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ୁଛି।

Show More
Back to top button