‘ଗ୍ରାହକଙ୍କ ଠିକଣା ରଖ, ନଚେତ ହଜାରେ ଗଣିବ’


ଭୁବନେଶ୍ୱର (ସତ୍ୟଶିଖା): ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ପାର କରି ସାରିଥିବା ବେଳେ ଏହାକୁ ରୋକିବାକୁ ବିଭିନ୍ନ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ଥିବା ସମସ୍ତ ଦୋକାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି।
ସମସ୍ତ ଦୋକାନୀ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ସେହିପରି ଗ୍ରାହକଙ୍କ ପାଇଁ ସାନିଟାଇଜର ରଖିବା ବାଧ୍ୟତାମୂଳକ ହୋଇଥିବା ବେଳେ ଦୋକାନ ପାଖରେ ଗ୍ରାହକଙ୍କ ଛିଡ଼ା ହେବା ପାଇଁ ୨ ମିଟର ଦୂରତାରେ ଗୋଲ୍ ବୁଲାଇବା ପାଇଁ କୁହାଯାଇଛି। ମାସ୍କ ନ ପିନ୍ଧିଲେ ଗ୍ରାହକଙ୍କୁ ସାମଗ୍ରୀ ଦିଆଯିବ ନାହିଁ । ଏ ନେଇ ଦୋକାନୀଙ୍କୁ ‘ନୋ ମାସ୍କ ନୋ ଗୁଡ୍ସ’ ବୋର୍ଡ ଲଗାଇବା ପାଇଁ କୁହାଯାଇଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଗ୍ରାହକଙ୍କ ଫୋନ୍ ନମ୍ବର ସହ ସବିଶେଷ ତଥ୍ୟ ରଖିବେ ଦୋକାନୀ। ଏସବୁ ନିୟମ ନ ମାନିଲେ ୧ ହଜାର ଟଙ୍କା ଫାଇନ୍ ସହ ଦୋକାନ ମଧ୍ୟ ସିଲ୍ କରିବ ପ୍ରଶାସନ। ଏ ନେଇ ଟ୍ୱିଟ୍ ଯୋଗେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ କେବଳ ଏହି ସଂଖ୍ୟା ୨୧୦ ଛୁଇଁଛି। ରାଜ୍ୟରେ ତିନି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥି ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ଅଛନ୍ତି। ଏଯାଏ ରାଜ୍ୟରେ ମୋଟ ୧୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
[ad_2]