ସତ୍ୟଶିଖା (ଭୁବନେଶ୍ୱର) ୨୧/୦୧/୨୦୨୧ : ଚର୍ମ ରୋଗ ବିଭାଗ ବନ୍ଦ । ହୃଦ୍ରୋଗ ବିଭାଗ ଖୋଲି ନଥିବାରୁ ସେହି କୋଠାରେ ଚାଲିଛି ଭିନ୍ନ ଏକ ବିଭାଗ । ବହୁ ଅତ୍ୟାଧୁନିକ ଯନ୍ତ୍ରପାତି ଅଚଳ ହୋଇ ପଡ଼ିଥିବାରୁ ସମ୍ପୃକ୍ତ ଲାବ୍ ସବୁ ଅଚଳ । ସେହିଭଳି କିଛି ଲାବ୍ରେ ତାଲିମ୍ପ୍ରାପ୍ତ ଟେକ୍ନିସିଆନ୍ ନାହାନ୍ତି । ଫଳରେ ଡାକ୍ତରମାନେ ଏଠାରୁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି । ପରିସ୍ଥିତି ଏମିତି ଯେ ରାଜଧାନୀର ଏକ ପୁରୁଣା ସ୍ଵାସ୍ଥକେନ୍ଦ୍ର ଏବେ ଏକ ରେଫରାଲ୍ ହସ୍ପିଟାଲରେ ପରିଣତ ହୋଇଛି ବୋଲି ଲୋକେ ଚର୍ଚ୍ଚା କଲେଣି । ଏହା ହେଉଛି ପୁରୁଣା ଭୁବନେଶ୍ୱର ସ୍ଥିତ ବିଏମ୍ସି ହସ୍ପିଟାଲର ଅବସ୍ଥା ।
ଏହି ହସ୍ପିଟାଲର ଚର୍ମ ରୋଗ ବିଭାଗ ୨ ମାସ ହେବ ବନ୍ଦ ହୋଇପଡ଼ିଛି । ଡାକ୍ତର ନଥିବାରୁ ଏହି ବିଭାଗ ବନ୍ଦ। ଅସ୍ଥାୟୀ ନିଶା ଡାକ୍ତର(ଆନାସ୍ଥେସିଆ) ଠିକାରେ କାମ କରୁଛନ୍ତି । ତେଣୁ ସର୍ଜରି ବିଭାଗ କେମିତି କାମ କରୁଥିବ ଜଳଜଳ ହୋଇ ଦିଶିଯାଉଛି । ୭ ବର୍ଷ ହେଲାଣି ଲାପ୍ରୋସ୍କୋପି ମେସିନ୍ ଅଚଳ ହୋଇପଡ଼ିଛି । ବଡ଼ କଥା ହେଉଛି, ମାତ୍ର ୬ଟି କେସ୍ ପରେ ଏହି ମେସିନ୍ ବ୍ୟବହାର ହୋଇପାରିଲା ନାହିଁ । ପଡ଼ି ପଡ଼ି ନଷ୍ଟ ହୋଇଗଲାଣି । ସେହିପରି ଏଣ୍ଡୋସ୍କୋପି ମେସିନ୍ ୬ ବର୍ଷ ହେବ କୌଣସି ହେବ କାମରେ ଲାଗୁନାହିଁ । ଏହା ମଧ୍ୟ ଖରାପ ହୋଇ ପଡ଼ିଛି । ଅଲ୍ଟ୍ରାସାଉଣ୍ଡ୍ ବିଭାଗର ସମାନ ଅବସ୍ଥା । ଦୀର୍ଘ ଦିନ ଧରି ଅଲଟ୍ରାସାଉଣ୍ଡ୍ ମେସିନ ଅଚଳ ହୋଇପଡ଼ିଛି ଓ ତାଲିମ୍ପ୍ରାପ୍ତ ଡାକ୍ତର କିମ୍ବା ଟେକ୍ନିସିଆନ୍ ନାହାନ୍ତି । ତେଣୁ ଏହି ଯନ୍ତ୍ର ଦ୍ୱାରା ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ଏଠାରୁ ଅନ୍ୟତ୍ର ପଠାଇ ଦିଆଯାଉଛି । ସେହିଭଳି ଲାପ୍ରୋସ୍କୋପି ମେସିନ୍ ଅଚଳ ହୋଇଥିବାରୁ ଏହା ଦ୍ୱାରା ଅପରେସନ୍ ଦରକାର କରୁଥିବା ରୋଗୀଙ୍କୁ ଅନ୍ୟତ୍ର ପଠାଇ ଦିଆଯାଉଛି । ୨ ବର୍ଷ ହେଲା ହସ୍ପିଟାଲର ହୃଦ୍ରୋଗ ବିଭାଗ ପାଇଁ କୋଠା ତିଆରି ସରିଛି । ମାତ୍ର ଡାକ୍ତର ନିଯୁକ୍ତି ଓ ଅନ୍ୟାନ୍ୟ ଯନ୍ତ୍ରପାତି ଅଭାବରୁ ଏହି ବିଭାଗ କାର୍ଯ୍ୟକାରୀ ହୋଇପାରିନାହିଁ । ଏହି କୋଠାରେ ଏବେ ଅନ୍ୟ ବିଭାଗ ଚାଲୁଛି ।