
ସତ୍ୟଶିଖା (ଭୁବନେଶ୍ୱର) ୨୧/୦୧/୨୦୨୧ : ଚର୍ମ ରୋଗ ବିଭାଗ ବନ୍ଦ । ହୃଦ୍ରୋଗ ବିଭାଗ ଖୋଲି ନଥିବାରୁ ସେହି କୋଠାରେ ଚାଲିଛି ଭିନ୍ନ ଏକ ବିଭାଗ । ବହୁ ଅତ୍ୟାଧୁନିକ ଯନ୍ତ୍ରପାତି ଅଚଳ ହୋଇ ପଡ଼ିଥିବାରୁ ସମ୍ପୃକ୍ତ ଲାବ୍ ସବୁ ଅଚଳ । ସେହିଭଳି କିଛି ଲାବ୍ରେ ତାଲିମ୍ପ୍ରାପ୍ତ ଟେକ୍ନିସିଆନ୍ ନାହାନ୍ତି । ଫଳରେ ଡାକ୍ତରମାନେ ଏଠାରୁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି । ପରିସ୍ଥିତି ଏମିତି ଯେ ରାଜଧାନୀର ଏକ ପୁରୁଣା ସ୍ଵାସ୍ଥକେନ୍ଦ୍ର ଏବେ ଏକ ରେଫରାଲ୍ ହସ୍ପିଟାଲରେ ପରିଣତ ହୋଇଛି ବୋଲି ଲୋକେ ଚର୍ଚ୍ଚା କଲେଣି । ଏହା ହେଉଛି ପୁରୁଣା ଭୁବନେଶ୍ୱର ସ୍ଥିତ ବିଏମ୍ସି ହସ୍ପିଟାଲର ଅବସ୍ଥା ।
ଏହି ହସ୍ପିଟାଲର ଚର୍ମ ରୋଗ ବିଭାଗ ୨ ମାସ ହେବ ବନ୍ଦ ହୋଇପଡ଼ିଛି । ଡାକ୍ତର ନଥିବାରୁ ଏହି ବିଭାଗ ବନ୍ଦ। ଅସ୍ଥାୟୀ ନିଶା ଡାକ୍ତର(ଆନାସ୍ଥେସିଆ) ଠିକାରେ କାମ କରୁଛନ୍ତି । ତେଣୁ ସର୍ଜରି ବିଭାଗ କେମିତି କାମ କରୁଥିବ ଜଳଜଳ ହୋଇ ଦିଶିଯାଉଛି । ୭ ବର୍ଷ ହେଲାଣି ଲାପ୍ରୋସ୍କୋପି ମେସିନ୍ ଅଚଳ ହୋଇପଡ଼ିଛି । ବଡ଼ କଥା ହେଉଛି, ମାତ୍ର ୬ଟି କେସ୍ ପରେ ଏହି ମେସିନ୍ ବ୍ୟବହାର ହୋଇପାରିଲା ନାହିଁ । ପଡ଼ି ପଡ଼ି ନଷ୍ଟ ହୋଇଗଲାଣି । ସେହିପରି ଏଣ୍ଡୋସ୍କୋପି ମେସିନ୍ ୬ ବର୍ଷ ହେବ କୌଣସି ହେବ କାମରେ ଲାଗୁନାହିଁ । ଏହା ମଧ୍ୟ ଖରାପ ହୋଇ ପଡ଼ିଛି । ଅଲ୍ଟ୍ରାସାଉଣ୍ଡ୍ ବିଭାଗର ସମାନ ଅବସ୍ଥା । ଦୀର୍ଘ ଦିନ ଧରି ଅଲଟ୍ରାସାଉଣ୍ଡ୍ ମେସିନ ଅଚଳ ହୋଇପଡ଼ିଛି ଓ ତାଲିମ୍ପ୍ରାପ୍ତ ଡାକ୍ତର କିମ୍ବା ଟେକ୍ନିସିଆନ୍ ନାହାନ୍ତି । ତେଣୁ ଏହି ଯନ୍ତ୍ର ଦ୍ୱାରା ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ଏଠାରୁ ଅନ୍ୟତ୍ର ପଠାଇ ଦିଆଯାଉଛି । ସେହିଭଳି ଲାପ୍ରୋସ୍କୋପି ମେସିନ୍ ଅଚଳ ହୋଇଥିବାରୁ ଏହା ଦ୍ୱାରା ଅପରେସନ୍ ଦରକାର କରୁଥିବା ରୋଗୀଙ୍କୁ ଅନ୍ୟତ୍ର ପଠାଇ ଦିଆଯାଉଛି । ୨ ବର୍ଷ ହେଲା ହସ୍ପିଟାଲର ହୃଦ୍ରୋଗ ବିଭାଗ ପାଇଁ କୋଠା ତିଆରି ସରିଛି । ମାତ୍ର ଡାକ୍ତର ନିଯୁକ୍ତି ଓ ଅନ୍ୟାନ୍ୟ ଯନ୍ତ୍ରପାତି ଅଭାବରୁ ଏହି ବିଭାଗ କାର୍ଯ୍ୟକାରୀ ହୋଇପାରିନାହିଁ । ଏହି କୋଠାରେ ଏବେ ଅନ୍ୟ ବିଭାଗ ଚାଲୁଛି ।ଏହି ସବୁ ସମସ୍ୟା ବାବଦରେ ସ୍ଥାନୀୟ ଅଧିବାସୀ ରମେଶ ମହାପାତ୍ରଙ୍କ କହିବା କଥା ପୂର୍ବରୁ ଏହି ହସ୍ପିଟାଲରେ ବହୁ ବିଭାଗ କାର୍ଯ୍ୟକ୍ଷମ ଥିଲା । ଏବେ ସେସବୁ ସୁବିଧା ମିଳୁନାହିଁ । ଏତେ ବଡ଼ ପୁରୁଣା ସ୍ଵାସ୍ଥକେନ୍ଦ୍ରର ଅବସ୍ଥା ଦେଖିଲେ, ରାଜ୍ୟ ସ୍ଵାସ୍ଥ ବିଭାଗର ଚିତ୍ର ସ୍ପଷ୍ଟ ହୋଇଯାଉଛି । ସରକାର ଏହାକୁ ସ୍ଵାସ୍ଥ ବିଭାଗ ଅଧୀନକୁ ନେବାକୁ ଘୋଷଣା କରିଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରୁନାହିଁ । ସ୍ଥାନୀୟ ଯୁବକ ବିଷ୍ଣୁ ପ୍ରସାଦ ମୁଦୁଲିଙ୍କ କହିବା ଏବେ ଏଠାକୁ ଯେଉଁ ରୋଗୀକୁ ଆଣିଲେ ବି ସଙ୍ଗେ ସଙ୍ଗେ ଅନ୍ୟତ୍ର ଯିବାକୁ ପରାମର୍ଶ ଦିଆଯାଉଛି ଓ ପଠାଇ ଦିଆଯାଉଛି ମଧ୍ୟ । ପୁରୁଣା ସ୍ଵାସ୍ଥକେନ୍ଦ୍ରଟି ଏବେ ପ୍ରାଥମିକ ସ୍ଵାସ୍ଥକେନ୍ଦ୍ର ପାଲଟିଯାଇଛି । ମୁଖ୍ୟଚିକିତ୍ସାଧିକାରୀ ଜିତେନ୍ଦ୍ର ବେବର୍ତାଙ୍କୁ ପଚାରିବାରେ ସେ କହିଲେ ଯେ ଏହି ହସ୍ପିଟାଲ ସ୍ଵାସ୍ଥବିଭାଗ ଅଧୀନକୁ ଯିବା ପାଇଁ ଚିଠି ଆସିଛି । ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବା ଆଶା କରାଯାଉଛି । ସେହିଭଳି ଅଚଳ ହୋଇପଡ଼ିଥିବା ବିଭାଗ ବାବଦରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି । ରୋଗୀଙ୍କୁ ଅଧିକ ସେବା ଦେବା ପାଇଁ ଉଦ୍ୟମ କରାଯାଉଛି ଓ ଜଟିଳ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ଅନ୍ୟତ୍ର ପଠାଇବାକୁ ପଡ଼ୁଛି ବୋଲି ସେ କହିଛନ୍ତି ।