

ସତ୍ୟଶିଖା(ଭୁବନେଶ୍ୱର )୨୩.୧୧.୨୦୨୨: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ୭ଟଙ୍କା ଦେଇଥିଲେ ବ୍ୟବସାୟୀ ଅମୀୟକାନ୍ତ ଦାସ। ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଚିକିତ୍ସା ପାଇଁ ସେ ଏହି ଟଙ୍କା ଦେଇଥିବା ଇଡି ଆଗରେ ସତ ଓଗାଳିଛନ୍ତି। ଅର୍ଚ୍ଚନାଙ୍କୁ ସେ ସୋଶିଆଲ୍ ମିଡିଆରୁ ଜାଣିଥିବା ମଧ୍ୟ କହିଛନ୍ତି। ଗତକାଲି ସକାଳେ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ବ୍ୟବସାୟୀ ଅମୀୟକାନ୍ତ ଦାସଙ୍କୁ ଜେରା କରିଥିଲା ଇଡି। ଅମୀୟଙ୍କୁ ଇଡି ଅଧିକାରୀମାନେ ୮ ଘଣ୍ଟା ଧରି ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରିଥିଲେ। ଅମୀୟକାନ୍ତ ଦାସ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ପରିଚିତ। ୨୦୨୧-୨୨ରେ ତାଙ୍କ ସଂସ୍ଥାର ଚେକ୍ରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଡିପୋଜିଟ ହୋଇଥିଲା ବୋଲି ଜଣାପଡ଼ିଥିଲା। ଏହାର ଖୋଳତାଡ଼ କରିବା ପାଇଁ ଇଡି ଅମୀୟଙ୍କୁ ସମନ କରିଥିଲା। ଗତକାଲି ସକାଳେ ଅମୀୟ ଇଡି ଅଫିସରେ ହାଜର ହୋଇଥିଲେ।
ଅର୍ଚ୍ଚନା ମାମଲାରେ ତଦନ୍ତକୁ ଜୋରଦାର କରିଥିବା ଇଡି ଏହା ଭିତରେ ଅନ୍ୟତମ ଅଭିଯୁକ୍ତ ତଥା ପୂର୍ବରୁ ଅକ୍ଷୟ ପରିଜାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଶ୍ରଦ୍ଧାଞ୍ଜଳି ବେହେରା ଆଜି ସକାଳେ ଇଡି ଅଫିସରେ ହାଜର ହୋଇଛନ୍ତି। ଆଜି ମଧ୍ୟ ସିନେ ପ୍ରଯୋଜକ ଅକ୍ଷୟ ପରିଜା ପୁଣି ଥରେ ଇଡି ଅଫିସରେ ହାଜର ହେବ। ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟଙ୍କୁ ଇଡି ମୁହିଁମୁହିଁ ଜେରା କରିବ। ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ସମୟରେ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାଯାଇଛି।