ହୀରାକୁଦର ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।


ସତ୍ୟଶିଖା ୦୭/୦୭/୨୦୨୫: ବାମପଟରେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୦୯ ଦଶମିକ ୮୧ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୮୯ ହଜାର ୯୪୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୨ ଲକ୍ଷ ୬୯ ହଜାର ୫୨୮ କ୍ୟୁସେକ୍ ଜଳ । ସ୍ପିଲ୍ୱେ ପାଇଁ ୨ ଲକ୍ଷ ୩୦ ହଜାର ୫୪୪ କ୍ୟୁସେକ୍ ପାଣି ଯାଉଥିବା ବେଳେ ପାୱାର ଚେନାଲ ପାଇଁ ୩୫ ହଜାର ୧୧୮ କ୍ୟୁସେକ୍ ପାଣି ଛଡ଼ାଯାଉଛି । ହୀରାକୁଦ ନଦୀବନ୍ଧରେ ମୋଟ୍ ୯୮ଟି ଗେଟ୍ ରହିଛି । ଏଥିରୁ ୬୪ଟି ସ୍ଲୁଇସ୍ ଗେଟ୍ ଓ ୩୪ଟି କ୍ରେଷ୍ଟ ଗେଟ୍ ରହିଛି । ହୀରାକୁଦ ନଦୀବନ୍ଧରେ ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ।
ମହାନଦୀରୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ କମୁଛି। ଗତକାଲି ସାଢ଼େ ୪ ଲକ୍ଷ କ୍ୟୁସେକ୍ରୁ ଅଧିକ ପାଣି ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ଆଜି ସନ୍ଧ୍ୟା ୬ଟାରେ ଏହା ୨,୬୦,୦୧୯ କ୍ୟୁସେକ୍କୁ ଖସି ଆସିଛି। ଏହି ସମୟରେ ଜଳଭଣ୍ଡାରର ଜଳସ୍ତର ୬୨୧.୭୧ ଫୁଟ୍ ରହିଥିଲା ଓ ଜଳଭଣ୍ଡାରରୁ ୩,୩୭,୩୪୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା।
ସେପଟେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଆଜି ୮ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ନୂଆପଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ସମ୍ବଲପୁରର ମହୁଲପାଲିଠାରେ ଅତ୍ୟନ୍ତ ଭାରି ବର୍ଷା ରେକର୍ଡ କରାଯାଇଛି । ମହୁଲପାଲିରେ ୫୪୭ ଦଶମିକ ୬ ମିଲିମିଟର ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ । ଯାହା ଓଡ଼ିଶାରେ ଚଳିତ ମୌସୁମୀ ଋତୁରେ ସର୍ବୋଚ୍ଚ ରେକର୍ଡ କରାଯାଇଥିବା ବର୍ଷାର ପରିମାଣ । ତେବେ ଉପରମୁଣ୍ଡରେ ଏଭଳି ବର୍ଷା ଜାରି ରହିଲେ ହୀରାକୁଦ ଜଳସ୍ତର ଆହୁରି ବୃଦ୍ଧି ପାଇପାରେ ।