

ସତ୍ୟଶିଖା : ୨୮/୦୩/୨୦୨୫: ଏପ୍ରିଲ୍ ୩୦ରୁ ଉତ୍ତରାଖଣ୍ଡରେ ଆରମ୍ଭ ହେଉଛି ଚାରିଧାମ ଯାତ୍ରା । ତେବେ ଚଳିତଥର ଚାରିଧାମ ଯାତ୍ରାରେ ରିଲ୍, ଭିଡିଓ ପ୍ରସ୍ତୁତ କରିବା ଏବଂ ୟୁଟ୍ୟୁବର୍ସଙ୍କୁ ରୋକିବା ପାଇଁ ପ୍ରସ୍ତୁତି କରାଯାଇଛି । କେଦାରନାଥ-ବଦ୍ରିନାଥ ପଣ୍ଡା ସମାଜ ନିଷ୍ପତ୍ତି ନେଇଛନ୍ତି ଚଳିତଥର ମନ୍ଦିର ପରିସରକୁ ୟୁଟ୍ୟୁବର୍ସଙ୍କୁ ପ୍ରବେଶ ଦେବେ ନାହିଁ । କେହି ଭିଡିଓ କରୁଥିବା ଦେଖିଲେ ତାଙ୍କୁ ବିନା ଦର୍ଶନରେ ଫେରାଇ ଦିଆଯିବ । ଏନେଇ ପଣ୍ଡା ସମାଜ ପ୍ରଶାସନକୁ ଅବଗତ କରାଇଛି ।
କେଦାରନାଥ ସଭାର ଅଧ୍ୟକ୍ଷ ରାଜକୁମାର ତିୱାରୀ କହିଛନ୍ତି, ଗତବର୍ଷ ରିଲ୍ କରୁଥିବା ଲୋକଙ୍କ ଲାଗି ଅନେକ ଅବ୍ୟବସ୍ଥା ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଥିଲା । ସମୁଦ୍ର ପୃଷ୍ଠରୁ ୧୨ ହଜାର ଫୁଟ୍ ଉପରେ ଥିବା କେଦାରନାଥରେ ବିଭିନ୍ନ ବ୍ୟବସ୍ଥା କେବଳ ରିଲ୍ କରିବାକୁ କରା ଯାଇଥିଲା । ଯେଉଁଥିରେ ଢୋଲ ଓ ଅନ୍ୟ ବାଦ୍ୟଯନ୍ତ୍ର ରହିଥିଲା ।
ଯାତ୍ରା ଆରମ୍ଭର ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଶିବଲୋକ ପର୍ବତମାଳାରେ ଏହି ସ୍ଵର ଗୁଞ୍ଜରିତ ହେଉଥିଲା । ତେବେ ଏଠାକାର ପରିବେଶ ପାଇଁ ସେଭଳି ଶବ୍ଦ ବା ଧ୍ଵନି ଉପଯୁକ୍ତ ନୁହେଁ । ତେଣୁ କରି ଚଳିତ ଆମେ ଏଠାରେ କ୍ୟାମେରା ଅନ୍ କରିବାକୁ ଦେବୁ ନାହିଁ ।ସେହିଭଳି ଟଙ୍କା ଦେଇ ଭିଆଇପି ଦର୍ଶନ ମଧ୍ୟ ବନ୍ଦ ରହିବ । ବଦ୍ରିନାଥ ଧାମର ପଣ୍ଡା ପଞ୍ଚାୟତ କୋଷାଧ୍ୟକ୍ଷ ଅଶୋକ ଟେଡରିୟା କହିଛନ୍ତି, ଟଙ୍କା ନେଇ ଦର୍ଶନ କରାଇବା ଭଗବାନଙ୍କ ମର୍ଯ୍ୟାଦା ବିରୋଧରେ । ଏପ୍ରିଲ୍ ୩୦ରୁ ଯାତ୍ରା ଆରମ୍ଭ ହେଉଥିବା ବେଳେ ପ୍ରଥମେ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର କପାଟ ଖୋଲିବ । ଏହା ପରେ ମେ ୨ରେ ଖୋଲିବ କେଦାରନାଥ ଧାମର କପାଟ ।
ଶେଷରେ ମେ ୪ରେ ବିଧି ବିଧାନ ଅନୁସାରେ, ଭଗବାନ ବଦ୍ରିନାଥ ଧାମର କପାଟ ଶ୍ରଦ୍ଧାଳୁଙ୍କ ଲାଗି ଖୋଲି ଦିଆଯିବ । ଏଥିସହ ପୂର୍ଣ୍ଣ ଭାବରେ ଆରମ୍ଭ ହେବ ଚାରିଧାମ ଯାତ୍ରା । ଯାତ୍ରା ସମୟରେ ପ୍ରତିକୂଳ ପାଗକୁ ଦେଖି ଶ୍ରଦ୍ଧାଳୁଙ୍କୁ ଅଟକାଇବା ଲାଗି ୧୦ଟି ସ୍ଥାନରେ ହୋଲ୍ଡିଂ ପଏଣ୍ଟ କରାଯାଇଛି । ହରିଦ୍ଵାର, ଋଷିକେଶ, ବ୍ୟାସି, ଶ୍ରୀନଗର, ରୁଦ୍ରପ୍ରୟାଗ, ସୋନପ୍ରୟାଗ, ବିକାଶନଗର, ବଡ଼କୋଟ ଓ ଭଟୱାଡ଼ିରେ ହୋଇଛି ହୋଲ୍ଡିଂ ସ୍ଥଳ । ଏ ସବୁ ସ୍ଥାନରେ ପାନୀୟ ଜଳ ସହ ଶୌଚାଳୟ, ରାତ୍ରୀ ରହଣୀ, ଔଷଧ ଏବଂ ଖାଦ୍ୟ ବ୍ୟବସ୍ଥା କରାଯିବ ।ସମ୍ପୂର୍ଣ୍ଣ ଯାତ୍ରାକୁ ୧୦-୧୦ କିଲୋମିଟର ବ୍ୟବଧାନରେ ସେକ୍ଟରରେ ବିଭକ୍ତ କରାଯାଇଛି । ପ୍ରତି ସେକ୍ଟରରେ ୬ ପୋଲିସ କର୍ମଚାରୀ ରହିବେ । ପୋଲିସ ବାଇକ୍ ଧରି ରହିବା ସହ ଶ୍ରଦ୍ଧାଳୁଙ୍କୁ ସହାୟତା କରିବେ । ଏବେ ସୁଦ୍ଧା ଚାରିଧାମ ଯାତ୍ରା ଲାଗି ୯ ଲକ୍ଷ ଶ୍ରଦ୍ଧାଳୁ ପଞ୍ଜୀକରଣ କରିଛନ୍ତି । ଯାତ୍ରା ଆରମ୍ଭ ପରେ ହରିଦ୍ଵାର ଓ ଋଷିକେଶରେ ଅଫଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ ।