ବିଦେଶ

ଚାଇନା ଠାରୁ କରୋନା କ୍ଷତିପୂରଣ ଆଦାୟ କରିବ ଆମେରିକା

ୱାଶିଂଟନ: ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବା ମହାମାରୀ କରୋନା ଭାଇରସ ଆମେରିକାରେ ସବୁଠାରୁ ଅଧିକ କ୍ଷତି ଘଟାଇଛି। ଡିସେମ୍ବର ମାସରେ ଚାଇନାର ଉହାନ ସହରରେ ଏହି ଭାଇରସ ପ୍ରଥମେ ସୃଷ୍ଟି ହୋଇଥିଲା। ଏହାପରେ ଏହା ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିବା ଆରମ୍ଭ କରିଛି।

ଆମେରିକାରେ ସର୍ବାଧିକ ୧୦,୧୦,୫୦୭ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫୬,୮୦୩ ଜଣ ପ୍ରାଣ ହରାଇଛନ୍ତି। କରୋନା ପାଇଁ ଆମେରିକା କ୍ଷତି ସହିଥିବାରୁ ଏଥିପାଇଁ ଚାଇନାକୁ ଦାୟୀ କରିଛି। ଏଥିସହ ଚାଇନା ଠାରୁ କ୍ଷତିପୂରଣ ଆଦାୟ କରିବାକୁ ମଧ୍ୟ ଆମେରିକା ପ୍ରକ୍ରିୟା ଆରମ୍ଭ କରିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ସଙ୍କେତ ଦେଇ କହିଛନ୍ତି ଯେ “ଆମେ ଚାଇନାର କାର୍ଯ୍ୟକଳାପ ଉପରେ ଖୁସି ନୁହଁ। ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସମସ୍ତେ ଅବଗତ ରହିଛନ୍ତି। ଏଭଳି ସ୍ଥିତି ଉପୁଜିବା ପୂର୍ବରୁ ଆମେ ଏହାକୁ ମୂଳରୁ ହିଁ ରୋକି ପାରିଥାଆନ୍ତେ। ଏହି ଭାଇରସ ଯେଉଁଠାରୁ ସୃଷ୍ଟି ହୋଇଥିଲା, ସେଠାରେ ଏହାକୁ ଅଟକା ଯାଇ ପାରିଥାଆନ୍ତା।

ଆହୁରି ପଢ଼ନ୍ତୁ

ସମଗ୍ର ବିଶ୍ୱରେ ଏହା ବ୍ୟାପିବା ପୂର୍ବରୁ ହିଁ ବନ୍ଦ ହୋଇଯାଇଥାଆନ୍ତା। ଅନେକ କାରଣ ରହିଛି, ଯେଉଁଥିପାଇଁ ଆପଣ ସେମାନଙ୍କୁ(ଚାଇନା) କରୋନା ପାଇଁ ଦାୟୀ କରିପାରିବେ। ଆମେ ବହୁତ ଗୁରୁତର ସହ ଏହାର ତଦନ୍ତ କରୁଛୁ। ସମୟ ଆସିଲେ ଆପଣ ବି ଜାଣି ପାରିବେ।”

ନିକଟରେ କରୋନା କ୍ଷତପୂରଣ ବାବଦକୁ ଜର୍ମାନୀ ମଧ୍ୟ ଚାଇନାକୁ ୧.୬ ବିଲିୟନ ଡଲାର ମାଗିବ ବୋଲି ଖବର ପ୍ରକାଶ ପାଇଥିଲା। କ’ଣ ଆମେରିକା ଏଭଳି କିଛି କଟଣା ଲଗାଇବ ବୋଲି ଟ୍ରମ୍ପଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି, “ଆମେ ଏହାଠାରୁ ଆହୁରି ଅନେକ ବଡ଼ ପଦକ୍ଷେପ ଗ୍ରହଣ କରିବୁ।

ଜର୍ମାନୀ ଯାହା ଭାବୁଛି ଆମେ ମଧ୍ୟ ସେଇଆ ଭାବୁଛୁ। କିନ୍ତୁ ଆମେ ଜର୍ମାନୀ ଯେତିକି ଟଙ୍କା ମାଗିଛି, ତା’ ଠାରୁ ଅଧିକ ଟଙ୍କା କ୍ଷତିପୂରଣ ଭାବେ ଚାଇନାକୁ ମାଗିବା ପାଇଁ ଆମେ ଆଲୋଚନା କରୁଛୁ। ଆମେ କେତେ ଟଙ୍କା ମାଗିବୁ, ସେ ବିଷୟରେ ଏଯାଏ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ବିଶ୍ୱବ୍ୟାପୀ କ୍ଷତି ହୋଇଛି। ଆମେରିକାର କ୍ଷତି ହେବା ଅର୍ଥ ସମଗ୍ର ବିଶ୍ୱର କ୍ଷତି ହେବା ସହ ସମାନ। ତେଣୁ ଏହାର ପରିମାଣ ଅଧିକ ହେବ।”

[ad_2]
Show More
Back to top button