

ସତ୍ୟଶିଖା(ଭୁବନେଶ୍ୱର) ୦୯ .୦୫.୨୦୨୧: କରୋନା ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ର ହେବା ପରେ ଦେଶର କାରାଗାରଗୁଡ଼ିକରେ ଥିବା କଏଦୀ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ସଂଖ୍ୟା ହ୍ରାସ କରିବା ଏବଂ ବିକେନ୍ଦ୍ରୀକରଣ ଯୋଜନାରେ ଅନ୍ୟ ଖାଲିଥିବା କାରାଗାରକୁ ସ୍ଥାନାନ୍ତର କରିବା ଓ କାରାଗାରରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ବନ୍ଦୀଙ୍କୁ ୯୦ ଦିନ ଲାଗି ଛୁଟିରେ ଛାଡ଼ିବା ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଗତକାଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦେଶ ପରେ ଅଳ୍ପ କିଛିଦିନ ପରେ ରାଜ୍ୟର ୮୬ କାରାଗାରରେ ସଜା କାଟୁଥିବା ବନ୍ଦୀଙ୍କ ମଧ୍ୟରୁ ୩୦୦ରୁ ଅଧିକ ବନ୍ଦୀଙ୍କୁ ଛୁଟିରେ ଛଡ଼ାଯିବ ବୋଲି କାରାଗାର ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ଗତବର୍ଷ କରୋନା ସଂକ୍ରମଣ ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ଏକ ନିର୍ଦେଶ ଦେଇଥିଲେ। କାରାଗାରଗୁଡ଼ିକର ବୋଝକୁ ହାଲୁକା କରିବା ଲାଗି ବିଚାରାଧୀନ କଏଦୀଙ୍କୁ ଅନ୍ୟ କାରାଗାରକୁ ସ୍ଥାନାନ୍ତର ଏବଂ ସଜା କାଟୁଥିବା ବନ୍ଦୀଙ୍କୁ ୯୦ ଦିନ ପାଇଁ ଛୁଟିରେ ଛଡ଼ାଯାଇଥିଲା। ଏଥର ମଧ୍ୟ ସେହିଭଳି ବନ୍ଦୀଙ୍କୁ ଖୁବ୍ଶୀଘ୍ର ଛଡ଼ାଯିବ।