
ସତ୍ୟଶିଖା (ମୁମ୍ବାଇ) ୨୪/୧୧/୨୦୨୦ : ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ଆଶିଷ ରାୟଙ୍କ ପରଲୋକ ହୋଇଛି । ‘ଶଶୁରାଲ ସିମର କା’, ‘ବନେଗୀ ଅପନି ବାତ’, ‘ବ୍ୟୋମକେଶ ବକ୍ସି’, ‘ୟେସ ବସ’, ‘ବା ବହୁ ଔର ବେବି’, ‘କୁଛ ରଙ୍ଗ ପ୍ୟାର କେ ଐସେ ଭି’ ଓ ‘ଆରମ୍ଭ’ ଭଳି ଟିଭି ଶୋ’ରେ ଅଭିନୟ କରିଥିଲେ ଆଶିଷ ରାୟ। ସେ ବହୁତ ଦିନ ହେଲା ଅସୁସ୍ଥ ଥିଲେ । କିଡନୀ ଫେଲ ଯୋଗୁଁ ତାଙ୍କର ନିଧନ ହୋଇଥିବା ଜଣାପଡିଛି । ୫୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅଭିନେତା ଆଶିଷ ରାୟ ଆର୍ଥିକ ସଙ୍କଟ ଯୋଗୁଁ ନିଜ ଚିକିତ୍ସା ଭଲ ଭାବେ କରିପାରିନଥିଲେ । ସେ ସୋସିଆଲ ମିଡ଼ିଆ ଜରିଆରେ ଲୋକଙ୍କୁ ସାହାଯ୍ୟ ମାଗିଥିଲେ । ଆଶିଷ ରାୟଙ୍କ ମୃତ୍ୟୁକୁ ନେଇ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।ସୂଚନାଯୋଗ୍ୟ ଯେ, ଆଶିଷ ରାୟଙ୍କୁ ଦୁଇଥର ପକ୍ଷାଘାତ ହୋଇଥିଲା । ଗତ ବର୍ଷ ଠାରୁ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା । କିନ୍ତୁ କିଛି ମାସ ହେଲା ତାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ଥିଲା । ଏକ ଇଣ୍ଟରଭ୍ୟୁ ସେ କହିଥିଲେ ଯେ ସେ ବିବାହ କରିନାହାନ୍ତି, ଏକା ଅଛନ୍ତି ସେଥିପାଇଁ ବେଳେବେଳେ ସମସ୍ୟା ହୁଏ । ଜୀବନ ଏତେ ସହଜ ନୁହେଁ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଆଶିଷ ଫେସବୁକରେ ଏକା ପୋଷ୍ଟ କରିଥିଲେ । ପୋଷ୍ଟରେ ସେ ଲେଖିଥିଲେ ଯେ, ସକାଳ କଫି, ବିନା ଚିନିରେ । ଏହି ଯୋଉ ହସ ଏହା ଏକା ମଜବୁରି, ଭାବନା ମୋତେ ନେଇଯାଆନ୍ତୁ ।
ଅନେକ ଦିନ ହେଲା ତାଙ୍କୁ କିଛି କାମ ମିଳୁନଥିଲା । ଯାହାଫଳରେ ତାଙ୍କର ଯାହା ସଞ୍ଚୟ ଥିଲା ସେଥିରେ ସେ ଗୁଜୁରାଣ କରୁଥିଲେ । ଧୀରେ ଧୀରେ ସବୁ ସଞ୍ଚୟ ମଧ୍ୟ ସରିଗଲା । ଫଳରେ ଚିକିତ୍ସା ପାଇଁ ମଧ୍ୟ ତାଙ୍କୁ ଅସୁବିଧା ହୋଇଥିଲା ।
ଆଶିଷ ରାୟ ଟିଭି ଛଡା ହଲିଉଡ଼ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ହଲିଉଡ଼ ଫିଲ୍ମରେ ଡବିଙ୍ଗ କରିଛନ୍ତି । ସେ ଜଣେ ଭଏସ ଓଭର ଆର୍ଟିଷ୍ଟ ଥିଲେ । ସେ ସୁପରମ୍ୟାନ ରିଟର୍ନ, ଦ ଡାର୍କ ନାଇଟ, ଗର୍ଜିଆନ୍ସ ଅଫ ଦ ଗ୍ୟାଲେକ୍ସି, ଜୋକର ଭଳି ଅନେକ ଫିଲ୍ମରେ ଅନେକ ଚରିତ୍ର ପାଇଁ ଡବିଙ୍ଗ କରିଛନ୍ତି ।