ରାଜ୍ୟ

କରୋନା ନେଲା ଆଉ ୨ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୧୪ ଛୁଇଁଲା

ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚି ଯାଇଛି।

ଏହି ଦୁଇ ମୃତକଙ୍କ ମଧ୍ୟରୁ ଜଣେ ବରଗଡ଼ ଜିଲ୍ଲାର। ତାଙ୍କୁ ୭୬ ବର୍ଷ ହୋଇଥିଲା ଓ ସେ ଜଣେ ପୁରୁଷ ଥିଲେ। ସେହିପରି ଅନ୍ୟ ମୃତକ ମଧ୍ୟ ଜଣେ ପୁରୁଷ। ସେ ଗଞ୍ଜାମ ଜିଲ୍ଲାର। ତାଙ୍କୁ ୪୯ ବର୍ଷ ହୋଇଥିଲା। ଏହା ସହିତ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପଶ୍ଚିମ ଓଡ଼ିଶାରେ କରୋନା ପ୍ରଥମ ମୁଣ୍ଡ ନେଇଛି।

ବରଗଡ଼ରେ ପ୍ରାଣ ହରାଇଥିବା ବୃଦ୍ଧ ଜଣଙ୍କ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ଦୀର୍ଘ ଦିନ ହେବ ଡାଇବେଟିସ୍‌ରେ ମଧ୍ୟ ପୀଡ଼ିତ ଥିଲେ।

ଆହୁରି ପଢ଼ନ୍ତୁ

ଗଞ୍ଜାମରେ ଯେଉଁ ବ୍ୟକ୍ତି ଜଣଙ୍କ ପ୍ରାଣ ହରାଇଛନ୍ତି ତାଙ୍କର ଶ୍ୱାସ ଜନିତ ରୋଗ ଥିଲା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ ସେ କରୋନା ଯୋଗୁ ନୁହେଁ, ଅନ୍ୟ କାରଣ ଯୋଗୁ ପ୍ରାଣ ହରାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଉ ଏଭଳି ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି।

କରୋନାରେ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକ ଓ ପୁରୀରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦ରେ ପହଞ୍ଚିଥିବା ବେଳେ ୩୫୩୪ ଜଣ ସୁସ୍ଥ ହୋଇସାରିଛନ୍ତି। ୧୬୦୭ ଜଣଙ୍କ ଚିକିତ୍ସା ଚାଲିଛି।



[ad_2]

Show More
Back to top button