

ସତ୍ୟଶିଖା(ଭୁବନେଶ୍ୱର )୦୧.୧୧ .୨୦୨୧: ଖୋଲୁଛି ବହିଷ୍କୃତ କନେଷ୍ଟବଳ ପ୍ରସନ୍ନଙ୍କ କଳା କାରନାମା । ପ୍ରସନ୍ନଙ୍କର କାଠ ମାଫିଆଙ୍କ ସହିତ ଲିଙ୍କ ରହିଥିଲା । ପ୍ରସନ୍ନ ତାଙ୍କ ଫର୍ଣ୍ଣିଚର ଦୋକାନ ପାଇଁ ଚନ୍ଦକା ଜଙ୍ଗଲ ଉପରେ ନିର୍ଭର କରୁଥିଲେ । ଚନ୍ଦକାର କାଠ ମାଫିଆଙ୍କ ସହିତ ପ୍ରସନ୍ନଙ୍କର ଲିଙ୍କ ରହିଥିବା ନେଇ ଜଣାପଡିଛି । କେବଳ କାଠ ମାଫିଆ ନୁହଁନ୍ତି ବନବିଭାଗର ଏକାଧିକ ଅଧିକାରୀ ମଧ୍ୟ ତାଙ୍କ ଲିଙ୍କରେ ଥିଲେ । ପ୍ରସନ୍ନ ସରକାରୀ ଚାକିରି କରୁଥିଲେ ବି ଏକାଧିକ ଟେଣ୍ଡର କାମ କରୁଥିଲେ ।
ଅନ୍ୟପଟେ ପ୍ରସନ୍ନଙ୍କୁ ରିମାଣ୍ଡରେ ନେଇ ଅଧିକ ତଥ୍ୟ ଓଗାରିବ ଭିଜିଲାନ୍ସ । ଏନେଇ ଆଜି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆବେଦନ କରାଯିବ । କୋର୍ଟ ଅନୁମତି ଦେବା ପରେ ଯାଇ ପ୍ରସନ୍ନଙ୍କୁ ଅଧିକ ପଚରାଉଚରା କରାଯିବ । ସେହିପରି ପ୍ରସନ୍ନଙ୍କ ଘରେ ଭିଜିଲାନ୍ସ ଚଢଉ କରି ୭ କୋଟିରୁ ଅଧିକ ସମ୍ପତ୍ତି ଠାବ କରିଛି । ୬କୋଟି ୯୭ ଲକ୍ଷ ୧୫ ହଜାର ଟଙ୍କାର ଆୟ ବହିଭୂତ ସମ୍ପତ୍ତି ଠାବ କରାଯାଇଥିବା ଜଣାପଡିଛି । ନିୟ ଆୟ ଠାରୁ ପ୍ରାୟ ୨୧୧ ଗୁଣା ଅଧିକ ସମ୍ପତ୍ତି ଠୁଳ କରାଯାଇଥିବା ସୂଚନା ମିଳିଛି । ତେବେ ବିପୁଳ ସମ୍ପତ୍ତି ଠୁଳ ନେଇ ସନ୍ତୋଷଜନକ ଉତ୍ତର ପ୍ରସନ୍ନ ଦେଇପାରିନାହାନ୍ତି ।
ସେହିପରି ସମ୍ପତ୍ତିର ମୂଲ୍ୟାୟନ ନେଇ ଆଉ ଅଧିକ ଖୋଳତାଡ ଜାରି ମଧ୍ୟ ରହିଛି । ଏହାସହିତ ଆୟ ବହିର୍ଭୂତ ସମ୍ପତ୍ତି ସ୍ପଷ୍ଟ ହେବା ପରେ ମାମଲା ରୁଜୁ କରିଛି ଭିଜିଲାନ୍ସ । ପ୍ରସନ୍ନ ଓ ତାଙ୍କ ପତ୍ନୀଙ୍କ ସମେତ ପରିବାର ସଦସ୍ୟଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ପ୍ରସନ୍ନ ଓ ତାଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିବ ଭିଜିଲାନ୍ସ । ଏନେଇ ଭିଜିଲାନ୍ସ ଏଡିଜି ଯଶୋବନ୍ତ ଜେଠୁଆ ସୂଚନା ଦେଇଛନ୍ତି ।