ଦେଶ

କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ୨୩ ସଂକ୍ରମିତ, ୧୫ ଗାଁ ସିଲ

ଚଣ୍ଡିଗଡ଼: ପଞ୍ଜାବରେ କରୋନା ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ସଂସ୍ପର୍ଶରେ ଆସି ୨୩ ଜଣ ଏହି ମହାମାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ବ୍ୟକ୍ତି ଜଣଙ୍କ ୧୮ ମାର୍ଚ୍ଚରେ ପ୍ରାଣ ହରାଇଥିଲେ। ଇତି ମଧ୍ୟରେ ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଛୁଇଁଛି। ଏହି ୩୩ ରୋଗୀଙ୍କ ମଧ୍ୟରୁ ୨୩ ଜଣ ଲୋକ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେହିପରି ଏହି ବ୍ୟକ୍ତି ଜଣଙ୍କ ୧୦୦ରୁ ଅଧିକ ଲୋକଙ୍କୁ ସାକ୍ଷାତ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପଞ୍ଜାବର ପ୍ରାୟ ୧୫ଟି ଗାଁକୁ ସିଲ କରିଦିଆଯାଇଛି।

ମାର୍ଚ୍ଚ ୧୮ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବୟସ ୭୦। ସେ ଗୁରୁଦ୍ୱାରରେ କାମ କରୁଥିଲେ। ଦୁଇ ସପ୍ତାହ ତଳେ ଏହି ବ୍ୟକ୍ତି ଜଣଙ୍କ ଜର୍ମାନୀ ଓ ଇଟାଲୀରୁ ଫେରିଥିଲେ। ମାର୍ଚ୍ଚ ୬ରେ ସେ ଦିଲ୍ଲୀରେ ଅବତରଣ କରିବା ପରଆ ସିଧା ପଞ୍ଜାବ ଆସିଥିଲେ।

ଆହୁରି ପଢ଼ନ୍ତୁ

ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୮ରୁ ୧୦ ଯାଏ ଆନନ୍ଦପୁର ସାହିବଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ସହିଦ ଭଗତ ସିଂହ ନଗର ଜିଲ୍ଲାରେ ଥିବା ଗାଁକୁ ଫେରିଥିଲେ। କରୋନା ଭୂତାଣୁରେ ବ୍ୟକ୍ତି ଜଣଙ୍କ ସଂକ୍ରମିତ ହୋଇଥିବା ଖବର ଆସିବା ପୂର୍ବରୁ ସେ ୧୦୦ ଜଣଙ୍କୁ ସାକ୍ଷାତ କରିଥିଲେ।

ତାଙ୍କ ସହ ଜର୍ମାନୀ ଓ ଇଟାଲୀ ଗସ୍ତ କରିଥିବା ଦୁଇ ବନ୍ଧୁ ପଞ୍ଜାବରେ ପ୍ରାୟ ୧୫ଟି ଗାଁ ବୁଲିଛନ୍ତି। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରର ୧୪ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି।

ବ୍ୟକ୍ତି ଜଣଙ୍କର ନାତି ଓ ନାତୁଣି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ଏକାଧିକ ଲୋକଙ୍କୁ ଭେଟିଥିଲେ। ତେଣୁ ଏବେ ପ୍ରଶାସନ ଗାଁ ଗାଁ ବୁଲି ଲୋକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଛି।

[ad_2]
Show More
Back to top button