ଶିକ୍ଷା

ମିଛ ହେଲା ପ୍ରତିଶ୍ରୁତି : ସ୍କୁଲ ନୁହେଁ ଦାଦନ ଯାଉଛନ୍ତି ଦଶମ ପିଲା

ସତ୍ୟଶିଖା (ଭୁବନେଶ୍ୱର ) ୧୯.୧୦.୨୦୨୩ : ଏ ସରକାର କେବଳ ପ୍ରତିଶ୍ରୁତି ଦିଏ ହେଲେ ପାଳନ କରିବାରେ ବିଶ୍ଵାସ କରେ ନାହିଁ । ଏ କଥା ଆମେ ନୁହେଁ ବରଂ ମାଲକାନଗିରିରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଜଳଜଳ ହୋଇ ଦିଶୁଛି । କାରଣ ଜିଲ୍ଲାରେ ଏବେ ବଢିପାରେ ଡ୍ରପ୍‌ ଆଉଟ୍‌ ଚିନ୍ତା । ଯାହାକୁ ନେଇ ପୂରା ଜିଲ୍ଲାରେ ଜୋର ଧରିଲାଣି ଚର୍ଚ୍ଚା ।

ଡ୍ରପଆଉଟ ପିଲାଙ୍କୁ ପୁଣି ଥରେ ଶିକ୍ଷାକ୍ଷେତ୍ରରେ ସାମିଲ ପାଇଁ ରାଜ୍ୟ ସରକାର ୨୦୨୧ ମସିହାରେ ଆରମ୍ଭ କରିଥିଲେ STAR ଯୋଜନା । ଯୋଜନା ଘୋଷଣା ପରେ ସମସ୍ତେ ଭାବିଥିଲେ ଡ୍ରପ୍‌ ଆଉଟ୍‌ କମିବ ବୋଲି । ହେଲେ ଏବେ ଏହି ଯୋଜନା ଉପରେ ଉଠିଲାଣି ପ୍ରଶ୍ନ । ମହାମାରୀ କରୋନା ସମୟରେ ଦୁର୍ଗମ ଅଂଚଳରେ ଶହଶହ ପିଲା ଅଧାରୁ ପାଠ ପଢା ଛାଡିଦେଇଥିଲେ । ହେଲେ ସେହି ପିଲାଙ୍କୁ ପୁଣି ଥରେ ଶିକ୍ଷିତ କରିବାକୁ ପୂରା ଦମ୍‌ରେ ଚେଷ୍ଟା କରିଥିଲେ ସରକାର ।

ODISHA SCHOOL EDUCATION PROGRAMME AUTHORITY ପକ୍ଷରୁ 21-10-2021 ରେ ରାଜ୍ୟର 10 ଗୋଟି ଜିଲ୍ଲାର ଜିଲ୍ଲା ଶିକ୍ଷାକାରୀଙ୍କୁ ଚିଠି ମାଧ୍ୟମରେ ଡ୍ରପଆଉଟ୍‌ ପିଲାଙ୍କ ଲାଗି ୨୦ ଟି ହଷ୍ଟେଲ ତିଆରି ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ଏଥିଲାଗି ସରକାରୀ ତହବିଲରୁ ୫୧ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟବରାଦ ବି ହେଲା । ନିର୍ମାଣ ହୋଇଥିବା ୨୧ ହଷ୍ଟେଲ ମଧ୍ୟରୁ ମାଲକାନଗିରିରେ ଦୁଇଟି ଥିଲା । ନିୟମ ଅନୁସାରେ ପ୍ରତି ହଷ୍ଟେଲରେ ୫୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ରହିବେ ।

ହେଲେ ୨୦୨୨ ପରେ ଏହି ଯୋଜନା ଉପରେ ଯେମିତି ଛାଇଗଲା କଳାବାଦଲ । ପୂର୍ବରୁ ଯାହା ଯେମିତି ଚାଲୁଥିଲା ହେଲେ ଖରାଛୁଟି ପରେ ସବୁ ଅକାମୀ ହୋଇଗଲା । ଠିକ୍‌ରେ ପିଲାମାନେ ଖାଇବାକୁ ପାଇଲେନି କି କୌଣସି ସୁବିଧା ଠିକରେ ପାଇଲେନି । ତେଣୁ ଇଚ୍ଛା ନଥିଲେ ବି ବାଧ୍ୟ ହୋଇ ହଷ୍ଟେଲ ଛାଡିଦେଲେ ପିଲା ।

ଜିଲ୍ଲାର କୋରୁକୋଣ୍ଡା ବ୍ଲକ ତାରଲାକୋଟା ଉଚ୍ଚ ବିଦ୍ୟାଳୟରେ ଥିଲା out off ଅର୍ଥାତ ଡ୍ରପ ଆଉଟ ପିଲାଙ୍କ ହଷ୍ଟେଲ । ହଷ୍ଟେଲରେ ୫୦ ଜଣ ଡ୍ରପ ଆଉଟ ଛାତ୍ର ରହି ତାରଲାକୋଟା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ହେଲେ ଗ୍ରୀଷ୍ମ ଛୁଟିରେ ସତେ ଯେମିତି ଏମାନଙ୍କ ଭାଗ୍ୟ ଅନ୍ଧାର ଆଡକୁ ଠେଲିହୋଇ ଯାଇଛି । ସ୍ଥିତି ଏମିତି ହେଲାଣି ଯେ ଜିଲ୍ଲାର ଅଧିକାଂଶ ପିଲା ଏବେ ଦାଦନ ଖଟିବାକୁ ଗଲେଣି । ଆଉ ଯେଉଁମାନେ ରହୁଛନ୍ତି ସେମାନେ ନିଜେ ରୋଷେଇ କରି ଖାଉଥିବା ଅଭିଯୋଗ ହେଉଛି । ସେପଟେ ବାରମ୍ବାର ଦାବି ପରେ ବି ସ୍ଥିତିରେ କୌଣସି ସୁଧାର ନଆସିଥିବାରୁ ଏବେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ସ୍କୁଲ ପିଲା । ଆଉ ଦାବି କରିଛନ୍ତି ଖୁବଶୀଘ୍ର ସମସ୍ୟାର ହେଉ ସମାଧାନ ।

Show More
Back to top button