

ସତ୍ୟଶିଖା( ବ୍ରଜରାଜନଗର )୨୧.୦୫.୨୦୨୨ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତା ୩୧ତାରିଖରେ ହେବାକୁ ଥିବା ଭୋଟଗ୍ରହଣ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଉପନିର୍ବାଚନରେ ମୋଟ ୨ଲକ୍ଷ ୧୫ହଜାର ୮୭୮ଜଣ ଭୋଟର ୨୭୯ଟି ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ଅବାଧ ଓ ନିରପେକ୍ଷ ଭୋଟଗ୍ରହଣ ନିମନ୍ତେ ୫୦% ବୁଥରେ ୱେବକାଷ୍ଟିଂ ମଧ୍ୟ କରାଯିବ ।
ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ୩୧ତାରିଖରେ ଭୋଟଗ୍ରହଣ ଓ ଜୁନ୍ ୩ରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଉପନିର୍ବାଚନ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ପଞ୍ଜାବ କ୍ୟାଡ଼ରର ୨୦୧୦ ବ୍ୟାଚ୍ ଆଇଏଏସ ମାଧବୀ କଟରିଆ ଓ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ୨୦୦୮ ବ୍ୟାଚ୍ ଆଇଆରଏସ୍ ଏନ ଅଶୋକ ବାବୁ ଜିଲ୍ଲାରେ ପହଞ୍ଚି ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ଲାଗି କାର୍ଯ୍ୟ ଆରମ୍ଭ କରିଛନ୍ତି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ୩ କମ୍ପାନୀ କେନ୍ଦ୍ରୀୟ ପୁଲିସ ବଳ ଜିଲ୍ଲାରେ ମୁତୟନ ହୋଇଛନ୍ତି । ନିର୍ବାଚନ ମଇଦାନରେ ମୋଟ ୧୧ଜଣ ପ୍ରାର୍ଥୀ ଅଛନ୍ତି ।
କୋଭିଡ୍ ଦୃଷ୍ଟିରୁ ପ୍ରତ୍ୟେକ ବୁଥରେ ସର୍ବାଧିକ ୧୨୫୦ଜଣ ଭୋଟର ମତଦାନ କରିବାର ବ୍ୟବସ୍ଥା ହୋଇଛି । ଦିବ୍ୟାଙ୍ଗ ଓ ୮୦ବର୍ଷରୁ ଅଧିକ ବୟସର ଭୋଟରଙ୍କ ନିମନ୍ତେ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ଭୋଟ୍ ଦେବାର ବ୍ୟବସ୍ଥା ହୋଇଛି । ପୋଷ୍ଟାଲ ବାଲାଟ ପାଇଁ ୫୨୫ଜଣଙ୍କ ମଧ୍ୟରୁ ୩୨୫ଜଣ ଭୋଟର ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପୁଲିଂ କର୍ମଚାରୀଙ୍କ ସହ ପୁଲିସ, ମାଇକ୍ରୋ ଅବଜର୍ଭର, ଭିଡିଓପ୍ରାଫର ଓ ପ୍ରାର୍ଥୀଙ୍କ ଏଜେଂଟ ଘରକୁ ଘର ବୁଲି ପୋଷ୍ଟାଲ ବାଲାଟ୍ ଭୋଟ୍ ଆଣିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କରିଛନ୍ତି ।