ଅନୁଶାସନ ଓ ଶୃଙ୍ଖଳା ପାଇଁ ଓଡ଼ିଶାରେ କରୋନା ସଂକ୍ରମଣ କମ୍


ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟବାସୀଙ୍କ ଅନୁଶାସନ ଓ ଶୃଙ୍ଖଳା ପାଇଁ ଓଡ଼ଶାରେ କରୋନା ସଂକ୍ରମଣ ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ୍ ରହିଛି। ଏପରିକି ସମଗ୍ର ଦେଶରେ କରୋନା ସଂକ୍ରମଣ ହାର ମାର୍ଚ୍ଚ ୨୫ତାରିଖ ପରଠୁ ଦ୍ରୁତ ଗତିରେ ବୃଦ୍ଧି ପାଇଥିବାବେଳେ ଓଡ଼ିଶାରେ ଏହି ହାର ଅତ୍ୟନ୍ତ ଧୀମା ରହିଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।
ଆଜି ନିୟମିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ଏନଆରଏଚଏମ୍ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ସମଗ୍ର ଦେଶରେ କରୋନା ପଜେଟିଭ୍ ହାର ପ୍ରାୟ ୫.୦୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହି ହାର ମାତ୍ର ୧.୦୮ ପ୍ରତିଶତ ଅଛି। ଦିଲ୍ଲୀରେ ସଂକ୍ରମଣ ହାର ସର୍ବାଧିକ ୧୦.୯୦ ପ୍ରତିଶତ ଓ ତାମିଲନାଡୁ ୯.୨୦ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଓଡ଼ିଶାର ସ୍ଥାନ ୧୯ତମ ସ୍ଥାନରେ ରହିଛି । ସେହିପରି ଓଡ଼ିଶାରେ ମାର୍ଚ୍ଚ ୧୫ରେ ପ୍ରଥମ କରୋନା ପଭେଟିଭ୍ ରୋଗୀ ଚିହ୍ନଟ ହୋଇଥିବାବେଳେ ସମଗ୍ର ଦେଶରେ ଏହି ଦିନ ସଂକ୍ରମିତଙ୍କ ସଂଖ୍ୟା ୧୧୦ ଥିଲା। କିନ୍ତୁ ସାମାଜିକ ଦୂରତ୍ୱ ସହ ସବୁ ପ୍ରତିଷେଧକ ବ୍ୟବସ୍ଥା ନିଆଯାଇଥିବାରୁ ଓଡ଼ିଶାରେ ଏପ୍ରିଲ ୧୪ରେ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୬୦ ଥିବାବେଳେ ସମଗ୍ର ଦେଶରେ ଏହା ୧୦,୮୧୫ରେ ପହଂଚିଛି।
ଆହୁରି ପଢ଼ନ୍ତୁ
ଲକଡାଉନ୍ ନେଇ ଅନେକ ସମସ୍ୟା ସାମ୍ନା କରୁଛନ୍ତି। ଜୀବନ-ଜୀବିକା ସବୁ ଠପ୍ ହୋଇପଡ଼ିଛି। ସାଧାରଣ ଲୋକଙ୍କ ମନରେ ଏମିତି ବି ପ୍ରଶ୍ନ ଆସୁଛି। ତେବେ ଶ୍ରୀମତୀ ପଣ୍ଡିତ ସ୍ପଷ୍ଟ କରିଛନ୍ତି ଯେ,ଓଡ଼ିଶାବାସୀଙ୍କ ତ୍ୟାଗ, ଅନୁଶାସନ ପାଇଁ କରୋନା ସଂକ୍ରମଣରେ ରୋକ୍ ଲାଗିଛି।
ଆଇସିଏମଆର ସର୍ଭେ ଅନୁସାରେ ଯଦି ଲକଡାଉନ୍ ପାଳନ ନହୁଏ, ଜଣେ କରୋନା ସଂକ୍ରମିତ ରୋଗୀ ମାସକ ମଧ୍ୟରେ ୪୦୬ଜଣଙ୍କୁ ସଂକ୍ରମିତ କରିପାରିବ। ମାତ୍ର ଯଦି ଲକଡାଉନ୍ ସେ ରୁହନ୍ତି ତେବେ ମାତ୍ର ଅଢ଼େଇଜଣ ଲୋକଙ୍କୁ ସଂକ୍ରମିତ କରିବେ। ଏବେ ଲକଡାଉନ୍ ଅବଧିରେ ସେହି ଦୁଇ-ଅଢ଼େଇ ଜଣ ଲୋକଙ୍କୁ ଚିହ୍ନଟ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶାରେ ମଧ୍ୟ ଆବଶ୍ୟକ ପରିମାଣରେ ନମୂନା ପରୀକ୍ଷା କରାଯାଉଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ପ୍ରାୟ ୫୫୦୦ଜଣଙ୍କ ନମୂନା ପରୀକ୍ଷା ହୋଇଥିବାବେଳେ ୯୮.୯୨% ଲୋକଙ୍କ ନମୂନା ନେଗଟିଭ୍ ଜଣାପଡ଼ିଥିଲା। କୌଣସି ଲକ୍ଷଣ ନଥାଇ ୩ଶହ ଲୋକଙ୍କ ଟେଷ୍ଟ୍ କରାଯାଇଥିଲା ଓ ସେମାନଙ୍କ ମଧ୍ୟରୁ ମାତ୍ର ୪ଜଣ ପଜେଟିଭ୍ ମିଳିଲା। ତେଣୁ ଅଧିକ ଟେଷ୍ଟ କଲେ ଯେ ଅଧିକ ସଂକ୍ରମିତ ଚିହ୍ନଟ ହେବେ ତାହା ଭାବିବା ଉଚିତ୍ ନୁହେଁ ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି।






