ଅପରାଧନ୍ୟୁଜ୍ରାଜ୍ୟ

ସାଇବର ଠକ ଜାଲରେ ଯୁବତୀ

ସତ୍ୟଶିଖା (ଭୁବନେଶ୍ୱର) ୦୬/୦୧/୨୦୨୧ : ରାଜଧାନୀରେ ପୁଣି ଏକ ସାଇବର ଠକାମିର ନମୁନା ସାମ୍‌ନାକୁ ଆସିଛି । ବ୍ୟାଙ୍କ୍‌ ଚାକିରି ମୋହରେ ଜଣେ ଯୁବତୀ ଏକ ଲକ୍ଷ ୧୩ ହଜାର ଟଙ୍କା ହରାଇଛନ୍ତି । ପର୍ଯ୍ୟାୟକ୍ରମେ ଧୂର୍ତ୍ତଜଣକ ଏତେ ଟଙ୍କା ଠକିନେବା ପରେ ଯୁବତୀଙ୍କ ଚେତା ପଶିଥିଲା ଓ ସେ କମିସନରେଟ୍‌ ପୁଲିସର ଦ୍ବାରସ୍ଥ ହୋଇଛନ୍ତି । ସାଇବର ଥାନା ପରେ ଏବେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଏହି ଯୁବତୀ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । କିଛି ଦିନ ତଳେ ସେ ଚାକିରି ହରାଇଥିଲେ । ହଠାତ୍ ଦି‌ନେ ସେ ଅନ୍‌ଲାଇନ୍‌ରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଆକାଉଣ୍ଟାଣ୍ଟ ଚାକିରି ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିବା ଦେଖି ଆବେଦନ କରିଥିଲେ । ନଭେମ୍ବର ୧୮ ତାରିଖରେ ସେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ । ପରେ ସେହି ମାସ ୨୨ତାରିଖରେ କନ୍‌ସଲ୍‌ଟାନ୍ସି ଫ୍ରେସର୍‌ ଵାର୍ଲଡ୍‌ ନାଁରେ ଏକ ସଂସ୍ଥାରୁ ତାଙ୍କ ପାଖକୁ ଫୋନ୍‌ କଲ୍‌ ଆସିଥିଲା ।ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ପୁଣି ଭୁବନେଶ୍ୱରରେ ନିଯୁକ୍ତି ପାଇଁ ତାଙ୍କୁ ମନୋନୀତ କରାଯାଇଛି ବୋଲି ଫୋନ୍‌ କରିଥିବା ବ୍ୟକ୍ତି କହିଥିଲା । ଫର୍ମ ବାବଦରେ ୧୮୦୦ ଟଙ୍କା ଦେବାକୁ ପଡ଼ିବ ବୋଲି କହିବା ପରେ ଯୁବତୀ ଜଣକ ଅନ୍‌ଲାଇନ୍‌ରେ ଟଙ୍କା ପଠାଇଥିଲେ । ଏହା ପରେ ସର୍ଭିସ ଚାର୍ଜ, ଇନ୍‌ସ୍ୟୁରାନ୍ସ ଓ ବ୍ୟାଙ୍କରେ ଦରମା ଆକାଉଣ୍ଟ ଖୋଲିବା ପାଇଁ କହି କହି ଠକଜଣକ ତାଙ୍କଠାରୁ ୧ ଲକ୍ଷ ୧୩ ହଜାର ଟଙ୍କା ନେଇଯାଇଥିଲା । ପରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଲୋଗୋ ଥିବା ଏକ ଜାଲ୍‌ କନ୍‌ଫର୍‌ମେସନ୍‌ ଲେଟର ପଠାଇଥିଲା । ନିଯୁକ୍ତିପତ୍ର ଦେବା ପରେ ଠକ ଯୁବତୀଙ୍କୁ ଆହୁରି କିଛି ଟଙ୍କା ମାଗିଥିଲା । ସେତେବେଳକୁ ଯାଇ ଯୁବତୀଙ୍କ ସନ୍ଦେହ ହେଲା । ତେଣୁ ସେ ଆଉ ଟଙ୍କା ନ ଦେଇ ନିଯୁକ୍ତିପତ୍ର ଉପରେ ଛାନ୍‌ଭିନ୍ କରିଥିଲେ । ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇବା ପରେ ସେ କଟକ ସାଇବର ଥାନା ଓ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।

Show More
Back to top button