ନ୍ୟୁଜ୍

ବିଏମ୍‌ସି ହସ୍ପିଟାଲର ବଦଳିବ ସ୍ଥାନ । ନୂଆ ଜାଗାକୁ ସ୍ଥାନାନ୍ତର ହେବ ରାଜଧାନୀର ପୁରୁଣା ଚିକିତ୍ସାଳନ।

ସତ୍ୟଶିଖା ୦୫/୦୮/୨୦୨୫:  ୧୯୪୬ରେ ଲିଙ୍ଗରାଜ ମନ୍ଦିର କଡ଼ରେ ବିଏମ୍‌ସି ହସ୍ପିଟାଲ ନିର୍ମାଣ ହୋଇଥିଲା । ସେ ସମୟରେ ଏହି ଜମି ସରକାରଙ୍କ ଅଧିନରେ ଥିଲା । ହେଲେ ପରବର୍ତ୍ତୀ ସମୟରେ ପ୍ରତ୍ନତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମନ୍ଦିର ସହ ଏହାର ଚାରିପାଖ ଜମିକୁ ନିଜ ଅଧୀନକୁ ନେଇଥିଲା । ତେଣୁ ହସ୍ପିଟାଲ ଥିବା ଜମି ମଧ୍ୟ ଏଏସ୍‌ଆଇ ଅଧୀନରେ ଯାଉଛି। ସେଥିପାଇଁ ହସ୍ପିଟାଲ ପରିସରରେ ଇଟା ପକାଇବାକୁ ହେଲେ ମଧ୍ୟ ଏଏସଆଇର ଅନୁମତି ଦରକାର। ସେଥିପାଇଁ  ହସ୍ପିଟାଲ ପକ୍ଷରୁ କୌଣସି ନିର୍ମାଣ କାମ କରିହେଉନି । ୨ବର୍ଷ ତଳେ ହୃଦରୋଗ ବିଭାଗ କୋଠା ତିଆରି ହୋଇଥିଲା। ହେଲେ ତାହା ହସ୍ପିଟାଲ ପଛ ରାସ୍ତାର ଆରପାଶ୍ୱର୍ରେ ଥିବା ଜମିରେ ନିର୍ମାଣ କରାଯାଇଥିଲା। ଯେହେତୁ ରାସ୍ତାର ଆରପାଶ୍ୱର୍ ଜମି ଏଏସଆଇ ଅଧୀନରେ ଆସୁନି, ତେଣୁ ନିର୍ମାଣରେ କୌଣସି ବାଧା ଉପୁଜିନଥିଲା। ଏବେ ଯଦି ଘର ଆବଶ୍ୟକ  ତେବେ ହସ୍ପିଟାଲ ଉପରେ ଆଜବେଷ୍ଟସ୍‌  ପକାଇ ଅସ୍ଥାୟୀ କୋଠରୀ ତିଆରି କରିବାକୁ ପଡୁଛି। ଯାହା ଦୀର୍ଘସ୍ଥାୟୀ ନୁହେଁ। କେବଳ ସେତିକି ନୁହେଁ, ହସ୍ପିଟାଲ ଚାରିପାଖ ଅଞ୍ଚଳ ସଙ୍କୁଚିତ ହେବାରେ ଲାଗିଛି। ଦୋକାନବଜାର ଖୋଲିଯିବା ସହ ଜନବସତି ଗଢିଉଠିଲାଣି। ତେଣୁ ହସ୍ପିଟାଲକୁ ରୋଗୀ ବାହକ ଗାଡ଼ି ଓ  ଅନ୍ୟ ଆମ୍ବୁଲାନ୍ସ ଯିବାଆସିବାରେ ଅସୁବିଧା ଉପୁଜୁଛି। ଏଣୁ ହସ୍ପିଟାଲର ଭିତ୍ତିଭୂମି ବୃଦ୍ଧି କରିବା ପାଇଁ ଏହାକୁ ସ୍ଥାନାନ୍ତର କରିବା  ନିତ୍ୟାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି। ଏବେ ନୂଆ ହସ୍ପିଟାଲ ପାଇଁ ମୋଟ ୨ ଏକର ଜମି ଦରକାର । ଏଥିପାଇଁ  ବିଭାଗୀୟସ୍ତରରେ ଆଲୋଚନା ହୋଇଛି। ନୂଆ ହସ୍ପିଟାଲ କୋଠା ପାଇଁ କିଛିଦିନ ତଳେ ମୂଳାପଡ଼ିଆରେ ଏକ ଜମି ଚିହ୍ନଟ କରାଯାଇଥିଲା। ଯେଉଁ ପୁରୁଣା ସରକାରୀ କ୍ୱାର୍ଟର୍ସ ରହିଛି, ସେଇ ସ୍ଥାନରେ ନୂଆ ହସ୍ପିଟାଲ ପାଇଁ ବିଚାର ଚାଲିଥିବା କର୍ତ୍ତୃପକ୍ଷ   କହିଛନ୍ତି । ଯଦି ସେ ସ୍ଥାନ ଉପଯୁକ୍ତ ନହୁଏ ତେବେ ବିଏମସି ସହିତ ଆଲୋଚନା କରାଯାଇ ନୂଆ ଜମି ଖୋଜାଯିବ । ଏ ସଂକ୍ରାନ୍ତରେ ହସ୍ପିଟାଲ ଏମ୍‌ଓ ଡା. ଏସଏସ ରାୟ କହିଛନ୍ତି, ନୂଆ ହସ୍ପିଟାଲ ନିର୍ମାଣ  ପାଇଁ ସରକାର ଆମକୁ ୭ କୋଟି ଟଙ୍କା ଦେଇଛନ୍ତି । ଏବେ ଜମି ଖୋଜାଚାଲିଛି । ନୂଆ ହସ୍ପିଟାଲ ହେଲେ ଅଧିକ ଚିକିତ୍ସା ସେବା ଉପଲବ୍ଧ ହେବ। ବିଭିନ୍ନ ରୋଗ ପାଇଁ ସ୍ୱତନ୍ତ୍ର  ବିଭାଗୀୟ ୱାର୍ଡ ଖୋଲିବ। ଖୁବଶୀଘ୍ର ଜମି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବ । ପ୍ରକାଶ ଥାଉକି, ୮୦ବର୍ଷର ଏହି ହସ୍ପିଟାଲ  ଏବେ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି । ହସ୍ପିଟାଲରେ ୮୦ ପ୍ରତିଶତ ଡାକ୍ତର ନଥିବା ବେଳେ ଅସ୍ଥାୟୀ ଡାକ୍ତର ରୋଗୀ ସେବା  କରୁଛନ୍ତି । କର୍ପସ ପାଣ୍ଠି ସହାୟତାରେ କ୍ୟାପିଟାଲ ହସ୍ପିଟାଲରୁ ଆନାସ୍ଥେସିଆ, ନ୍ୟୁରୋଲୋଜି ଓ ନେଫ୍ରୋଲୋଜି ବିଶେଷଜ୍ଞ ଆସୁଛନ୍ତି । ତେଣୁ ସ୍ଥାୟୀ ଡାକ୍ତର ସହ ଅଧିକ ରୋଗ ବିଭାଗ ଖୋଲିବାକୁ ବାରମ୍ବାର ଦାବି ହୋଇଆସୁଛି ।

Show More
Back to top button