ସତ୍ୟଶିଖା(ଭୁବନେଶ୍ୱର) ୨୫.୦୫.୨୦୨୧: ଆସୁଛି ବାତ୍ୟା ୟସ୍ । ଅତି ଭୀଷଣ ବାତ୍ୟା ରୂପରେ ମାଡ଼ ହେବ ବାଲେଶ୍ୱର ସଦର ଉପକୂଳ ପାଖରେ । ବୁଧବାର ମଧ୍ୟାହ୍ନ ସୁଦ୍ଧା ସ୍ଥଳଭାଗ ଛୁଇଁବ । ସେତେବେଳେ ୧୫୫ରୁ ୧୬୫ କିଲୋମିଟର ବେଗରେ ମାଡ଼ ହେବ ପବନ । ମଝିରେ ମଝିରେ ୧୮୫ କିମି ବେଗରେ ପବନ ମାଡ଼ କରି ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳକୁ ମୋଡ଼ି ମକଚି ଦେବ ୟସ୍ ।
ତା ପୂର୍ବରୁ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରଳୟ ରଚାଇବ । ଏ ତିନିଟି ଜିଲ୍ଳାକୁ ଘଷି ହୋଇଯିବ ବାତ୍ୟା ଯେତେବେଳେ ପବନର ବେଗ ସର୍ବୋଚ୍ଚ ଥିବ । କେନ୍ଦ୍ରାପଡ଼ା ଜିଲ୍ଲାଠୁ ମାତ୍ର ୨୦ରୁ ୨୫ କିଲୋମିଟର, ଭଦ୍ରକ ଉପକୂଳରୁ ୩୦ରୁ ୩୫ କିମି ଏବଂ ପାରାଦୀପଠୁ ୫୦ କିଲୋମିଟର ଦୂରରେ ଅତିକ୍ରମ କରିବ ୟସ୍ ।
ବାତ୍ୟାର କେନ୍ଦ୍ର ବଳୟ (ସର୍ବୋଚ୍ଚ ବେଗ ପବନ)ର ବ୍ୟାସାର୍ଦ୍ଧ ପ୍ରାୟ ୬୦ କିଲୋମିଟର ରହିବ । ଏହାର ଅର୍ଥ ହେଉଛି ସମୁଦ୍ରରେ ଥିଲେ ବି ସ୍ଥଳଭାଗରେ ପ୍ରଳୟଙ୍କରୀ ପବନ (୧୮୫ କିଲୋମିଟର ଯାଏ) ମାଡ଼ ହେବ ।ମଙ୍ଗଳବାର ବିଳମ୍ବିତ ରାତିରୁ ପ୍ରକୋପ ବଢ଼ାଇ ଚାଲିବ । ବୁଧବାର ସକାଳୁ ଚଳାଇବ ତାଣ୍ଡବ । ଭୟାନକ ପବନ ମାଡ଼ରେ କ୍ଷତାକ୍ତ କରିଦେବ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାକୁ ।
ୟସ୍ର ସମ୍ଭାବ୍ୟ ଗତିପଥ, ସ୍ଥିତି ଏବଂ ପବନର ବେଗ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ବାରମ୍ବାର ବଦଳାଉଛି ଆକଳନ । ପ୍ରଥମେ ଅନୁମାନ କରାଯାଉଥିଲା, ସ୍ଥଳଭାଗ ଛୁଇଁବାବେଳକୁ ବାତ୍ୟା ସାମାନ୍ୟ ଦୁର୍ବଳ ହେବ । ମାତ୍ର ଆଇଏମଡିର ତାଜା (ରାତି ୧୦ଟା ୧୫ ଜରି ପୂର୍ବାନୁମାନ) ଆକଳନରୁ ଜଣାପଡ଼ୁଛି, ମଙ୍ଗଳବାର ବିଳମ୍ବିତ ରାତିରୁ ବୁଧବାର ରାତି ପର୍ଯ୍ୟନ୍ତ ତାଣ୍ଡବ କରିବ ୟାସ୍ ।
ଅକ୍ଷାଂଶ ଓ ଦ୍ରାଘିମା ସ୍ଥିତି ସହ ଆଇଏମ୍ଡି ଦେଇଥିବା ଆକଳନ କହୁଛି, ସମ୍ଭବତଃ ୟସ୍ ଅତି ଭୀଷଣ ବାତ୍ୟା ଅବସ୍ଥାରେ ବୁଧବାର ମଧ୍ୟାହ୍ନ ପୂର୍ବରୁ ବାଲେଶ୍ୱର ସଦର ଉପକୂଳ ପାଖାପାଖି ସ୍ଥଳଭାଗ ଛୁଇଁବ । ସେତେବେଳେ ପବନ ବହୁଥିବ ୧୫୫-୧୮୫ କିମି ବେଗରେ । ବାଲେଶ୍ୱର ସଦର, ଚାନ୍ଦିପୁର, ସୋର, ଇଞ୍ଚୁଡ଼ି ଓ ସହରରେ ପ୍ରଚଣ୍ଡ ପ୍ରଭାବ ଦେଖାଇବ ୟସ୍ ।
ଦିନ ତମାମ ପୂରା ତୀବ୍ର ବେଗରେ ପ୍ରଳୟ ଭିଆଇବ । କଚ୍ଚା ଘର, ଆଜବେଷ୍ଟସ ଘର, ଚାଳ ଛପର, ଦୁର୍ବଳ କୋଠାବାଡ଼ିକୁ ମାଟିରେ ମିଶାଇ ଦେଇପାରେ । ବଡ଼ବଡ଼ ଗଛ, ବିଜୁଳି ଖୁଣ୍ଟକୁ ମୋଡ଼ି ଭାଙ୍ଗି ରାସ୍ତାରେ ଗଡ଼ାଇ ଦେବ । ବିଗାଡ଼ି ଦେଇପାରେ ବାଲେଶ୍ୱରର ଚେହେରା । ହେଲେ ଏହା ପୂର୍ବରୁ କେନ୍ଦ୍ରାପଡ଼ା ଓ ଭଦ୍ରକକୁ ଏମିତି ଘଷି ହୋଇଯିବ, ବ୍ୟାପକ କ୍ଷତି ଭିଆଇବ ।
ମଙ୍ଗଳବାର ସଂଧ୍ୟା ସାଢ଼େ ୫ଟା ବେଳେ ୟାସ୍ ଅତି ଭୀଷଣ ବାତ୍ୟା ରୂପରେ ସମୁଦ୍ରରେ ମାଡ଼ି ଆସୁଥିବ । ପୁରୀ ଉପକୂଳର ସାମନ୍ତରାଳରେ ଥିବ, ପ୍ରାୟ ୧୩୦ କିମି ଦୂରରେ । ରାତି ସାଢ଼େ ୧୧ଟା ବେଳକୁ ପାରାଦୀପଠୁ ସାମାନ୍ୟ ଦକ୍ଷିଣରେ ପ୍ରାୟ ୫୦ କିଲୋମିଟର ସମୁଦ୍ର ଭିତରେ ଅତିକ୍ରମ କରୁଥିବ । ଫଳରେ ପାରାଦୀପରେ ବି ୧୬୦ କିଲୋମିଟର ପବନ ମାଡ଼ ହେବା ଆଶଙ୍କା ରହିଛି ।