ଯମୁନା ହେବ ସ୍ବଚ୍ଛ । ଦିଲ୍ଲୀରେ ଯମୁନା ନଦୀ ସଫେଇ ପାଇଁ ନିଆଯାଇଛି ବଡ଼ ନିଷ୍ପତ୍ତି ।

ସତ୍ୟଶିଖା ୧୨/୦୭/୨୦୨୫: ଦିଲ୍ଲୀରେ ବିଜେପି ସରକାର କ୍ଷମତାକୁ ଆସିବା ପରଠୁ ଯମୁନା ଜଳ ସ୍ୱଚ୍ଛ କରିବାକୁ ଉଦ୍ୟମ ଜାରି ରହିଛି । ଯମୁନା ସ୍ୱଚ୍ଛତା କାର୍ଯ୍ୟର ସମୀକ୍ଷା କରିଛନ୍ତି ଶାହ । ୨୦୨୬ ସୁଦ୍ଧା ଯମୁନାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଯମୁନାକୁ ସ୍ୱଚ୍ଛ କରିବାକୁ ୪୫ ସୁତ୍ରୀୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଦିଲ୍ଲୀ ସରକାର ।ଖର୍ଚ୍ଚ ହେବ ୯ ହଜାର କୋଟି ଟଙ୍କା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଯମୁନା ସଫେଇ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ବୈଠକରେ କେନ୍ଦ୍ରମନ୍ତ୍ରୀ ମନୋହରଲାଲ ଖଟ୍ଟର, ସିଆର ପାଟିଲ, ଦିଲ୍ଲୀ ମନ୍ତ୍ରୀ ପରବେଶ ବର୍ମା ପ୍ରମୁଖ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ, ଯେତେବେଳେ ଦିଲ୍ଲୀ ନିର୍ବାଚନ ବିଜେପି ଜିତିଲା, ସେବେଠାରୁ ଯମୁନା ସଫେଇ ଆରମ୍ଭ କରିସାରିଥିଲା । ସେତେବେଳେ ନୂଆ ସରକାର ଗଠନ ହୋଇନଥିଲା କି ମୁଖ୍ୟମନ୍ତ୍ରୀ ମଧ୍ୟ ଚୟନ ହୋଇନଥିଲା । ହେଲେ ନିଜ ପ୍ରତିଶ୍ରୁତି ପୂରା କରିବାକୁ କାଳବିଳମ୍ବ କରିନଥିଲା ବିଜେପି । ଆରମ୍ଭ ହୋଇଥିଲା ଯମୁନା ନଦୀ ସଫେଇ କାମ ।ଦିଲ୍ଲୀ ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା ଯମୁନା ନଦୀ ପ୍ରଦୂଷଣ । ଆପ ଓ ବିଜେପି ଉଭୟ ପରସ୍ପର ଉପରେ ଦୋଷ ଲଦାଲଦି କରିବା ସହ ଏହାକୁ ନେଇ ଭୋଟ ବ୍ୟାଙ୍କ ରାଜନୀତି କରିଥିଲେ । ତେବେ ବାଜି ମାରିଥିଲା ବିଜେପି ।
ଯମୁନା ନଦୀକୁ ସଫା ରଖିବାକୁ ୬୮୨ କୋଟି ବଜେଟ ସହ ୧୯୯୩ ମସିହାରେ ପ୍ରଥମ ଅଭିଯାନ ଆରମ୍ଭ କରିଥିଲେ ତତକାଳୀନ ଦିଲ୍ଲୀ ସରକାର । ଭାରତ ଓ ଜାପାନର ମିଳିତ ଭାବେ ଆକ୍ସନପ୍ଲାନ କରାଯାଇଥିଲା । ୨୦୦୪ରୁ ୨୦୦୮ରେ ଆକ୍ସନ ପ୍ଲାନ ଟୁରେ ୧୫୧୬କୋଟି ଖର୍ଚ୍ଚ ହୋଇଥିଲା । ତୃତୀୟ ଚରଣରେ ୧୬୭୮୫ କୋଟି ଟଙ୍କା ଖର୍ଚ୍ଚ । ଏଥିସହ ୨୦୧୫ରୁ ୨୦୨୩ ମଧ୍ୟରେ କେନ୍ଦ୍ର ସରକାର ଏକହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ତଥାପି କାହିଁକି ପ୍ରଦୂଷିତ ରହିଛି ଯମୁନା ଏନେଇ ଅନେକ ପ୍ରଶ୍ନ ଉଠୁଛି ।

ଯମୁନା ନଦୀକୁ ସଫା କରିବାକୁ ୪ଟି ଚରଣର ମାଷ୍ଟରପ୍ଲାନ କରାଯାଇଛି । ୩ବର୍ଷ ଭିତରେ ସମ୍ପୂର୍ଣ୍ଣ ସଫା କରି ନଦୀକୁ ଦିଲ୍ଲୀକୁ ଆସ୍ଥା ଓ ଲାଇଫଲାଇନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅତ୍ୟାଧୁନିକ ଓ ବିଶାଳ ମେସିନ ସଫା କାମ ଆରମ୍ଭ କରିଛି । ଦଳ କହିଛି ସାବରମତୀ ରିଭରଫ୍ରଣ୍ଟ କରି ଯମୁନାକୁ ଗଢ଼ିତୋଳିବ । ସେପଟେ ଯମୁନା ନଦୀରେ ଆରମ୍ଭ ହୋଇଛି ସଂଧ୍ୟା ଆଳତୀ । ପୁଣି ଥରେ ଯମୁନାକୁ ଦିଲ୍ଲୀର ପରିଚୟ ବନାଇବାକୁ ଲକ୍ଷ୍ୟ ରଖିଛି ବିଜେପି ।

Exit mobile version