ରବିବାର ସୂର୍ଯ୍ୟ ପୂଜା କଲେ ଅନେକ ସମସ୍ୟାରୁ ମୁକ୍ତି ମିଳେ


ସତ୍ୟଶିଖା(ଭୁବନେଶ୍ୱର) ୦୩.୦୪.୨୦୨୧:
ସୂର୍ଯ୍ୟଦେବଙ୍କ ବାର ରବିବାର। ଏହି ବାରରେ ସୂର୍ଯ୍ୟଦେବଙ୍କୁ ପୂଜା କଲେ ଜୀବନର ଅନେକ ସମସ୍ୟାରୁ ମୁକ୍ତି ମିଳେ। ଜ୍ୟୋତିଷଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ଆତ୍ମାର କାରକ ଓ ଗ୍ରହମାନଙ୍କ ରାଜା ବୋଲି କୁହାଯାଇଛି। ଯେଉଁମାନଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଶୁଭ ସ୍ଥିତିରେ ଥାଆନ୍ତି ସେମାନଙ୍କ ଜୀବନରେ ଯଶ ଓ ବୈଭବର କୌଣସି ଅଭାବ ରହେନାହିଁ। ରାଜାଙ୍କ ଭଳି ଜୀବନ ଅତିବାହିତ କରନ୍ତି। ହେଲେ ସୂର୍ଯ୍ୟଙ୍କ ସ୍ଥିତି ଅଶୁଭ ଥିଲେ ବ୍ୟକ୍ତି ଅହଙ୍କାରୀ ହୁଏ। ଅପଯଶ ମିଳେ। ନାନା ରୋଗରେ ପୀଡିତ ହୋଇଥାଏ। ତେଣୁ ଶୁଭଫଳ ପ୍ରାପ୍ତ ପାଇଁ ରବିବାର ସୂର୍ଯ୍ୟଦେବଙ୍କୁ ପୂଜା କରିବାକୁ ପରାମର୍ଶ ଦିଆଯାଇଛି।
କୌଣସି ଗ୍ରହ ଅଶୁଭ ଫଳ ପ୍ରଦାନ କଲେ ତା’ର ଲକ୍ଷଣ ଓ ପ୍ରଭାବ ଦେଖାଦେଇଥାଏ। ତେଣୁ ଏହାର ସମାଧାନ କରିବାକୁ ପ୍ରୟାସ କରିବା ଉଚିତ। ଯଦି ସୂର୍ଯ୍ୟ ଦୁର୍ବଳ ଓ ଅଶୁଭ ସ୍ଥିତିକୁ ଆସନ୍ତି ତେବେ ପ୍ରକାଶିତ କରୁଥିବା ବସ୍ତୁ ହଠାତ ଖରାପ ହେବାକୁଲାଗେ। ଘରେ ତମ୍ବା ବସ୍ତୁ ଥିଲେ ସେସବୁ ହଜିବା ସହିତ ଯେଉଁଠାରୁ ପ୍ରକାଶ ଆସେ ତାହା ଅବରୋଧ ହେବାକୁଲାଗେ। ବେଳେବେଳେ ଆଖି ସମ୍ବନ୍ଧୀୟ ସମସ୍ୟା ଉପୁଜିଥାଏ। ଭୋଜନ ଅଲଣା ଲାଗେ। ପିତାଙ୍କୁ କଷ୍ଟ ହୁଏ ଏବଂ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ସମ୍ପର୍କ ଖରାପ ହୁଏ।
ସୂର୍ଯ୍ୟଦେବଙ୍କୁ ରବିବାର ବିଧି ପୂର୍ବକ ପୂଜା କଲେ ସୂର୍ଯ୍ୟଙ୍କ ଅଶୁଭ ସ୍ଥିତି ଅନେକାଂଶରେ ହ୍ରାସପାଏ। ସେଥିପାଇଁ ରବିବାର ପ୍ରାତଃ କାଳରୁ ଉଠି ସ୍ନାନ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ। ଜଳରେ ଲାଲ ଚନ୍ଦନ, ଲାଲ ଫୁଲ ମିଶାଇ ଅର୍ପଣ କଲେ ସୂର୍ଯ୍ୟ ପ୍ରସନ୍ନ ହୁଅନ୍ତି। ସୂର୍ଯ୍ୟଙ୍କୁ ସର୍ବଦା ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ଉଚିତ। ଜଳ ଅର୍ପଣ ସହ ସୂର୍ଯ୍ୟଙ୍କ ମନ୍ତ୍ର (ଓଁ ଘୁଣି ସୂର୍ଯ୍ୟ ଆଦିତ୍ୟ) ଜପ କଲେ ଶୁଭ ଫଳ ପ୍ରାପ୍ତି ହୁଏ ବୋଲି କୁହାଯାଇଛି।