

ଆଜି ବିଶ୍ୱ ନିଦ୍ରା ଦିବସ । ଆର୍ଥିକ ସଙ୍କଟ ଏବଂ କୋଭିଡ୍ ପାଇଁ ପ୍ରତି ୪ ଜଣରେ ଜଣେ ଭାରତୀୟ ଶୋଇ ପାରୁନାହାନ୍ତି । ବାର୍ଷିକ ‘ଫିଲିପ୍ସ ଗ୍ଲୋବାଲ୍ ସ୍ଲିପ୍ ସର୍ଭେ’ ରିପୋର୍ଟରୁ ଏହା ଜଣାପଡ଼ିଛି । ସର୍ଭେରେ ସାମିଲ ହୋଇଥିବା ୩୭ ପ୍ରତିଶତ ଭାରତୀୟ କହିଛନ୍ତି, ସେମାନେ ଠିକ୍ରେ ଶୋଇ ପାରୁନାହାନ୍ତି । ୨୭ ପ୍ରତିଶତ ଭାରତୀୟଙ୍କ ଅନୁଯାୟୀ ସେମାନଙ୍କୁ ନିଦ ଲାଗୁଥିଲେ ମଧ୍ୟ ଠିକ୍ରେ ଶୋଇବା ସମ୍ଭବ ହେଉନାହିଁ ।
୩୯ ପ୍ରତିଶତ ଭାରତୀୟଙ୍କର ରାତ୍ରୀରେ ବାରମ୍ବାର ନିଦ୍ରାଭଙ୍ଗ ହେଉଥିବା ସ୍ବୀକାର କରିଛନ୍ତି । ମୋଟ୍ ଉପରେ ୬୭ ପ୍ରତିଶତ ଭାରତୀୟ କହିଛନ୍ତି, ନିଦ ନେଇ ସେମାନେ ସନ୍ତୁଷ୍ଟ ଅଛନ୍ତି । ଗତବର୍ଷ ହୋଇଥିବା ସର୍ଭେରେ ୭୬ ପ୍ରତିଶତ ଭାରତୀୟ ସେମାନଙ୍କୁ ଠିକ୍ ନିଦ ହେଉଥିବା କହିଥିଲେ । ଉକ୍ତ ୨ଟି ଯାକ ସର୍ଭେରେ ୧୦୦୦ ଜଣ ସାମିଲ ହୋଇଥିଲେ ।
ସର୍ଭେରେ ସାମିଲ ହୋଇଥିବା ୬୩ ପ୍ରତିଶତ କହିଛନ୍ତି, ଆର୍ଥିକ ସଙ୍କଟ ସେମାନଙ୍କ ନିଦ୍ରାକୁ ପ୍ରଭାବିତ କରିଛି । ୫୯ ପ୍ରତିଶତ କହିଛନ୍ତି, କରୋନା ମହାମାରୀର ଚାପରେ ସେମାନଙ୍କ ନିଦ୍ରା ପ୍ରଭାବିତ ହୋଇଛି । ସେହିପରି ସର୍ଭେରେ ସାମିଲ ହୋଇଥିବା ୮୪ ପ୍ରତିଶତ କହିଛନ୍ତି, ଶୋଇବା ସମୟରେ ସେମାନଙ୍କ ଫୋନ୍ଠାରୁ ଦୂରରେ ରହୁଥିବାରୁ କଷ୍ଟ ଭୋଗୁଛନ୍ତି । ସର୍ଭେରେ ସାମିଲ ହୋଇଥିବା ୬୦ ପ୍ରତିଶତ ଭାରତୀୟ କହିଛନ୍ତି, ଶୋଇବାପାଇଁ ସେମାନଙ୍କୁ କୌଣସି ମନୋରଞ୍ଜନ ମାଧ୍ୟମର ସହଯୋଗ ନେବାକୁ ପଡ଼ୁଛି ।
୩୨ ପ୍ରତିଶତ ଭାରତୀୟ କହିଛନ୍ତି, ରାତି ଅଧରେ ମେସେଜ୍ ଏବଂ ଫୋନ୍ ପାଇଁ ସେମାନଙ୍କ ନିଦ ଭାଙ୍ଗି ଯାଉଛି । କେବଳ ୮ ପ୍ରତିଶତ ଭାରତୀୟ ଶୋଇବା ସମୟରେ ଫୋନ୍ ବ୍ୟବହାର କରୁନଥିବା କହିଛନ୍ତି । ନିଦ୍ରାରେ ସମସ୍ୟା ପାଇଁ ୪୪ ପ୍ରତିଶତ ଭାରତୀୟ ସ୍ଲିପ୍ ଟ୍ରାକର୍ ବ୍ୟବହାର କରୁଛନ୍ତି । ଅନେକ ନିଦ ବିଶେଷଜ୍ଞଙ୍କର ସହଯୋଗ ନେଇଛନ୍ତି ।