ରାଜ୍ୟଶିକ୍ଷା

ଜୁଲାଇ ୨୦ ସୁଦ୍ଧା ଚୂଡ଼ାନ୍ତ ହେବ ମାଟ୍ରିକ ପରୀକ୍ଷା କେନ୍ଦ୍ର

ସତ୍ୟଶିଖା(ଭୁବନେଶ୍ୱର) ୧୯.୦୭.୨୦୨୧: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଜୁଲାଇ ୩୦ରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅଫଲାଇନ ମାଟ୍ରିକ୍ ପରୀକ୍ଷା ପାଇଁ ଜୁଲାଇ ୨୦ତାରିଖ ମଧ୍ୟରେ କେନ୍ଦ୍ର ଚୟନ ଚୂଡାନ୍ତ ହେବ । ସେହିପରି ଏହି ପରୀକ୍ଷାଫଳ ଆସନ୍ତା ୨୨ତାରିଖ ମଧ୍ୟରେ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ଯୋଜନା ହୋଇଛି । ବୋର୍ଡ ପକ୍ଷରୁ ଜୁଲାଇ ୩୦ରୁ ଆରମ୍ଭ ହେଉଥିବା ଅଫଲାଇନ ମାଟ୍ରିକ୍ (ରେଗୁଲାର ଓ ଏକ୍ସ-ରେଗୁଲାର), ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାରେ ବୋର୍ଡ ପାଖରେ ଗଚ୍ଛିତ ଥିବା ପ୍ରଶ୍ନପତ୍ରକୁ ବ୍ୟବହାର କରାଯିବ । କିନ୍ତୁ ପୁରୁଣା ଏକ୍ସ-ରେଗୁଲାର ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠ୍ୟକ୍ରମ ଅନୁସାରେ ନୂଆ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ । ପରୀକ୍ଷା କେନ୍ଦ୍ର ଚୟନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ପିଲାଙ୍କ ସୁବିଧା ପାଇଁ କେବଳ ବ୍ଲକ୍ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟରେ ଥିବା ପ୍ରମୁଖ ବିଦ୍ୟାଳୟଗୁଡ଼ିକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଛି । ଆସନ୍ତା ୨୦ ତାରିଖ ମଧ୍ୟରେ ପରୀକ୍ଷା କେନ୍ଦ୍ର ତାଲିକା ପ୍ରକାଶ ପାଇବ । ଏଠାରେ ସୂଚନାଯୋଗ୍ୟ, ଅଫଲାଇନ୍ ପରୀକ୍ଷା ପାଇଁ ମୋଟ ୧୫,୧୧୫ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମାତ୍ର ୨୨୪୪ଜଣ । ଏହି ୨୨୪୪ଜଣ ଛାତ୍ରଛାତ୍ରୀ ବୋର୍ଡ ପକ୍ଷରୁ ସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅବଶିଷ୍ଟ ଛାତ୍ରଛାତ୍ରୀ ପତ୍ରବିନିମୟ (ଫ୍ରେସ୍ ବ୍ୟାଚ), ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ(ଫ୍ରେସ ବ୍ୟାଚ) ଓ ମାଟ୍ରିକ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି ।

Show More
Back to top button