ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟ

ସବୁ ପେଟ୍ରୋଲ୍‌ ପମ୍ପ୍‌ରେ ମିଳୁନି କ୍ୟାସବ୍ୟାକ୍

ସତ୍ୟଶିଖା (ଭୁବନେଶ୍ୱର) ୦୯/୦୧/୨୦୨୧ : ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ସମୟରେ ଦେଶରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ନେଇଥିଲେ । ସେଥିରେ ପେଟ୍ରୋଲ ପମ୍ପରେ ଡେବିଟ୍ ଏବଂ କ୍ରେଡିଟ କାର୍ଡରେ ପେଟ୍ରୋଲ, ଡିଜେଲ କିଣିଲେ ଗ୍ରାହକଙ୍କୁ ୦.୭୫ ପ୍ରତିଶତ କ୍ୟାସବ୍ୟାକ୍ ସୁବିଧା ମିଳୁଥିଲା। କିନ୍ତୁ ୨୦୧୯ ଅକ୍ଟୋବର ପହିଲାରୁ ସରକାର କ୍ରେଡିଟ୍ କାର୍ଡରେ ଏହି ସୁବିଧା ଗ୍ରାହକଙ୍କୁ ଆଉ ପ୍ରଦାନ କରୁନାହାନ୍ତି । ଏବେ କେବଳ ଡେବିଟ୍ କାର୍ଡରେ ତେଲ କିଣିଲେ ଗ୍ରାହକଙ୍କୁ କ୍ୟାସବ୍ୟାକ୍ ମିଳିବା ନିୟମ ରହିଛି । ଅର୍ଥାତ୍ ଗ୍ରାହକ ଯଦି ୧୦୦ ଟଙ୍କାର ତେଲ କିଣୁଛନ୍ତି ତାଙ୍କ ଆକାଉଣ୍ଟକୁ ୭୫ ପଇସା ଫେରୁଛି । ଏହି ସୁବିଧା କିନ୍ତୁ ରାଜ୍ୟର ଏବେ ସବୁ ପେଟ୍ରୋଲ ପମ୍ପ‌ରେ ମିଳୁନାହିଁ । ଏ ନେଇ ଏକାଧିକ ଅଭିଯୋଗ ଗ୍ରାହକଙ୍କଠାରୁ ମିଳିବାରେ ଲାଗିଛି । ଏହି ରିହାତି ନମିଳିବା କାରଣରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି ।ସରକାରୀ ତେଲ କମ୍ପାନିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟରେ ପାଖାପାଖି ୨୦୦୦ ପେଟ୍ରୋଲ ପମ୍ପ ରହିଛି । କରୋନା ପରେ ଡିଜିଟାଲ କାରବାର ବଢ଼ିଯାଇଛି । ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ସମେତ ଅନ୍ୟ ଡିଜିଟାଲ ୱାଲେଟ୍ ମାଧ୍ୟମରେ ବି ଗ୍ରାହକ ଗାଡ଼ିରେ ତେଲ ପକାଉଛନ୍ତି । ତେଣୁ ମୋଟ ତେଲ ବିକ୍ରିର ପ୍ରାୟ ୪୦ ପ୍ରତିଶତ ଡିଜିଟାଲ ପେମେଣ୍ଟରେ ହେଉଛି । ଉତ୍କଳ ପେଟ୍ରୋଲିୟ ଡିଲର ସଂଘର ହିସାବ ଅନୁଯାୟୀ, ରାଜ୍ୟରେ ଦିନକୁ ଏବେ ପ୍ରାୟ ୨୦ କୋଟି ଟଙ୍କାର ପେଟ୍ରୋଲ ଏବଂ ୫୫ କୋଟି ଟଙ୍କାର ଡିଜେଲ ବିକ୍ରି ହେଉଛି । ଅର୍ଥାତ୍ ପ୍ରତିଦିନ ପେଟ୍ରୋଲ ପମ୍ପଗୁଡ଼ିକ ୭୫ କୋଟି ଟଙ୍କାର ତେଲ ବିକ୍ରି କରୁଛନ୍ତି । ୪୦ ପ୍ରତିଶତ ଡିଜିଟାଲ କାରବାର ହିସାବକୁ ନେଲେ ଦିନକୁ ପ୍ରାୟ ୩୦ କୋଟି ଟଙ୍କା ବ୍ୟବସାୟ ଏବେ କାର୍ଡ ଓ ଅନ୍ୟ ଡିଜିଟାଲ ମୋଡ୍‌ରେ ହେଉଛି । ୩୦ କୋଟିର ଅଧା ଅର୍ଥାତ୍ ୧୫ କୋଟି ଟଙ୍କାର ତେଲ ବିକ୍ରି ଯଦି ଡେବିଟ୍‌ କାର୍ଡରେ ହେଉଥାଏ ତା’ହେଲେ ସଂପୃକ୍ତ ଗ୍ରାହକଙ୍କ ଆକାଉଣ୍ଟକୁ ୦.୭୫ ପ୍ରତିଶତ ରିହାତି ବାବଦରେ ପାଖାପାଖି ୧୧ ଲକ୍ଷ ଟଙ୍କା ଫେରିବା କଥା । ଯଦିଓ ରାଜ୍ୟର କୋତୋଟି ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ପ୍ରୋତ୍ସାହନ ରାଶି ମିଳୁନାହିଁ ତାହା ନିର୍ଦ୍ଦି‌ଷ୍ଟ ଭାବେ କୁହାଯାଇ ପାରିବ ନାହିଁ ତଥାପି ଅନେକ ସ୍ଥାନରେ ଏହା ମିଳୁନାହିଁ ବୋଲି ଗ୍ରାହକମାନେ ଅଭିଯୋଗ କରୁଛନ୍ତି ।

ଉତ୍କଳ ପେଟ୍ରୋଲିୟମ ସଂଘର ସାଧାରଣ ସମ୍ପାଦକ ସଂଜୟ ଲାଠଙ୍କ ସୂଚନା ଅନୁଯାୟୀ, ଯେଉଁ ପେଟ୍ରୋଲ ପମ୍ପରେ ସେବା ପ୍ରଦାନକାରୀ ଭାବେ ଏଜିଏସ୍‌ ସଂସ୍ଥା କାର୍ଯ୍ୟ କରୁଛି ସେଠାରେ ତୁରନ୍ତ ଗ୍ରାହକଙ୍କୁ ଏହି କ୍ୟାସବ୍ୟାକ୍ ଅର୍ଥ ମିଳିଯାଉଛି । ଅନ୍ୟ ପିଓଏସ୍‌ରେ ଏଥିପାଇଁ କିଛି ସମୟ ଲାଗୁଛି । ତେବେ ପ୍ରୋତ୍ସାହନ ରାଶି ଗ୍ରାହକଙ୍କ ଆକାଉଣ୍ଟକୁ ନଫେରିବାର ଦୁଇଟି କାରଣ ରହିଛି ବୋଲି ସେ କହିଛନ୍ତି । ପ୍ରଥମଟି ହେଲା ଡିଜିଟାଲ କାରବାର ସଂପର୍କିତ କୌଣସି ପ୍ରକାର ବୈଷୟିକ ତ୍ରୁଟି । ଅନ୍ୟ ଏକ କାରଣ ହେଲା ପେଟ୍ରୋଲ ପମ୍ପଗୁଡ଼ିକ ଯଦି ସେମାନଙ୍କ ପିଓଏସକୁ ତେଲ କମ୍ପାନିର ୱେବସାଇଟ୍ ସହିତ ଲିଙ୍କ୍‌ କରି ନଥିବେ ତେବେ ଗ୍ରାହକଙ୍କ ଆକାଉଣ୍ଟକୁ କ୍ୟାସବ୍ୟାକ୍ ବାବଦ ରାଶି ଫେରିବ ନାହିଁ । ତେଣୁ ପ୍ରଥମତଃ ଡିଜିଟାଲ ଭିତ୍ତିଭୂମିକୁ ସଜାଡ଼ିବା ସହିତ କମ୍ପାନିର ୱେବସାଇଟ୍ ସହିତ ପିଓଏସ୍‌କୁ ଲିଙ୍କ କରିଲେ ଉକ୍ତ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ମତ ଦେଇଛନ୍ତି । ତେଣୁ ପେଟ୍ରୋଲ ପମ୍ପଠାରୁ ଆରମ୍ଭ କରି ତେଲ କମ୍ପାନି, ବ୍ୟାଙ୍କ ଓ ପିଏଏସ୍‌ ସେବା ଯୋଗାଇ ଦେଉଥିବା ସଂସ୍ଥା ସମସ୍ତେ ସେମାନଙ୍କ ଦାୟିତ୍ବ ଠିକ୍‌ଭାବେ ନିର୍ବାହ କରିଲେ ଗ୍ରାହକଙ୍କୁ ଏହି ଅର୍ଥ ମିଳିପାରନ୍ତା । ଏଥିସହିତ ଅଧିକରୁ ଅଧିକ ଗ୍ରାହକ ଡେବିଟ୍‌ କାର୍ଡ ମାଧ୍ୟମରେ ତେଲ କିଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତେ ବୋଲି ମତ ପ୍ରକାଶ ପାଇଛି ।

Show More
Back to top button