

ସତ୍ୟଶିଖା,(ଦୁବାଇ) ୨୪ .୦୩ .୨୦୨୧ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ଜାରି ମହିଳା ଟ୍ୱେଣ୍ଟି୨୦ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଭାରତର ଶେଫାଳି ବର୍ମା। ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍ରେ ଶେଫାଳି ଯଥାକ୍ରମେ ୨୩ ଓ ୪୭ ରନ୍ ସଂଗ୍ରହ କରି ମାନ୍ୟତାରେ ଗୋଟିଏ ସ୍ଥାନ ଉପରକୁ ଉଠି ଅଷ୍ଟ୍ରେଲିଆର ବେଥ ମୁନିଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ନିଜ କ୍ୟାରିୟରରେ ପ୍ରଥମଥର ପାଇଁ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଶେଫାଳି। ଦକ୍ଷିଣ ଆଫ୍ରିକାର ଓପନର୍ ଲିଜେଲେ ଲିଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ଘଟିଛି। ସେ ବ୍ୟାଟିଂ ମାନ୍ୟତାରେ ୩ଟି ସ୍ଥାନ ଉପରକୁ ଉଠି ୧୧ନଂରେ ରହିଛନ୍ତି। ସେହିପରି ଲାଉରା ଉଲଭାରଡଟଟ୍ ୫ଟି ସ୍ଥାନ ଉପରକୁ ଉଠି ୨୪ ନଂରେ ରହିଥିବା ବେଳେ ଅଧିନାୟିକା ସୁନେ ଲୁସ୍ ୫ଟି ସ୍ଥାନ ଉପରକୁ ଉଠି ୩୮ ଓ ଡି’କ୍ଲାର୍କ ୩ଟି ସ୍ଥାନ ଉପରକୁ ଉଠି ୭୪ନଂରେ ରହିଛନ୍ତି। ଭାରତୀୟ ବ୍ୟାଟସମ୍ୟାନ୍ ଦିପ୍ତୀ ଶର୍ମା ୪ଟି ସ୍ଥାନ ଉପରକୁ ଉଠି ୪୦ନଂରେ ରହିଥିବା ବେଳେ ରିଚା ଘୋଷ ୫୯ଟି ସ୍ଥାନ ଉପରକୁ ଉଠି ୮୫ନଂରେ ରହିଛନ୍ତି। ଅଲରାଉଣ୍ଡର ହର୍ଲେନ୍ ଦେଓଲ୍ ବ୍ୟାଟିଂ ମାନ୍ୟତାରେ ୯୯ ଓ ବୋଲିଂ ମାନ୍ୟତାରେ ୧୪୬ନଂରେ ରହିଛନ୍ତି। ବାମହାତି ସ୍ପିନର ରାଜେଶ୍ବରୀ ଗାଏକ୍ବାର୍ଡ ବୋଲିଂ ମାନ୍ୟତାରେ ୩୪ନଂରୁ ଉପରକୁ ଉଠି ୨୫ନଂରେ ରହିଛନ୍ତି।
ଦିନିକିଆ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଦଳର ଅଧିନାୟିକା ମିତାଲି ରାଜ୍ ଗୋଟିଏ ସ୍ଥାନ ଉପରକୁ ଉଠି ୮ନଂରେ ରହିଥିବା ବେଳେ ପ୍ରିୟା ପୁନିଆ ୫ଟି ସ୍ଥାନ ଉପରକୁ ଉଠି ୫୩ନଂରେ ରହିଛନ୍ତି। ଦିନିକିଆ ଦଳଗତ ମାନ୍ୟତାରେ ଇଂଲଣ୍ଡକୁ ପଛରେ ପକାଇ ଦକ୍ଷିଣ ଆଫ୍ରିକା ୨ନଂରେ ରହିଥିବା ବେଳେ ଭାରତ ୪ନଂରେ ରହିଛି।