ସତ୍ୟଶିଖା (ଭୁବନେଶ୍ୱର) ୦୨/୦୧/୨୦୨୧ : ଝାରପଡ଼ା ଜେଲ୍ରେ ଖୋଲିଲା ମହିଳା ଅନ୍ତେବାସୀଙ୍କ ହାତ ତିଆରି ସାମଗ୍ରୀ ଷ୍ଟଲ୍ । ବଜାରଠାରୁ କମ୍ ଦାମ୍ରେ ରାଜଧାନୀବାସୀ ପାଇବେ ଶୁଦ୍ଧ ହଳଦୀଗୁଣ୍ଡା, ଅଟା, ବେସନ ଓ ମୁଢ଼ି । ମହିଳା ଅନ୍ତେବାସୀଙ୍କୁ ସ୍ଵାବଲମ୍ବୀ କରିବା ଓ ସେମାନଙ୍କ ମାନସିକ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ କରିବା ଲକ୍ଷ୍ୟରେ ପ୍ରସ୍ତୁତ ହୋଇଥିବା ଏହି ଯୋଜନା ଏବେ ଫଳବତୀ ହୋଇଛି । ଆଜି ଝାରପଡ଼ା ଜେଲ୍ ପରିସରରେ ମହିଳା କଏଦୀଙ୍କ ହାତ ତିଆରି ସାମଗ୍ରୀ ଷ୍ଟଲ୍ ଉଦ୍ଘାଟନ ହୋଇଛି । ଅପରାହ୍ଣରେ ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ଏହି ଷ୍ଟଲ୍କୁ ଉଦ୍ଘାଟନ କରିଛନ୍ତି । ସେମାନଙ୍କୁ ସ୍ଵାବଲମ୍ବୀ କରିବା ସହ ଲୋକଙ୍କୁ ଶୁଦ୍ଧ ଓ ଉନ୍ନତମାନର ଖାଦ୍ୟ ସାମଗ୍ରୀ ଯୋଗାଇବା ଲକ୍ଷ୍ୟ ପୂରଣ ହେବ ବୋଲି ଶ୍ରୀ ଉପାଧ୍ୟାୟ କହିଛନ୍ତି । ଏହି କଏଦୀମାନେ ଜେଲ୍ରୁ ମୁକୁଳିବା ପରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଏହା ପ୍ରମୁଖ କାରଣ ହେବ ବୋଲି ସେ କହିଛନ୍ତି । ବଡ଼ କଥା ହେଉଛି, ମହିଳା କଏଦୀଙ୍କ ଦୈନିକ ପାରିଶ୍ରମିକ ୧୦୦ଟଙ୍କାକୁ ବୃଦ୍ଧି କରିବାକୁ ଏହି ଯୋଜନା ସହାୟକ ହେବ ବୋଲି ସେ କହିଛନ୍ତି । ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।
ଅଟା ୩୦, ବେସନ ୮୦
ଏହି ଷ୍ଟଲ୍ରେ ଆଜିଠାରୁ ଅଟା, ବେସନ, ହଳଦୀ ଏବଂ ମୁଢ଼ି ବିକ୍ରି ଆରମ୍ଭ ହୋଇଛି । ଅଟା କେଜି ୩୦ ଟଙ୍କା ଥିବା ବେଳେ ବେସନ ୮୦ ଟଙ୍କା ଏବଂ ହଳଦୀ ଗୁଣ୍ଡ କେଜି ପ୍ରତି ୧୨୦ ଟଙ୍କା ଧାର୍ଯ୍ୟ ହୋଇଛି । ଏହି ଦାମ୍ ବଜାରଠାରୁ କମ୍ ରହିଛି ବୋଲି କହିଛନ୍ତି ଝାରପଡ଼ା ଜେଲ୍ ଅଧୀକ୍ଷକ ଡିଏନ୍ ବାରିକ । ଗହମକୁ ଭଲଭାବେ ସଫା କରାଯାଇ ଅଟା ପ୍ରସ୍ତୁତ କରାଯାଉଛି । ସେହିଭଳି ହଳଦୀଗୁଣ୍ଡ ଓ ବେସନ ପ୍ରସ୍ତୁତି ବେଳେ ମଧ୍ୟ ସଫାସୁତୁରାକୁ ଗୁରୁତ୍ବ ଦିଆଯାଉଛି । ଫଳରେ ଗ୍ରାହକମାନେ ଶୁଦ୍ଧ ଅଟା, ବେସନ ଓ ହଳଦୀ ଗୁଣ୍ଡ ପାଇବେ । ମୁଢ଼ି ପ୍ୟାକେଟ ୧୦ ଟଙ୍କାରେ ବିକ୍ରି କରାଯାଉଛି। ଅଫିସ ସମୟରେ ଏହି ଷ୍ଟଲ ଖୋଲିବ ।