

ସତ୍ୟଶିଖା : ଶ୍ରମ ଆଇନର ପରିବର୍ତ୍ତନ ଉପରେ ସରକାରଙ୍କ ବିରୁଦ୍ଧରେ ସୃଷ୍ଟି ହୋଇଥିବା ଧାରଣା ତଥା ରାଜନୈତିକ ଆକ୍ରୋଶକୁ ନଜରରେ ରଖି ବର୍ତ୍ତମାନ କର୍ମଚାରୀଙ୍କ ସର୍ବନିମ୍ନ ଦରମା ଧାର୍ଯ୍ୟ କରିବା ପାଇଁ ଅଧିକ ପ୍ରଭାବଶାଳୀ ନିୟମ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏନେଇ ଡ୍ରାଫ୍ଟ କୋଡ ଅନ େଓଜ୍ ସେଂଟ୍ରାଲ ରୁଲ ପାଇଁ ସରକାରଙ୍କ ପକ୍ଷରୁ ଏକ ଗ୍ୟାଜେଟ୍ ନୋଟିଫିକେସନ ମଧ୍ୟ ଜାରି କରିଦିଆଯାଇଛି । ତେବେ ଏହି ନୂଆ ଆଇନରେ ଦେଶର ପ୍ରାୟ ୫୦ କୋଟି କର୍ମଚାରୀ ତଥା ଶ୍ରମିକ ଉପକୃତ ହୋଇପାରନ୍ତି ବୋଲି କେନ୍ଦ୍ର ସରକାର ଆଶା ସଂଚାର କରିଛନ୍ତି ।
ପୂର୍ବରୁ ସଂସଦରେ ଏହି କୋଡ ଅନ େଓଜ ବିଲ ପାରିତ ହୋଇସାରିଥିବା ବେଳେ ସରକାର ଯୁକ୍ତି ବାଢିଛନ୍ତି ଯେ, କେବଳ ଲୋକଙ୍କର ଜୀବିକା ନୁହେଁ ବରଂ ଏହି ବିଲରେ ସେମାନଙ୍କର ଉନ୍ନତମାନର ଜୀବନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ତେବେ ସର୍ବନିମ୍ନ ଦରମା ଧାର୍ଯ୍ୟ କରିବାର ଅଧିକାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ରହିବ ବୋଲି ବିଲରେ ପ୍ରସ୍ତାବ ଦିଆଯାଇଛି । ନୂଆ ଆଇନ ଅନୁଯାୟୀ , ନିଯୁକ୍ତିକର୍ତ୍ତାଙ୍କୁ ପ୍ରତିଟି କର୍ମଚାରୀଙ୍କୁ ସାଲାରୀ ସ୍ଲିପ୍ ଦେବାକୁ ହେବ । ତେବେ ଏହା ଫିଜିକାଲ କିମ୍ବା ଇଲେକ୍ଟ୍ରୋନିକ ରୂପରେ ବି କର୍ମଚାରୀଙ୍କୁ ଦେଇପାରିବେ କଂପାନୀ ମାଲିକ । ସେହିଭଳି ସରକାରଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଏହି ନୂଆ ବିଲରେ ଅଣକୁଶଳ ବର୍ଗର ୧୨୩ ପ୍ରକାରର ବୃତିକୁ ସାମିଲ କରାଯାଇଥିବା ବେଳେ ଅର୍ଧକୁଶଳ ଶ୍ରେଣୀରେ ୧୨୭ ପ୍ରକାରର ବୃତି ଅନ୍ତର୍ଭୁକ୍ତ କରାଯାଇଛି ।
ସରକାରଙ୍କ ଏହି ନୂଆ ଫର୍ମାଟରେ କର୍ମଚାରୀଙ୍କ କାମ କରିବାର ସମୟ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି । ନୂଆ ଆଇନ ଅନୁସାରେ, ସାଧାରଣ କାର୍ଯ୍ୟ ଦିବସରେ ଜଣେ କର୍ମଚାରୀ ମାତ୍ର ୮ ଘଂଟା କାମ କରିପାରିବେ । ଆଉ ଏହି ୮ ଘଂଟା ମଧ୍ୟରେ ତାଙ୍କୁ ଥରେ କିମ୍ବା ଅଧିକ ଥର ବିରତି ମିଳିବ । କିନ୍ତୁ ଏହି ବିରତି ସମୟ ସମୁଦାୟ ୧ ଘଂଟା ଧାର୍ଯ୍ୟ କରାଯାଇଥିବା ବେଳେ କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ସାପ୍ତାହିକ ଛୁଟି ମିଳିବା ନେଇ ଏହି ନୂଆ ବିଲରେ ଉଲ୍ଲେଖ ରହିଛି ।
ଏଠାରେ ଆମେ କହି ରଖୁଛୁ ଯେ, କରୋନା ମହାମାରୀ ସଂକଟ କାଳରେ ଅନେକ ରାଜ୍ୟର ରାଜ୍ୟ ସରକାରମାନେ କର୍ମଚାରୀଙ୍କ କାମ କରିବାର ସମୟ ସୀମାକୁ ୮ ଘଂଟାରୁ ୧୨ ଘଂଟାକୁ ବୃଦ୍ଧି କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଛି ।