ଜୀବନମନ୍ତ୍ରନ୍ୟୁଜ୍ରାଜ୍ୟ

କରୋନା ଖୋଲିବ କି ଆସିକା ସୂତାକଳ ଭାଗ୍ୟ ?

ସତ୍ୟଶିଖା ୯.୦୯.୨୦୨୦ : ଆସିକା ନିକଟସ୍ଥ କଲେଜଛକ ଠାରେ ଥିବା ସୂତାକଳ । ଗଞ୍ଜାମ ଜିଲ୍ଲାର ଗର୍ବ ଓ ଗୌରବ ବହନ କରୁଥିବା ଏହି ସୂତାକଳ ଆଜି ଭୂତକୋଠି ପାଲଟି ଯାଇଛି । ୧୯୮୩ ମସିହାରେ ନିର୍ମିତ ଏହି ସୂତାକଳ ବନ୍ଦ ହୋଇ ଇତିମଧ୍ୟରେ ୭ ବର୍ଷରୁ ଅଧିକ ସମୟ ବିତି ସାରିଲାଣି ସତ। କିନ୍ତୁ ଏହାର ପୁନରୁଦ୍ଧାର ଓ ପୁନଃକାର୍ଯ୍ୟକ୍ଷମ ଦିଗରେ ରାଜ୍ୟ ସରକାର କାହିଁକି ତତ୍ପରତା ଦେଖାଉନାହାନ୍ତି, ଏହାକୁ ନେଇ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତ୍ତମାନ ପରିସ୍ଥିତିରେ ଲକ୍ଷାଧିକ ପ୍ରବାସୀ ଶ୍ରମିକ ରାଜ୍ୟ ବାହାରୁ ଭିଟାମାଟିକୁ ଫେରିଥିବା ବେଳେ ଏହି ସୂତାକଳ ବର୍ତ୍ତମାନ ଆଲୋଚନାର ପ୍ରସଙ୍ଗ ପାଲଟିଛି । ଗଣମାଧ୍ୟମଠୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ସଭିଙ୍କ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଖାଲି ଏତିକି ନୁହେଁ, କିଛି ପୁରୁଖା ରାଜନେତା ଓ ବୁଦ୍ଧିଜୀବୀମାନେ ଆସିକା ସୂତାକଳକୁ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ସରକାରଙ୍କ ପାଇଁ ଏହା ଉପଯୁକ୍ତ ସମୟ ବୋଲି ମତ ରଖିଛନ୍ତି । କାରଣ ସୂତାକଳ ବନ୍ଦ ହୋଇଯିବା ପରେ ୫୦୦ରୁ ଅଧିକ ପୁରୁଷ ଓ ମହିଳା ଶ୍ରମିକ ଜୀବିକା ହରାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ପଳାଇଥିବା ବେଳ‌େ କେବଳ ୫ଜଣ ସୁରକ୍ଷାକର୍ମୀ ଏହାକୁ ଜଗି ରହିଛନ୍ତି । ଗଞ୍ଜାମ ଜିଲ୍ଲା ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ଅଧୀନ ଇଡକଲ୍ ସହଯୋଗିତାରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ଏହି ସୂତାକଳ ସ୍ଥାପନ ହୋଇଥିଲା । ୧୯୮୭ ମସିହାରେ ଏହା କାର୍ଯ୍ୟକ୍ଷମ ହେଲା । ଏଠାରୁ ପ୍ରସ୍ତୁତ କଟନ୍ ଓ ସିନ୍ଥେଟିକ୍ ସୂତାକୁ ଓଏସଏଚଡିସିଏଲ୍ ଭୁବନେଶ୍ବର, ଓଏସ୍‌ଏଚ୍‌ଡବ୍ଲୁସିଏସଏଲ୍ ଭୁବନେଶ୍ବର ଓ ଏନଏଚଡିସିଏଲ୍ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ ଓ କାନପୁର ଭଳି ସହରକୁ ପଠାଯାଉଥିଲା । ଉନ୍ନତମାନର ଯନ୍ତ୍ରପାତି ସାଙ୍ଗକୁ ଗଞ୍ଜାମ ଜିଲ୍ଲା ଓ ବାହାରୁ ତୁଳା ଏବଂ ଅନ୍ୟ କଞ୍ଚାମାଲ୍ କିଣି ସୂତା ପ୍ରସ୍ତୁତ ହେଉଥିଲା । ଯାହାକି ସାରା ଦେଶରେ ସୁନାମ ଅର୍ଜନ କରିଥିଲା ।

ହେଲେ ୨୦୦୦ ମସିହା ବେଳକୁ ଏହି ଶିଳ୍ପ ଉପରେ ଦୁର୍ଭାଗ୍ୟର କଳା ବାଦଲ ଘୋଟି ଆସିଲା । ଆଉ ଧୀରେ ଧୀରେ ସମୟଚକ୍ର‌ରେ ଏହା ବନ୍ଦ ହୋଇଗଲା । ନିଜସ୍ବ ଓ ଲିଜ୍ ଆକାରରେ ୬୬.୨୫ଏକର ଜାଗା ଉପରେ ନିର୍ମିତ ଏହି ସୂତାକଳକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୦୫ ମସିହା ଡିସେମ୍ବରରେ ନିଲାମ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହେଲା । ଆଉ ଶାଗମାଛଦରରେ କୋଲକାତାର ‘ଜର୍ଜ ଡ୍ରିଷ୍ଟ୍ରିବ୍ୟୁଟର୍ସ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଏକ ସଂସ୍ଥାକୁ ସୂତାକଳକୁ ବିକ୍ରି କରିଦିଆ ଯାଇଥିଲା । ଉକ୍ତ ବେସକାରୀ ସଂସ୍ଥା ଏଠାରେ ପୁଣି ଉତ୍ପାଦନ କାମ ଆରମ୍ଭ କରିଥିଲେ । ୨୫୨୨୮ ସ୍ପିଣ୍ଡଲ୍‌ସ୍ କ୍ଷମତା ବିଶିଷ୍ଟ ଏହି ସୂତାକଳ ବେସରକାରୀ ସଂସ୍ଥା ହାତକୁ ଗଲା ସତ। କିନ୍ତୁ ଏହାର ଠିକ୍ ପରିଚାଳନା ହୋଇପାରିଲାନି । ଶ୍ରମିକଙ୍କ ମଜୁରି ବୃଦ୍ଧି ସମେତ ବିଭିନ୍ନ ସମସ୍ୟା କାରଣରୁ ୨୦୧୨ ମସିହାରେ ସୂତାକଳରେ ତାଲା ଠୁଙ୍କି ଦିଆଗଲା ।ଏହା ମଧ୍ୟରେ ୭ ବର୍ଷରୁ ଅଧିକ ସମୟ ବିତିସାରିଛି । ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ଲାଗି ସରକାରୀସ୍ତରରେ ବହୁବାର ଆଲୋଚନା ହେବା ସହ ଅନେକ ବୁଦ୍ଧିଜୀବୀ ଏଥିପାଇଁ ସ୍ବର ଉଠାଇଛନ୍ତି । ୨୦୧୩ ମସିହା ଅକ୍ଟୋବର ୧୨ ତାରିଖରୁ ଏହି ସୂତାକଳ ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି । ବିଧାନସଭା‌ରେ ତତ୍କାଳୀନ ବିଧାୟକ ଦେବରାଜ ମହାନ୍ତି ଏହାର କାର୍ଯ୍ୟକ୍ଷମ ହେବାକୁ ନେଇ ପ୍ରଶ୍ନ ଉଠାଇଥିଲେ । ୨୦୧୪ ମସିହା ନଭେମ୍ବର ୨୬ ତାରିଖରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନପ୍ରତିନିଧି ଏବଂ ବିଭିନ୍ନ ବିଭାଗର ପଦାଧିକାରୀ, ଶ୍ରମ ଅଧିକାରୀ, ସୂତାକଳର ପଦାଧିକାରୀ ଓ ଶ୍ରମିକଙ୍କ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ବସିଥିଲା । କିନ୍ତୁ ଏହାକୁ ଆରମ୍ଭ କରିବା ଲାଗି କୌଣସି ରାସ୍ତା ବାହାରି ନ ଥିଲା । ଫଳରେ କୋଟି କୋଟି ଟଙ୍କା ବ୍ୟୟ‌ରେ କିଣାଯାଇଥିବା ଯନ୍ତ୍ରପାତି ସବୁ ଖତ ଖାଉଛି । ଏହାସହ ହଜାର ହଜାର ବର୍ଗଫୁଟ କୋଠା ଏବେ ନଷ୍ଟ ହେବାକୁ ବସିଲାଣି l

କୋଠା ପରିସରରେ ଲତାବୁଦା ମାଡ଼ିଯାଇଥିବା ବେଳ‌େ ରାସ୍ତାର ବି ସମାନ ଅବସ୍ଥା । ଭିତରେ ବାର୍‌ହା ରହୁଛନ୍ତି । ହେଲେ କ୍ଷୋଭର ବିଷୟ ହେଉଛି, ଏହାକୁ ବର୍ତ୍ତମାନ ପରିସ୍ଥିତିରେ ପୁନଃ କାର୍ଯ୍ୟକ୍ଷମ ପାଇଁ ପ୍ରକ୍ରିୟା ଆରମ୍ଭ କରି ପ୍ରବାସୀଙ୍କୁ ରୋଜଗାରକ୍ଷମ କରାଇବାରେ ସରକାର ଆନ୍ତରିକତା ଦେଖାଉନାହାନ୍ତି । କାରଣ ଏହା କାର୍ଯ୍ୟକ୍ଷମ ହେଲେ ତନ୍ତକଳା ଉପରେ ବହୁ ପ୍ରବାସୀଙ୍କ ଅଭିଜ୍ଞତା ଓ ଜ୍ଞାନର ସଦୁପଯୋଗ ହୋଇପାରିବ। ଅନ୍ୟ ଯୋଜନା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି ଏହାର ପୁନରୁଦ୍ଧାର ପାଇଁ ତିଳେ ମାତ୍ର ଚିନ୍ତା କରିନାହାନ୍ତି । କେବଳ ପର୍ଯ୍ୟାପ୍ତ କଞ୍ଚାମାଲ୍ ଯୋଗାଣ ଓ ରକ୍ଷଣାବେକ୍ଷଣ ହୋଇପାରିଲେ ଏହି ସୂତାକଳର ପୁଣି ସ୍ଵlଭାବିକ ସ୍ଥିତି ଫେରିଆସିବ ଓ ଆଉ ଶତାଧିକ ପ୍ରବାସୀ ଏଥିରେ ନିୟୋଜିତ ହୋଇ ରୋଜଗାରକ୍ଷମ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି ।

Show More
Back to top button