ସତ୍ୟଶିଖା (ଭୁବନେଶ୍ୱର) ୧୨.୧୦.୨୦୨୦ : ରାଜଭବନ ଛକ ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ଆଉ କେତେଟା ଦିନ ପରେ ସପ୍ତାହେ ବିତିବ । ବିସ୍ଫୋରଣ କିପରି ହେଲା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ମିଳିଥିବା ସୁତ୍ରନୁସାରେ ମୋବାଇଲ ଫୋନ୍ରେ କଥା ହେବା ଯୋଗୁଁ ବିସ୍ଫୋରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଯାହାର କିଛି ତଥ୍ୟ ପୋଲିସକୁ ହସ୍ତଗତ ହୋଇଛି ବୋଲି ସୂଚନା ମିଳିଛି । ତେବେ ଏସବୁ ଭିତରେ ପେଟ୍ରୋଲ ପମ୍ପରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିଃ(ଆଇଓସିଏଲ୍)ର ବୈଷୟିକ ଟିମ୍ ପୁଣି ମଧ୍ୟ ତନାଘନା କରିଛନ୍ତି । ରାଜଭବନ ଛକ ପାଶ୍ୱର ବିସ୍ଫୋରଣସ୍ଥଳରେ ଟିମ୍ ପୁଣି ଯାଞ୍ଚ କରିଛି । ଯାଞ୍ଚ ପ୍ରକ୍ରିୟା ପାଇଁ ପେଟ୍ରୋଲ ପମ୍ପ ପରିସରକୁ ସିଲ୍ କରାଯାଇଛି । ଆଇଓସିଏଲ୍ର ବରିଷ୍ଠ ଅଧିକାରୀ ଏମ୍ ଏସ୍ ଶର୍ମାଙ୍କ ସହ ରାଜା ଗଣେଷ ମୂର୍ତ୍ତୀ ଓ ଅନୀଲ କୁମାର ରବିବାର ପୂର୍ବାହ୍ନ ୧୧ଟା ବେଳେ ପୁଣି ଘଟଣାସ୍ଥଳକୁ ଯାଇଥିଲେ । ଏହା ପୂର୍ବରୁ ପମ୍ପର ଦୁଇଟି ପ୍ରବେଶ ପଥକୁ ବନ୍ଦ କରାଯାଇଥିଲା। ବିସ୍ଫୋରଣ ପଛପାଶ୍ୱରେ ଭାଙ୍ଗିଥିବା ପାଚେରି ଫାଙ୍କରେ ମଧ୍ୟ ଆଜବେଷ୍ଟସ୍ ଯୋଗେ ଯୋଡ଼ାଯାଇଥିଲା । ଟିମ୍ ପାଖାପାଖି ଘଣ୍ଟାଏ ଧରି ପମ୍ପ ପରିସରରେ ରହିଥିଲା । ଦୁଇ ଏଲ୍ପିଜି ଟାଙ୍କିକୁ ସଂଯୋଗ କରୁଥିବା ଭାଲ୍ବ ଓ ବିସ୍ଫୋରଣ ସ୍ଥଳରେ ଭଙ୍ଗା ଅବସ୍ଥାରେ ପଡି଼ଥିବା ଅନ୍ୟ ଯନ୍ତ୍ରାଂଶକୁ ଅଧିକାରୀମାନେ ତନ୍ନତନ୍ନ କରି ଯାଞ୍ଚ କରିଥିଲେ ।
ଏହାବାଦ୍ ଟିମ୍ର ଅଧିକାରୀ ଘଟଣାସ୍ଥଳରେ ପୂର୍ବରୁ ଯାଞ୍ଚ କରିସାରିଥିବା ଫୋରେନ୍ସିକ ଅଧିକାରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ଅଘଟଣରେ କାହାର ଭୂଲ ରହିଥିଲା? କେଉଁଠି ତ୍ରୁଟି ରହିଲା? ବିସ୍ଫୋରଣସ୍ଥଳରୁ ଏନେଇ କିଛି ପ୍ରମାଣ ମିଳିଛି କି? ଏନେଇ ପଚାରି ବୁଝିଛନ୍ତି । ପେଟ୍ରୋଲିୟମ୍ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେନସ (ପେସୋ)ର ଅଧିକାରୀଙ୍କୁ ଟିମ୍ ଭେଟିବାର ଯୋଜନା ରହିଛି ।ଆସନ୍ତା ୨ ଦିନ ଯାଏଁ ଟିମ ଏଠାରେ ରହିବ । ସମସ୍ତ ଦିଗରୁ ଯାଞ୍ଚ ପ୍ରକ୍ରିୟା ସରିବା ପରେ ଟିମ୍ ପକ୍ଷରୁ ପୁଲିସ କମିଶନର ଓ ଆଇଓସିଏଲ୍ର ମୁଖ୍ୟାଳୟକୁ ରିପୋର୍ଟ ଦିଆଯିବ ।