ନ୍ୟୁଜ୍ସ୍ୱାସ୍ଥ୍ୟ

କେଉଁ ଅଙ୍ଗ ପାଇଁ କେଉଁ ଖାଦ୍ୟ

ଡାକ୍ତର ଦିଲ୍ଲୀପ କୁମାର ମହାରଣା

ସତ୍ୟଶିଖା( ଭୁବନେଶ୍ୱର )୩୧.୧୦.୨୦୨୨: 

ମଣିଷର ବିଭିନ୍ନ ଅଙ୍ଗ-ପ୍ରତ୍ୟଙ୍ଗକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ତଥା ସୁସ୍ଥ ରଖିବା ନିମନ୍ତେ ଅଲଗା ଅଲଗା ଖାଦ୍ୟ ଗ୍ରହଣ କରାଯାଇପାରେ । କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ନିର୍ଦ୍ଦିଷ୍ଟ ଅଙ୍ଗକୁ ପ୍ରଭାବିତ କରିପାରେ । ଯେପରିକି –
ୱାଲ୍‌ନଟ : ଏହା ମସ୍ତିଷ୍କ ପାଇଁ ଉପାଦେୟ । ଏଥିରେ ରହିଛି ଓମେଗା-୩ ତୈଳଯୁକ୍ତ ଅମ୍ଳ । ଏହା ମଗଜରେ ଥିବା କୋଷଗୁଡ଼ିକୁ ସକ୍ରିୟ ରଖିବାରେ ସହାୟକ ହୋଇଥାଏ । ସେମାନେ ପରସ୍ପର ସହ ଉପଯୁକ୍ତ ଯୋଗାଯୋଗ ରକ୍ଷା କରିପାରନ୍ତି । ଏହାଦ୍ୱାରା ସ୍ନାୟୁବିକ ସ୍ୱାସ୍ଥ୍ୟ ଭଲରୁହେ । ସ୍ମୃତି ଶକ୍ତି ବଢ଼ିଥାଏ ।
ଗାଜର : ଏହା ବିଟା-କାରୋଟିନ୍‌ରେ ଭରପୂର । ଶରୀର ମଧ୍ୟରେ ଏହା ଜୀବସାର- \”କ\’ କୁ ରୂପାନ୍ତରିତ ହୋଇଥାଏ । ଚକ୍ଷୁର ସ୍ୱଚ୍ଛପଟଳରେ ଥିବା କୋଷଗୁଡିକୁ ଏହା ସୁରକ୍ଷିତ ରଖିଥାଏ । ଏହା ଦୃଷ୍ଟିଶକ୍ତି ବୃଦ୍ଧିକାରୀ । ଧୂଳି-ଧୂଆଁ, ଜ୍ୱଳନ ତଥା ଜୀବାଣୁ ସଂକ୍ରମଣରୁ ଏହା ଆଖିକୁ ରକ୍ଷା କରିପାରେ ।
ଅଙ୍ଗୁର : ଗାଢ଼ ରଙ୍ଗର ସମସ୍ତ ଅଙ୍ଗୁରରେ ଫ୍ଲାଭୋନଏଡ଼୍ ବିଦ୍ୟମାନ । ଏହା ବିଭିନ୍ନ ପ୍ରକାରର ହୃଦ୍‌ରୋଗ, କର୍କଟ ଆଦିରୁ ରକ୍ଷାକରେ । ରକ୍ତଚାପକୁ ନିୟନ୍ତ୍ରିତ କରିପାରେ । ପୁଣି ମସ୍ତିଷ୍କର ବାର୍ଦ୍ଧକ୍ୟ-ପ୍ରକ୍ରିୟାକୁ କିଛି ପରିମାଣରେ ପ୍ରଭାବିତ କରିପାରେ ।
ତରଭୁଜ ଓ କମଳା : ଏହି ଦୁଇଟି ଫଳ ଉଭୟ ସ୍ତ୍ରୀ ପୁରୁଷଙ୍କ ବକ୍ଷଦେଶ ପାଇଁ ଅତ୍ୟନ୍ତ ହିତକାରୀ । ଏଥିରେ ଜୀବସାର \”ଗ\’ର ଉପସ୍ଥିତି ଅଜଣା ନୁହେଁ । ପ୍ରାକୃତିକ ଉତ୍ସରୁ ମିଳୁଥିବା ଏହି ଜୀବସାର ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ପ୍ରତିରୋଧ କରିଥାଏ ।
ଅମୃତଭଣ୍ଡା : ପାଚିଲା ହେଉ କି କଂଚା; ଅମୃତଭଣ୍ଡା ହଜମ ଶକ୍ତି ବୃଦ୍ଧିକାରକ । ସକାଳେ ଏବଂ ସନ୍ଧ୍ୟାରେ ନିୟମିତ ଭାବେ ଏହାକୁ ଖାଦ୍ୟରେ ଗ୍ରହଣ କଲେ ଯାବତୀୟ ପେଟ-ବେମାରିରୁ ମୁକ୍ତି ମିଳିଥାଏ ।
କନ୍ଦମୂଳ : ଏହା ଅଗ୍ନ୍ୟାଶୟର କାର୍ଯ୍ୟକ୍ଷମତା ବଜାୟ ରଖିବା ଲାଗି ବେଶ୍ ଉପଯୋଗୀ । ଏହା ଶର୍କରା ଯୋଗାଉଥିବାରୁ ଅଗ୍ନ୍ୟାଶୟକୁ ଥକିବାକୁ ଦିଏନାହିଁ । ପୁଣି ରକ୍ତରେ ଶର୍କରାକୁ ନିୟନ୍ତ୍ରିତ କରିଥାଏ ।
ଅଲିଭ୍ : ମହିଳାଙ୍କ ପାଇଁ ଏହାକୁ ଏକ ମହୌଷଧୀ କୁହାଯାଇପାରେ । ଯେଉଁ ମହିଳାମାନେ ନିୟମିତ ଭାବେ ଖାଦ୍ୟରେ ଅଲିଭ୍ ତେଲ ବ୍ୟବହାର କରନ୍ତି, ସେମାନଙ୍କୁ ଡିମ୍ବାଶୟ କର୍କଟ ହେବାର ଆଶଙ୍କା ପ୍ରାୟ ନାହିଁ । ତା\’ଛଡ଼ା ଅନ୍ୟ ଖାଦ୍ୟ ଉପଯୋଗୀ ତେଲ ତୁଳନାରେ ଏହା କମ୍ କ୍ଷତିକାରକ ।
ସମସ୍ତ ଖାଦ୍ୟଦ୍ରବ୍ୟକୁ ଭଲ ଭାବେ ପରିଷ୍କାର କରି ଖାଆନ୍ତୁ । ଏହା ଯେପରି କଂଚା ନଥିବ ବା ଅତ୍ୟଧିକ ପାଚିଲା ହୋଇନଥିବା ସେ ଦିଗକୁ ଦେଖନ୍ତୁ । କାରଣ ଏହା ହଜମ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିଥାଏ । ବିଶେଷକରି ଫଳ ଖାଉଥିଲେ ତୁରନ୍ତ ପାଣି ପିଅନ୍ତୁ ନାହିଁ ଏବଂ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ଫଳ ଖାଆନ୍ତୁ । ଏକ ଉତମ ଶରୀର ପାଇଁ ଆପଣଙ୍କ ଆଧ୍ୟାତ୍ମିକ ରୁଟିନ ବନ୍ଧା ଜୀବନ ଅତ୍ୟନ୍ତ ଉପାଦେୟ ।
ଶିଖରପୁର ଉପରସାହି, କଟକ,ମୋ:୮୨୮୦୯୬୩୨୮୩/ ୯୪୩୮୫୮୩୨୮୯,

Show More
Back to top button