

ସତ୍ୟଶିଖା(ପୁରୀ ) ୨୨.୧୧.୨୦୨୧: କୋଟି ଓଡ଼ିଆଙ୍କ ମଉଡ଼ମଣୀ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ଏବେ ସେହି ମହାପ୍ରଭୁଙ୍କ ରତ୍ନଭଣ୍ଡା ଚାବି ହଜିବାକୁ ନେଇ ସୃଷ୍ଟି ହୋଇଛି ଗୋଳମାଳିଆ ପରିସ୍ଥିତି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି କେଉଁଠି ରହିଛି? ସତରେ କଣ ହଜିଯାଇଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି? ନା ପୁରୀ ପ୍ରଶାସନ ପାଖରେ ରହିଛି? ଯାହାକୁ ନେଇ ବଢୁଛି ଭକ୍ତଙ୍କ ମନରେ ସନ୍ଦେହ ଓ ସେବାୟତଙ୍କ ସଂଶୟ।
ଦୁଇଦିନ ତଳେ ସୂଚନା ଅଧିକାର ଆଇନ୍ (ଆରଟିଆଇ)ରେ ମିଳିଥିବା ତଥ୍ୟ ଅନୁସାରେ ୧୯୭୦ ମସିହା ପରଠୁ ପୁରୀ ଜିଲ୍ଲା କୋଷାଗାରରେ ଆଉ ରତ୍ନଭଣ୍ଡାର ଚାବି ଜମା ହୋଇନାହିଁ। ଖୋଦ୍ ଟ୍ରେଜେରୀ ଅଫିସର ୨୦୧୮ ଏପ୍ରିଲ୍ ୪ ତାରିଖରେ ତତ୍କାଳୀନ ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିଲେ। ଏହା ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବିକୁ ନେଇ ସୃଷ୍ଟି ହୋଇଛି ଗୋଳମାଳିଆ ପରିସ୍ଥିତି।
ଗୋଳମାଳିଆ ପରିସ୍ଥିତି ଏହିଥିପାଇଁ- ଯଦି ଟ୍ରେଜେରୀ ଅଫିସରଙ୍କ କଥା ସତ ହୋଇଥାଏ, ତାହାହାଲେ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲା ହୋଇ ଅଳଙ୍କାର ଗଣତି ହୋଇଥିଲା କେମିତି? ତା’ସହ ୧୯୮୨ ମସିହାରେ କଳାହାଟ ଦ୍ୱାରର ରୁପା ଛାଉଣୀ ପାଇଁ ରତ୍ନଭଣ୍ଡାରରୁ ରୁପା ଆସିଲା କେମିତି ? ୧୯୮୫ ମସିହାରେ ବଡ଼ଠାକୁର ବଳଭଦ୍ରଙ୍କ ଚିତା ମରାମତି ପାଇଁ ସୁନା ଅଣାଗଲା କେମିତି? ସବୁଠାରୁ ବଡ଼ କଥା ହେଉଛି ସେତେବେଳେ ରତ୍ନଭଣ୍ଡାର ଖୋଲିବାକୁ ଚାବି ଆସୁଥିଲା କେଉଁଠୁ? ସେ ଚାବି କାହା ପାଖରେ ରହୁଥିଲା? ଚାବି ଯାହା ପାଖରେ ରହୁନା କାହିଁକି ତାଙ୍କଠୁ ୨୦୧୮ ଏପ୍ରିଲ ୪ ତାରିଖରେ ଆଣି ୧୭ ଜଣିଆ ଯାଞ୍ଚ କମିଟି ଭିତର ରତ୍ନଭଣ୍ଡାର କାହିଁକି ଖୋଲିଲେ ନାହିଁ? ଏଭଳି ଅସମାହିତ ପ୍ରଶ୍ନ କେବଳ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କୁ ନୁହେଁ, ଖୋଦ ଭଣ୍ଡାର ମେକାପଙ୍କୁ ମଧ୍ୟ ଚକିତ କରିଛି।