କେବେ ଖୋଲିବ ସ୍କୁଲ ? କିଭଳି ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ?

ସତ୍ୟଶିଖା ୦୨/୦୧/୨୦୨୧ : ମେ’ ମାସରେ ସିବିଏସ୍ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ଓଡ଼ିଶାର ଦୁଇ ବୋର୍ଡ ଯଥା ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ସି) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଉପରେ ଛାତ୍ରଛାତ୍ରୀଙ୍କ ନଜର । ଏ ପର୍ଯ୍ୟନ୍ତ କ୍ଲାସରୁମ୍ ପାଠପଢ଼ା ହୋଇ ନ ଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କିଭଳି ହେବ, ତାହାକୁ ନେଇ ସମସ୍ତେ ଚିନ୍ତାରେ । ଏପ୍ରିଲ କିମ୍ବା ମେ’ ମାସରେ ପରୀକ୍ଷା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନଭେମ୍ବର ମାସରେ ସୂଚନା ଦେଇଥିଲେ ।
ଛାତ୍ରଛାତ୍ରୀଙ୍କ ୩ ମାସ କ୍ଲାସରୁମ୍ ପାଠପଢ଼ା ହେବା ପରେ ଯାଇ ପରୀକ୍ଷା କରାଯିବାକୁ ସ୍ଥିର ହୋଇଛି । ତେବେ ଏପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଏମିତିକି ଜାନୁଆରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦେଶାବଳୀରେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ କିଛି ସୂଚନା ଦିଆଯାଇ ନାହିଁ । କେବଳ ଜାନୁଆରି ୩୧ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ବନ୍ଦ ରହିବ ବୋଲି କୁହାଯାଇଛି । ଏଭଳି ସମୟରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି । କେବେ ସ୍କୁଲ ଖୋଲିବ, କେମିତି ପାଠପଢ଼ା ହେବ, କେବେ ପରୀକ୍ଷା କରାଯିବ, ଏହାକୁ ନେଇ ଚିନ୍ତାରେ । ପ୍ରାୟ ସାଢ଼େ ୫ଲକ୍ଷ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେବାକୁ ଥିବା ବେଳେ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଭାଗ ନେବେ ।ମୋଟ ଉପରେ ପାଖାପାଖି ୯ ଲକ୍ଷ ଛାତ୍ରଛାତ୍ରୀ ଏଥର ଉକ୍ତ ଶ୍ରେଣୀର ବୋର୍ଡ ପରୀକ୍ଷା ଦେବେ । କ୍ଲାସରୁମ୍ ପାଠପଢ଼ା ହୋଇପାରୁ ନ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷା ଦିଆଯାଉଛି । ଟିଭି, ରେଡିଓ, ମୋବାଇଲ୍ ଆପ୍, ହ୍ପାଟସ୍ଆପ୍ ମାଧ୍ୟମରେ ପିଲାଙ୍କ ନିକଟରେ ଶିକ୍ଷା ପହଞ୍ଚୁଛି । ତା’ ପରେ ବି ୫୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଅନ୍ଲାଇନ୍ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ସେମାନଙ୍କ ଲାଗି ଏବେ କେବଳ କ୍ଲାସରୁମ୍ ଶିକ୍ଷା ହିଁ ଏକମାତ୍ର ଭରସା । କେବେ ଶିକ୍ଷାନୁଷ୍ଠାନ ଖୋଲିବ ଓ କେମିତି ପାଠପଢ଼ା ହେବ, ତାହାକୁ ଚାତକ ଭଳି ଚାହିଁ ରହିଛନ୍ତି । ଏପର୍ଯ୍ୟନ୍ତ ଫର୍ମ ପୂରଣ ବି ହୋଇପାରି ନାହିଁ। କରୋନା ସମୟରେ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବାରୁ ପରୀକ୍ଷା ଫି’ ଛାଡ଼ କରିବାକୁ ଦାବି ଉଠିଲାଣି ।
ସିବିଏସ୍ଇ ପରିଚାଳିତ ସ୍କୁଲର ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ବି ଚିନ୍ତାରେ । କାରଣ ଏପର୍ଯ୍ୟନ୍ତ କ୍ଳାସରୁମ୍ ପାଠପଢ଼ା ହୋଇପାରି ନାହିଁ । ଯାହା କିଛି ପାଠପଢ଼ା କେବଳ ଅନ୍ଲାଇନ୍ରେ । ଶତପ୍ରତିଶତ ସଫଳତା ମିଳିନି। ମେ’ ୪ରେ ପରୀକ୍ଷା ହେବା ନେଇ ତାରିଖ ଘୋଷଣା ହୋଇଥିବାରୁ ଯେତେଶୀଘ୍ର ସମ୍ଭବ ସ୍କୁଲ ଖୋଲିବା ଲାଗି ଛାତ୍ରଛାତ୍ରୀ ମତପ୍ରକାଶ କରିଛନ୍ତି । କୋଭିଡ୍-୧୯ କଟକଣା ମଧ୍ୟରେ ସ୍କୁଲ ଖୋଲିବା ଲାଗି କର୍ତୃପକ୍ଷମାନେ ବି କହିଛନ୍ତି । କାରଣ ହାତରେ ଆଉ ମାତ୍ର ୪ ମାସ ସମୟ ରହୁଛି । ମାର୍ଚ୍ଚ ମାସ ୧ ତାରିଖରେ ପ୍ରାକ୍ଟିକାଲ ପରୀକ୍ଷା ହେବ । ତେଣୁ ଯଦି ଜାନୁଆରିରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦିଅନ୍ତି ତେବେ ଯାଇ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ ଓ ଥିଓରି ଶିକ୍ଷା ଦିଆଯିବା ସମ୍ଭବପର ହେବ ବୋଲି ସ୍କୁଲ କର୍ତୃପକ୍ଷ ମତାମତ ଦେଇଛନ୍ତି ।
ଜାନୁଆରିରେ ସ୍କୁଲ ଖୋଲିବା ଲାଗି କେତେକ ରାଜ୍ୟ ପଦକ୍ଷେପ ନେଇ ସାରିଛନ୍ତି । ଜାନୁଆରି ୪ରୁ ବିହାର ସମେତ କେତେକ କେନ୍ଦ୍ରଶାସିତ ଅଞ୍ଚଳରେ ସ୍କୁଲ ଖୋଲିବ । କର୍ଣ୍ଣାଟକରେ ଜାନୁଆରି ପହିଲାରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଥିବା ବେଳେ ଜାନୁଆରି ପହିଲାରୁ ସମସ୍ତ ଶ୍ରେଣୀର ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ଆସାମ ସରକାର ଘୋଷଣା କରିଛନ୍ତି । ଜୁନ୍ରେ ପରୀକ୍ଷା କରିବାକୁ ପଶ୍ଚିମବଙ୍ଗ ସରକାର ଘୋଷଣା କରି ସାରିଛନ୍ତି । ତେଣୁ ଏବେ ସମସ୍ତଙ୍କ ନଜର ଓଡ଼ିଶା ସରକାରଙ୍କ ଉପରେ । କେବେ ଓ କେଉଁଭଳି ନିୟମରେ ସ୍କୁଲ ଖୋଲିବାକୁ ଅନୁମତି ଦେଉଛନ୍ତି, ତାହାକୁ ଚାହିଁ ରହିଛନ୍ତି ଲକ୍ଷାଧିକ ଛାତ୍ରଛାତ୍ରୀ ।