ସତ୍ୟଶିଖା (ଭୁବନେଶ୍ୱର) ୦୯/୧୨/୨୦୨୦ : ରାଜ୍ୟରେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ କେବେ ଖୋଲିବ? କ୍ଲାସରୁମ୍ ପାଠପଢ଼ା ପରେ ପରୀକ୍ଷା ହେବ ନା ଅନ୍ଲାଇନ୍ ପାଠପଢ଼ାକୁ ଆଧାର କରି ପିଲାଙ୍କ ପରୀକ୍ଷା କରାଯିବ । ଯଦି କ୍ଲାସରୁମ୍ ପାଠପଢ଼ା ପରେ ପରୀକ୍ଷା ହୁଏ, ତେବେ କେତେ ମାସ କ୍ଲାସ କରାଯିବ । କେଉଁ ମାଧ୍ୟମରେ ହେବ? ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକାଠି ବସାଇ ପାଠପଢ଼ା ହେବ ନା ପର୍ଯ୍ୟାୟକ୍ରମେ କ୍ଲାସ କରିବାକୁ ଡକାଯିବ । ରାଜ୍ୟ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଏବେ ପୁଣିଥରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ବିଶେଷକରି ସ୍ବତନ୍ତ୍ର ରିଲିଫ୍ କମିସନର୍ (ଏସ୍ଆରସି)ଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସମ୍ପୃକ୍ତ ବିଭାଗ ଉପରେ ଛାଡ଼ିବା, ଯୁକ୍ତ୨ କଲେଜ କ୍ୟାମ୍ପସ ସଫା କରିବା, ଗବେଷଣାରତ ଛାତ୍ରଛାତ୍ରୀଙ୍କ ଲାଗି କଲେଜ ଓ ବିଶ୍ୱବିଦ୍ୟାଳୟ ଲାବରେଟୋରି ଖୋଲିବା ନେଇ ଅନୁମତି ପରେ ଡିସେମ୍ବରରୁ ପାଠପଢ଼ା ହେବାର ସମ୍ଭାବନା ସୃଷ୍ଟି ହୋଇଛି । ତେବେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଶିକ୍ଷାବର୍ଷ ସ୍ପଷ୍ଟ କରି ନ ଥିବାରୁ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ବୈଷୟିକ ଶିକ୍ଷା ବିଭାଗ ଦୋଛକିରେ ରହିଛନ୍ତି । କୌଣସି ଠୋସ୍ ପଦକ୍ଷେପ ନେଇପାରୁ ନାହାନ୍ତି ।
ଛାତ୍ରଛାତ୍ରୀଙ୍କ କ୍ୟାରିୟର୍ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଓ ପରୀକ୍ଷା ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରି ନାହିଁ । ସିବିଏସ୍ଇ, ଆଇସିଏସ୍ସିଇ ପରି କେନ୍ଦ୍ରୀୟ ବୋର୍ଡ ନିଷ୍ପତ୍ତି ଝୁଲାଇ ରଖିଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏଯାଏ ୨୦୨୦-୨୧ ଶିକ୍ଷାବର୍ଷ ଧାର୍ଯ୍ୟ କରିପାରି ନାହିଁ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଶିକ୍ଷାବର୍ଷ ସ୍ପଷ୍ଟ କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଆଉ କେତେକ ରାଜ୍ୟ ସରକାର ଏ ବାବଦରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ତା’ ପରେ ବି ଆଜି ପର୍ଯ୍ୟନ୍ତ ପରୀକ୍ଷା ନେଇ କିଛି ବି ସ୍ଥିର ହୋଇପାରିନାହିଁ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଓ ଫର୍ମ ପୂରଣ ମୁଖ୍ୟତଃ ଡିସେମ୍ବର ମାସରେ ହୋଇଥାଏ । ତେବେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କିଛି ବି ହୋଇପାରିନାହିଁ । କେେବ ହେବ, ସେନେଇ ବି ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିପାରୁ ନାହିଁ ।