ହାତୀ ଆସିଲେ ଏହି ନମ୍ବରରେ ଫୋନ୍ କରନ୍ତୁ, ନମ୍ବର ଜାରି କଲା ବନ ବିଭାଗ

ସତ୍ୟଶିଖା( ଭୁବନେଶ୍ୱର )୨୧.୧୦.୨୦୨୨: ହାତୀପଲ ଗାଁ ଭିତରକୁ ପଶି ଆସିଲେ ବା ଫସଲ ନଷ୍ଟ କଲେ ବନ ବିଭାଗକୁ ଫୋନ୍‌ କରି ଜଣାଇବାକୁ ଏକ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ଏହି ନମ୍ବରଟି ହେଉଛି ୬୩୭୦୫୯୨୦୯୯। ଏହି ନମ୍ବରରେ ଲୋକମାନେ ବନ ବିଭାଗକୁ ଫୋନ୍ କରି ହାତୀ ବିଷୟରେ ସୂଚନା ଦେବାକୁ  କୁହାଯାଇଛି।

କିଛି ଦିନ ହେବ  କେନ୍ଦୁଝର ସଦର ରେଞ୍ଜକୁ ବଣୁଆ ହାତୀପଲ ପଶି ଉପଦ୍ରବ ମଞ୍ଚାଉଛନ୍ତି। ନରଣ ପୁର, ରୁଗୁଡି ସାହି ଓ ନେଙ୍କଡ଼ା ସାହିରେ ୧୪ ଟିକିଆ ହାତୀ ପଲ ପଶିଆସି ଘର ଦ୍ଵାର ଭାଙ୍ଗିବା ସହ ଧାନ ଖାଇବା ସହ ଓ ପନିପରିବା ଚାଷ ନଷ୍ଟ କରୁଛନ୍ତି। ଏକର ଧାନ ଫସଲ ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରି ଦେଉଛନ୍ତି। ଚାଷୀମାନେ ମୁଣ୍ଡ ଝାଳ ତୁଣ୍ଡେ ମାରି  କରିଥିବା ଫସଲକୁ ହାତୀ ପଲଙ୍କ ମୁହଁରୁ ବଞ୍ଚାଇବାକୁ ରାତ ଅନିଦ୍ରା ହୋଇ ଜଗି ରହୁଛନ୍ତି।

ଦିନ ସମୟରେ ହାତୀ ପଲ ନିକଟସ୍ଥ ଜଙ୍ଗଲରେ ରହୁଥିବା ବେଳେ ରାତିହେଲେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି। ହାତୀମାନଙ୍କ ଉପଦ୍ରବ ଯୋଗୁ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ହାତୀ ଘଉଡ଼ାଇବା ଲାଗି ବନ ବିଭାଗର ୨ଟି ସ୍କ୍ବାଡ ଲାଗି ପଡ଼ିଛନ୍ତି। ତଥାପି ହାତୀପଲ ଗାଁ ଭିତରକୁ ପଶି ଆସି ଫସଲ ନଷ୍ଟ କରୁଛନ୍ତି।  ହାତୀ ଗାଁ ଭିତରକୁ ପଶି ଆସିଲେ ବା ଫସଲ ନଷ୍ଟ କଲେ ସୂଚନା ଦେବା ପାଇଁ ବନ ବିଭାଗ ପକ୍ଷରୁ ଏକ ଫୋନ୍ ନମ୍ବର ଜାରି କରାଯାଇଛି।

Exit mobile version